ନୂଆଦିଲ୍ଲୀ : ଯୁଦ୍ଧ ତ ଭୟଙ୍କର। ଗୁଳି, ତୋପ, ବୋମାଠୁ ଆହୁରି ବିଧ୍ୱଂସକାରୀ ଡ୍ରୋନ୍ ଏବଂ ମିଜାଇଲ୍। ରକ୍ଷା କବଚ ଏୟାର ଡିଫେନ୍ସ ବି ବୋମା ବର୍ଷୀ ଜେଟ୍ ପାଖରେ ଅସହାୟ। ଆହୁରି ଶକ୍ତିଶାଳୀ ବଙ୍କର ବିଧ୍ୱଂସି ବି ଠୁ ବମ୍ବର ଭଳି ବା ତାଠାରୁ ଆହୁରି ଶକ୍ତିଶାଳୀ ଯୁଦ୍ଧ ବିମାନ। ସମୁଦ୍ରରେ ବି ରଣତରୀ , ସବ୍ ମେରାଇନ୍ , ଆଣବିକ ଅସ୍ତ୍ରର ଧମକ ଧ୍ବଂସ , ସଂହାର ଆଉ ସୁପ୍ରିମାସି ବା ସବୁ ଶେଷର ଶେଷତମ ଆୟୁଧ । ଏସବୁ ପଛରେ ବିଜ୍ଞାନ ବୋଲି ଆମେ କହିବା କିନ୍ତୁ ଆଜିର ଚର୍ଚ୍ଚାରେ ଅଶରିରୀ, ମାନେ ଅଶରିରୀଙ୍କୁ ନେଇ ଯୁଦ୍ଧ କରୁଛି ଇସ୍ରାଏଲ୍ । ଜିନ୍ ବା ଭୂତ- ପ୍ରେତ –ପିଶାଚ। ସେମାନଙ୍କ ଜରିଆରେ , ସେମାନଙ୍କ ବଳରେ ଶତୃକୁ ଆକ୍ରମଣ କରୁଛି ଇହୁଦି ଇସ୍ରାଏଲ୍ । ଏହା ଆମେ କହୁନୁ କହୁଛି ଇରାନ୍। ପୁରା ଖବର ବେଶ୍ ରୋଚକ ଆଉ ଆଲୋଡକ ।
ଇସ୍ରାଏଲ୍ ବିରୋଧରେ ଇରାନ୍ର ଏକ ବଡ଼ ଅଭିଯୋଗ। ଯାହାକୁ ହୁଏତ ବିଶ୍ୱାସ କରିବା କଷ୍ଟକର । କିନ୍ତୁ, ଇରାନର ଜଣେ ବରିଷ୍ଠ ଅଧିକାରୀଙ୍କ ଦାବି ଆଉ ଯୁକ୍ତି ଚିନ୍ତାଜନକ । ସେ ଲେଖିଛନ୍ତି ଯେ ଇସ୍ରାଏଲ- ଇରାନ୍ ୧୨ ଦିନିଆ ଯୁଦ୍ଧରେ ଇସ୍ରାଏଲ୍ କୁଆଡ଼େ "ଗୁପ୍ତ ଏବଂ ଅଶରିରୀ ବା ଆସୁରିକ ଶକ୍ତି"ର ବ୍ୟବହାର କରିଥିଲା। ଅଭିଯୋଗକାରୀ ହେଉଛନ୍ତି ,IRGC ସମ୍ବାଦପତ୍ର ଜାଭନର ପୂର୍ବତନ ସମ୍ପାଦକ ଏବଂ ବର୍ତ୍ତମାନ ତେହେରାନର ମେୟରଙ୍କ ପରାମର୍ଶଦାତା ଅବଦୁଲ୍ଲା ଗାଞ୍ଜି। ସେ Xରେ ପୋଷ୍ଟ କରି ଏପରି ମତ ରଖିଛନ୍ତି। ଯାହାକୁ ନେଇ ପ୍ରାଚ୍ୟ-ପାଶ୍ଚାତ୍ୟ ମିଡିଆରେ ଆଲୋଡକ ଖବର ।
