ପାକିସ୍ତାନୀ ଗୁପ୍ତଚର ଜ୍ୟୋତିଙ୍କ ଗୁଇନ୍ଦାଗିରି, ବିନା ଅନୁମତିରେ ଡେଇଁଥିଲେ ରାଜସ୍ଥାନ ସୀମା

Published By : Prameya-News7 Bureau | May 21, 2025 IST

ନୂଆଦିଲ୍ଲୀ/ହିସାର,୨୧/୦୫: ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇଥିବା ହରିୟାଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ଚକିତ କଲା ଭଳି ଘଟଣାର ପର୍ଦ୍ଦାଫାସ ହୋଇଛି । ସୋସିଆଲ ମିଡିଆରେ କିଛି ଭିଡିଓ ଓ ଫଟୋ ଏବେ ଭାଇରାଲ୍‌ ହେଉଛି, ଯାହା ତାଙ୍କର ପାକିସ୍ତାନ ଲିଙ୍କ୍‌କୁ ଉଜାଗର କରିଛି । ପାକିସ୍ତାନରେ ସେ କିଭଳି ଖୋଲାଖୋଲି ଭାବେ ବୁଲୁଥିଲେ, ତାଙ୍କୁ ସେଠାରେ କେମିତି ଭିଆଇପି ସୁବିଧା ମିଳୁଥିଲା ଏବଂ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କୁ କିଭଳି ଭେଟୁଥିଲେ, ତାହାର ଭିଡିଓ ସାମ୍ନାକୁ ଆସିଛି । 

ଭାଇରାଲ ଫଟୋରେ ଜ୍ୟୋତିଙ୍କୁ ପାକିସ୍ତାନର ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ମରିୟମ ନୱାଜଙ୍କ ସହ ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି । ମରିୟମ ଜ୍ୟୋତିଙ୍କ ସହ ହସି କଥା ହେଉଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ମରିୟମଙ୍କ ସହ କଥା ହୋଇ ଜ୍ୟୋତି ବେଶ୍‌ ଖୁସି ଜଣାପଡ଼ୁଛନ୍ତି । ସେ ଏକ ବଡ଼ କଳା ଚଷମା ପିନ୍ଧିଥିବା ବେଳେ ତାଙ୍କ ପଛରେ ଅନେକ ବ୍ୟକ୍ତି ଛିଡ଼ା ହୋଇଥିବା ଫଟୋରେ ଦେଖିବାକୁ ମିଳିଛି । 

ସେହିଭଳି ଏକ ଭିଡିଓ କ୍ଲିପ୍‌ରେ ଜ୍ୟୋତିଙ୍କୁ ଲାହୋରର ଏକ ନାମୀଦାମୀ ରେସ୍ତୋରାଁରେ ଦେଖିବାକୁ ମିଳିଛି । ସେ ରେସ୍ତୋରାଁରେ କେଉଁଭଳି ଭାବେ ପ୍ରବେଶ କରି ସିଧା ଏକ ଟେବୁଲ୍‌ ଆଡ଼କୁ ଯାଉଛନ୍ତି, ତାହା ଏଥିରେ ଦେଖାଯାଇଛି । ପୂର୍ବରୁ ରେସ୍ତୋରାଁ ଭିତରେ କିଛି ପୁରୁଷ ବ୍ୟକ୍ତି ଉପସ୍ଥିତ ଥିଲା ବେଳେ ଜ୍ୟୋତି ସେମାନଙ୍କ ସହ ଯାଇ ସାମିଲ ହେଉଛନ୍ତି । ବେଶ୍‌ ହସଖୁସିରେ ଖାଦ୍ୟ ଖାଇ ସେମାନଙ୍କ ସହ ଗପରେ ମାତିଯାଉଛନ୍ତି ଟ୍ରାଭେଲ ୟୁଟ୍ୟୁବର ଜ୍ୟୋତି । 

ଏବେ ଏନ୍‌ଆଇଏ ଅଧିକାରୀମାନେ ସୋସିଆଲ ମିଡିଆରୁ ମିଳିଥିବା ତାଙ୍କର ଫଟୋ ଓ ଭିଡିଓକୁ ଭଲ ଭାବେ ଯାଞ୍ଚ କରୁଥିବା କୁହାଯାଉଛି । ତାଙ୍କର ବାରମ୍ବାର ପାକ୍‌ ଗସ୍ତ ପଛରେ ରହସ୍ୟ କ’ଣ ତାହା ଜାଣିବାକୁ ଉଦ୍ୟମ କରୁଛନ୍ତି । ପୂର୍ବରୁ ଦିଲ୍ଲୀସ୍ଥିତ ପାକ୍‌ ହାଇ କମିଶନରେ ଜ୍ୟୋତିଙ୍କୁ ଦେଖିବାକୁ ମିଳିଥିଲା । ପାକିସ୍ତାନ ହାଇ କମିଶନର ବରିଷ୍ଠ ଅଧିକାରୀ ଦାନିଶ ଓ ଅନ୍ୟମାନଙ୍କ ସହ ତାଙ୍କର ଭିଡିଓ ସାମ୍ନାକୁ ଆସିସାରିଛି । ଆଉ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଜ୍ୟୋତି ରାଜସ୍ଥାନ ମଧ୍ୟ ଯାଇଥିଲେ । ଗତବର୍ଷ ଜାନୁଆରୀରେ ସେ ଭାରତ- ପାକିସ୍ତାନ ସୀମା ଗସ୍ତ କରିଥିଲେ । 

