ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଯୁଦ୍ଧ ଆସନ୍ନ ପ୍ରାୟ ମନେ କରି ସାରା ବିଶ୍ୱ ବର୍ତ୍ତମାନ ଭାରତ ଓ ପାକିସ୍ତାନ ଉପରେ ନଜର ରଖିଛି। ଟେନସନ କମ କରି ଯଥା ସମ୍ଭବ ସଞ୍ଜମତା ରକ୍ଷା କରିବାକୁ ଜାତି ସଂଘ ସାଧାରଣ ସମ୍ପାଦକ ଆଣ୍ଟୋନିଆ ଗୁଟେରେସ ଉଭୟ ଦେଶକୁ ପରାମର୍ଶ ଜାରି କରିଥିବା ବେଳେ ଆମେରିକା କିନ୍ତୁ ଭାରତକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି। ଏମିତିକି ଆତଙ୍କବାଦୀଙ୍କୁ ଖୋଜି ବାହାର କରିବାକୁ ଭାରତ ଆମେରିକା ଭାରତକୁ ସହଯୋଗ କରିବ ବୋଲି ଏହାର ଗୁଇନ୍ଦା ମୁଖ୍ୟ ତୁଲସୀ ଗବାର୍ଡ ଘୋଷଣା କରିଛନ୍ତି।
ଏହାରି ଭିତରେ ଯୁଦ୍ଧ ଆଶଙ୍କାକୁ ନେଇ ଇରାନ ମଧ୍ୟସ୍ଥତାର ପ୍ରସ୍ତାବ ଦେଇଛି। ଦୁଇ ଦେଶ ମଧ୍ୟରେ ଟେନସନକୁ ଦୂର କରିବାକୁ ଇରାନ ମଧ୍ୟସ୍ଥତା କରିବାକୁ ରାଜି ଅଛି ବୋଲି କହିଛି। ଏନେଇ ଶୁକ୍ରବାର ଇରାନ ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠାକୁ ଗୁରୁତ୍ୱ ଦେଇଛନ୍ତି। ଭାରତ ଏବଂ ପାକିସ୍ତାନକୁ "ଭ୍ରାତୃପଡ଼ୋଶୀ" ବୋଲି କହିବା ସହିଦ ଦୁଇ ଦେଶକୁ ତେହେରାନ ସର୍ବୋଚ୍ଚ ପ୍ରାଥମିକତା ଦିଏ ବୋଲି କହିଛନ୍ତି।
ଏନେଇ ଆରଘଚି ଟ୍ୱିଟ୍ କରି ଲେଖିଛନ୍ତି “ଭାରତ ଏବଂ ପାକିସ୍ତାନ ଇରାନର ଭାଇଚାରା ଭଳି ପଡ଼ୋଶୀ, ଆମମାନଙ୍କ ମଧ୍ୟରେ ଶତାଧିକ ବର୍ଷ ପୁରୁଣା ସାଂସ୍କୃତିକ ଏବଂ ସଭ୍ୟତାଗତ ସମ୍ପର୍କ ରହିଛି। ଅନ୍ୟ ପଡ଼ୋଶୀମାନଙ୍କ ପରି, ଆମେ ସେମାନଙ୍କୁ ଆମର ସର୍ବୋପରି ପ୍ରାଥମିକତା ବୋଲି ମାନୁ। ତେଣୁ ତେହେରାନ ଏହି ଘଡ଼ସନ୍ଧି ମୁହୂର୍ତ୍ତରେ ବୁଝାମଣା କରାଇବା ପାଇଁ ପ୍ରସ୍ତୁତ ଅଛି।” ଏହାପରେ ଆରଘଚି ପାରସ୍ୟ କବି ସାଦିଙ୍କର କିଛି କୋଟକୁ ଉଦ୍ଧୃତ କରିଥିଲେ। ଯେଉଁଥିରେ ସେ ମାନବୀୟ ସଂଯୋଗ, ସହାନୁଭୂତି, ସଂହତି ଏବଂ କରୁଣାର ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ।
ପଢନ୍ତୁ- ଅଧିକ କ୍ଷତି ହେବାକୁ ନଦେଇ ସଞ୍ଜମତା ରକ୍ଷ: ଭାରତ-ପାକିସ୍ତାନକୁ ଜାତିସଂଘର ପରାମର୍ଶ
ପାକିସ୍ତାନ-ଭିତ୍ତିକ ଲସ୍କର-ଏ-ତୈବା (LeT)ର ଏକ ଶାଖା ବୋଲି କୁହାଯାଉଥିବା "ଦି ରେଜିଷ୍ଟାନ୍ସ ଫ୍ରଣ୍ଟ"ର ଆତଙ୍କବାଦୀମାନେ ପହଲଗାମରେ ୨୬ ଜଣଙ୍କୁ ହତ୍ୟା କରିଥିଲେ। ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ। ସେମାନଙ୍କୁ ଧର୍ମ ପଚରାଯାଇ ଗୁଳି କରାଯାଇଥିଲା। ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଯାଇଛି। ଯାହାକୁ ନେଇ ଉଭୟ ଦେଶ ପରସ୍ପର ସହିତ ସମସ୍ତ ସମ୍ପର୍କ ଛିନ୍ନ କରିବାକୁ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଇଛନ୍ତି।