ଅବଦୁଲ୍ଲା ଗାଞ୍ଜିଙ୍କ ଲେଖାକୁ ନେଇ ଏଇଥିଲାଗି ଚର୍ଚ୍ଚା ଯେ, ସେ ଏପରି ଅଭିଯୋଗ କରିବାରେ ପ୍ରଥମ ନୁହନ୍ତି। କିମ୍ବା ଇରାନ୍ ପକ୍ଷରୁ ଏପରି ଅଭିଯୋଗ ମଧ୍ୟ ପ୍ରଥମ ନୁହେଁ ।ଏହା ପୂର୍ବରୁ ବି ସମାନ ମନ୍ତବ୍ୟ ଦେଇସାରିଛନ୍ତି ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନି । 2020 ମସିହାରେ ଖାମେନି ଅଭିଯୋଗ କରିଥିଲେ ଯେ 'ଶତ୍ରୁ ତଥା ପଶ୍ଚ୍ୟାତ ଦେଶ ମାନେ ଗୁଇନ୍ଦାଗିରି କରିବାକୁ ଜିନ୍ , କଳାଯାଦୁ ଓ ଅଶରିରୀ ବା ଆସୁରିକ ସତ୍ତା ବ୍ୟବହାର କରୁଥିଲେ। ପରେ ଅବଶ୍ୟ ଏହି ଉଦ୍ଧୃତି କିଛି ସରକାରୀ ପ୍ରତିଲିପିରୁ ହଟାଇ ଦିଆଯାଇଥିଲା।
ଏବେ ଅବଦୁଲ୍ଲା ଗାଞ୍ଜି କିନ୍ତୁ ଅଭିଯୋଗ ସହ ତାଙ୍କ ଯୁକ୍ତି ରଖିଛନ୍ତି । ସେ ଲେଖିଛନ୍ତି ଯେ, ଜୁନ୍ 13ରେ ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ ଲାଗି ଆସୁରିକ ଅଶରିରୀ ଶକ୍ତି ବ୍ୟବହାର କରିଥିଲା ଇସ୍ରାଏଲ। ଇହୁଦି ରାଷ୍ଟ୍ର ଜିନ୍ ଏବଂ ପୈଶାଚିକ ଶକ୍ତିକୁ ଲଗାଇ ଇରାନ୍ର ଗୁପ୍ତ ଅସ୍ତ୍ର ଠିକଣା ସହ ସାମରିକ ଅଧିକାରୀଙ୍କ ଯାତାୟତ ଉପରେ ରଖିତିଲା ନଜର । ଅବଦୁଲ୍ଲା ଏହା ସପକ୍ଷରେ ଯୁକ୍ତି ବି ରଖିଛନ୍ତି । ଲେଖିଛନ୍ତି, ଯୁଦ୍ଧ ସମୟରେ ଏକ 'ଅଦ୍ଭୁତ ଘଟଣା' ଘଟିଥିଲା। "ସାମ୍ପ୍ରତିକ ଯୁଦ୍ଧ ପରେ, ତେହେରାନର ରାସ୍ତାରେ ୟୁଜିସ୍ ପ୍ରତୀକ ଥିବା ଅନେକ କାଗଜ ଖଣ୍ଡ ମିଳିଥିଲା," ଯାହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ। ତାହା ଅଶରିରୀ ବା ଜିନ୍ ମାନଙ୍କ କାମ ଭଳି ଲାଗେ। ସେ X ଆକାଉଣ୍ଟରେ ପାରସୀ ଭାଷାରେ ଏହି ପୋଷ୍ଟ କରିଛନ୍ତି ।
