ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ମୈଦାନରେ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି । ଏହି ମୁକାବିଲାର ତୃତୀୟ ଦିନରେ ଇଂଲଣ୍ଡ ବ୍ୟାଟର ଜୋ ରୁଟ୍ ରେକର୍ଡ ଇନିଂସ ଖେଳିଛନ୍ତି । ଇଂଲଣ୍ଡର ପ୍ରଥମ ପାଳିରେ ରୁଟ୍ ଶତକ ମାରିଛନ୍ତି । ୧୭୮ ବଲରେ ଶତକ ପୂରଣ କରିଛନ୍ତି, ଏଥିରେ ୧୨ଟି ଚୌକା ସାମିଲ ରହିଛି । ଏହା ରୁଟ୍ଙ୍କ ଟେଷ୍ଟ କ୍ୟାରିୟରର ୩୮ତମ ଓ ଭାରତ ବିପକ୍ଷରେ ୧୨ତମ ଶତକ । ଏହାସହ ସେ ଲଗାତାର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ରୁଟ୍ଙ୍କ ବ୍ୟାଟରୁ ଶତକ ବାହାରିଛି ।
ଜୋ ରୁଟ୍ ଭାରତ ବିପକ୍ଷରେ ଇଂଲଣ୍ଡରେ ଟେଷ୍ଟ କ୍ରିକେଟରେ ୯ମ ଶତକ ମାରିଛନ୍ତି । ଏହା ଘରୋଇ ମାଟିରେ ଗୋଟିଏ ଟିମ୍ ବିପକ୍ଷରେ କୌଣସି ବ୍ୟାଟରଙ୍କ ସବୁଠୁ ଅଧିକ ଟେଷ୍ଟ ଶତକ ଅଟେ । ସେ ଏହି ମାମଲାରେ ଅଷ୍ଟ୍ରେଲିଆର ଡନ୍ ବ୍ରାଡମ୍ୟାନଙ୍କୁ ପଛରେ ପକାଇଛନ୍ତି । ବ୍ରାଡମ୍ୟାନ ଇଂଲଣ୍ଡ ବିପକ୍ଷରେ ଘରୋଇ ମାଟିରେ ୮ଟି ଶତକ ମାରିଥିଲେ ।
ଆଜିର ଏହି ଶତକ ସହ ଜୋ ରୁଟ୍ ଏବେ ଭାରତ ବିପକ୍ଷରେ ଟେଷ୍ଟ କ୍ରିକେଟରେ ସବୁଠୁ ଅଧିକ ଶତକ ମାରିଥିବା ବ୍ୟାଟର ହୋଇଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପ୍ଟେନ ଷ୍ଟିଭ୍ ସ୍ମିଥଙ୍କୁ ପଛରେ ପକାଇ ସେ ଏହି ଉପଲବ୍ଧ ହାସଲ କରିଛନ୍ତି । ଭାରତ ବିପକ୍ଷରେ ଷ୍ଟିଭ ସ୍ମିଥଙ୍କ ୧୧ ଶତକ ରହିଛି । ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କରିବା ମାମଲାରେ ଜୋ ରୁଟ୍ ଏବେ ଦ୍ୱିତୀୟ ସ୍ଥାନରେ ପହଞ୍ଚି ଯାଇଛନ୍ତି ।
ଏହାସହ ମ୍ୟାଚ୍ରେ ୧୨୦ ରନ୍ ହାସଲ କରି ରିକି ପଣ୍ଟିଂଙ୍କୁ ପଛରେ ପକାଇ ଦେଇଛନ୍ତି । ପଣ୍ଟିଂ ଅଷ୍ଟ୍ରେଲିଆ ପାଇଁ ୧୬୮ ଟେଷ୍ଟ ମ୍ୟାଚରେ ୧୩,୩୭୮ ରନ୍ କରିଥିଲେ । ଏବେ ଜୋ ରୁଟଙ୍କ ଆଗରେ କେବଳ ସଚିନ ତେନ୍ଦୁଲକର ଅଛନ୍ତି । ସଚିନ ୨୦୦ ଟେଷ୍ଟ ମ୍ୟାଚ୍ରେ ୧୫,୯୨୧ ରନ୍ କରିଥିଲେ ।
ଟେଷ୍ଟ କ୍ରିକେଟରେ ସର୍ବାଧିକ କରିଥିବା ଖେଳାଳି
୧୫୯୨୧- ସଚିନ ତେନ୍ଦୁଲକର (ଭାରତ)
୧୩୩୭୯ * - ଜୋ ରୁଟ୍ (ଇଂଲଣ୍ଡ)
୧୩୩୭୮- ରିକି ପଣ୍ଟିଂ (ଅଷ୍ଟ୍ରେଲିଆ)
୧୩୨୮୯- ଜ୍ୟାକ୍ କାଲିସ୍ (ଦକ୍ଷିଣ ଆଫ୍ରିକା)
୧୩୨୮୮- ରାହୁଲ ଦ୍ରାବିଡ୍ (ଭାରତ)
୧୨୪୭୨- ଆଲିଷ୍ଟର କୁକ୍ (ଇଂଲଣ୍ଡ)
୧୨୪୦୦- କୁମାର ସାଙ୍ଗାକାରା
ଜୋ ରୁଟ୍ ଏବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ଶତକ ହାସଲ କରିଥିବା ବ୍ୟାଟରମାନଙ୍କ ତାଲିକାରେ ମିଳିତ ଭାବେ ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ସଙ୍ଗାକାରାଙ୍କ ୩୮ ଟେଷ୍ଟ ଶତକ ସହିତ ରୁଟ୍ ସମକକ୍ଷ ହୋଇଛନ୍ତି ।
ସର୍ବାଧିକ ଟେଷ୍ଟ ଶତକ
ସଚିନ ତେନ୍ଦୁଲକର (ଭାରତ)- ୫୧
ଜ୍ୟାକ୍ କାଲିସ୍ (ଦକ୍ଷିଣ ଆଫ୍ରିକା)- ୪୫
ରିକି ପଣ୍ଟିଂ (ଅଷ୍ଟ୍ରେଲିଆ)- ୪୧
ଜୋ ରୁଟ୍ (ଇଂଲଣ୍ଡ)- ୩୮
କୁମାର ସାଙ୍ଗାକାରା (ଶ୍ରୀଲଙ୍କା)- ୩୮
ରାହୁଲ ଦ୍ରାବିଡ (ଭାରତ)- ୩୬
ଷ୍ଟିଭ୍ ସ୍ମିଥ୍ (ଅଷ୍ଟ୍ରେଲିଆ)- ୩୬