ଇରାନ୍ ଅଧିକାରୀ ଗାଞ୍ଜୀଙ୍କ ଏପରି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଇସ୍ରାଏଲୀ କୂଟନୀତିଜ୍ଞ ୱାଲିଦ୍ ଗଦବାନ। ସେ କହିଛନ୍ତି , "ଦେଶର ନେତୃତ୍ୱ ନେଉଥିବା ବ୍ୟକ୍ତି ଏଭଳି କଳାଯାଦୁ କରିବା କଥା କହିବା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ।" ପାରସୀ ଭାଷାରେ ଟ୍ୱିଟକୁ ରିଟ୍ୱିଟ୍ କରି ସେ ଏକ ଭୂତ ଇମୋଜି ଦେଇ ଲେଖିଛନ୍ତି "ଜିନ୍... ଜିନ୍ ତ ସବୁଠି ଅଛନ୍ତି।"
ଇରାନର ଧର୍ମଗୁରୁମାନେ ପୂର୍ବରୁ ଏଭଳି ଚିନ୍ତାଧାରାକୁ ନେଇ ଅନେକ ଥର ଆଲୋଚନା କରିଛନ୍ତି। ସେମାନଙ୍କ ମତରେ ଇସ୍ରାଏଲ ଜିନ ବା ପୈଶାଚିକ ଶକ୍ତିକୁ ଗୁଇନ୍ଦାଗିରି କରିବାକୁ ବ୍ୟବହାର କରନ୍ତି। ମାର୍ଚ୍ଚ 2023 ରେ, କୋରାନର ବିଦ୍ୱାନ ହୁଜ୍ଜାତ-ଉଲ୍-ଇସଲାମ୍ ଭଲିଉଲ୍ଲାହ ନଗିପୁରଫର ଦାବି କରିଥିଲେ ଯେ ଇରାନର ଗୁପ୍ତଚର ସେବା ଜିନ୍ ବ୍ୟବହାର କରି ଇସ୍ରାଏଲୀ ଅନୁପ୍ରବେଶ ପ୍ରୟାସକୁ ବିଫଳ କରିଛି। କିଛି ଧର୍ମଗୁରୁ ଏହି ସତ୍ତାଗୁଡ଼ିକୁ ଏକ ପ୍ରକୃତ ବିପଦ ଭାବରେ ଦେଖନ୍ତି।
ତେବେ ଯେତେବେଳେ ଆଧୁନିକତାବାଦୀ ଧର୍ମଗୁରୁ ସମେତ ଅନ୍ୟମାନେ ସେମାନଙ୍କୁ ପରିକଳ୍ପନା ଭାବରେ ବ୍ୟାଖ୍ୟା କରନ୍ତି। ଅନେକ ବ୍ୟବହାରକାରୀ ଗାଞ୍ଜୀଙ୍କ ମନ୍ତବ୍ୟକୁ ଉପହାସ କରିଥିଲେ। ଜଣେ ଲେଖିଛନ୍ତି, "ଯଦି ତୁମେ ଏହି କଥା ବିଶ୍ୱର ଅନ୍ୟ କୌଣସି ସ୍ଥାନରେ କହିବ, ତେବେ ସେମାନେ ତୁମକୁ ମେଣ୍ଟାଲ୍ ହସ୍ପିଟାଲକୁ ପଠାଇଦେବେ।" ଆଉ ଜଣେ ଲେଖିଛନ୍ତି, "ମିଷ୍ଟର ଗାଞ୍ଜୀ, ମୁଁ ତୁମକୁ ଅଭିଶାପ ଦେବାକୁ ଯାଉଥିଲି, କିନ୍ତୁ ମୁଁ ଯେଉଁ କଥା କହିବାକୁ ଚାହୁଁଥିଲି ମୋ ବନ୍ଧୁମାନେ ପୂର୍ବରୁ କହିସାରିଛନ୍ତି ଯେ ତୁମେ ଜଣେ ମୂର୍ଖ, ତେଣୁ ଆମେ ତୁମକୁ ଗମ୍ଭୀରତାର ସହ ନେବା ଉଚିତ୍ ନୁହେଁ।"ଏବେ ଅପେକ୍ଷା ବିଜ୍ଞାନ ବନାମ ଜିନ୍-ଭୂତ-ଅଶରିରୀ ଆଦିଙ୍କୁ ନେଇ ଏହି ବୟାନ ବାଜି କେବେ ସରୁଛି । ନମସ୍କାର ।