ଜ୍ୟୋତି ପ୍ରଥମେ ରାଜସ୍ଥାନର ବାଡ଼ମେର ଜିଲ୍ଲାରେ ପହଞ୍ଚିଥିଲେ ଏବଂ ପରେ ଟ୍ରେନ୍‌ ଯୋଗେ ମୁନାବାଓ ଯାଇଥିଲେ । ମୁନାବାଓ ହେଉଛି ଭାରତ ପଟ ସୀମାର ଶେଷ ରେଳ ଷ୍ଟେସନ । ନିୟମ ଅନୁସାରେ, ସେଠାକୁ କୌଣସି ବାହାର ଲୋକଙ୍କୁ ଯିବାକୁ ହେଲେ ତାହା ପୂର୍ବରୁ ଜିଲ୍ଲାପାଳ କିମ୍ବା ସୁରକ୍ଷା ସଂସ୍ଥାଙ୍କ ଅନୁମତି ନେବାକୁ ପଡ଼ିଥାଏ । ସ୍ଥାନୀୟ ଲୋକଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହୋଇନଥାଏ । କିନ୍ତୁ ହରିୟାଣାର ଜ୍ୟୋତି ଅନୁମତି ନ ଆଣି ଯାଇଥିଲେ । 
ସେଠାରେ ଦିନେ ରହି ଅଞ୍ଚଳର ଭିଡିଓ ଅପ୍‌ଲୋଡ୍‌ କରିଥିଲେ । ସେଠାକାର ସେନା ଘାଟି କଥା ବି କହିଥିଲେ । ଏବେ ପ୍ରଶ୍ନ ଉଠୁଛି ଜ୍ୟୋତିଙ୍କୁ ବାଡ଼ମେର ସୀମା ପର୍ଯ୍ୟନ୍ତ ଯିବା ଲାଗି ଅନୁମତି କିଏ ଦେଇଥିଲା । ଜ୍ୟୋତିଙ୍କ ପିତା ହରିଶ ମାଲହୋତ୍ରା କହିଛନ୍ତି, ମୋ ଝିଅ ଦିଲ୍ଲୀ ଯାଇଥିଲା । ଏହାଠାରୁ ମୁଁ ଅଧିକ କିଛି ଜାଣିନାହିଁ । ତା’ର କୌଣସି ବନ୍ଧୁ ମଧ୍ୟ ଆମ ଘରକୁ ଆସିନାହାନ୍ତି । ଗତକାଲି ପୁଲିସ ତାକୁ ଆଣି ଆମ ଘରକୁ ଆସିଥିଲା । ସେ ତା’ର କିଛି ପୋଷାକ ନେଇଥିଲା ଓ ମୋତେ କିଛି କହି ନ ଥିଲା । ସେ ଘରେ ରହି ମଧ୍ୟ ଭିଡିଓ ବନାଉଥିଲା । ସେ ପାକିସ୍ତାନ ଯିବା କଥା ମୋତେ କହିନାହିଁ । 

ସେପଟେ ୩୩ ବର୍ଷୀୟା ଜ୍ୟୋତି ମାଲହୋତ୍ରାଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଜେରା କରିଛି । ଜମ୍ମୁ-କାଶ୍ମୀର ପୁଲିସ ଓ ଗୁଇନ୍ଦା ଟିମ୍‌ ମଧ୍ୟ ପଚରାଉଚରା କରିଛନ୍ତି । ଆତଙ୍କବାଦୀଙ୍କ ସହ ସମ୍ପର୍କକୁ ନେଇ ତାଙ୍କୁ ଜେରା କରାଯାଇଛି । ଏଥିସହ ଜ୍ୟୋତିଙ୍କ ସ୍ମାର୍ଟଫୋନ ଓ ଲାପ୍‌ଟପ୍‌ର ଡିଜିଟାଲ ଫୋରେନସିକ ଯାଞ୍ଚ କରାଯାଇଛି । ତାଙ୍କର କ୍ଲାଉଡ ଷ୍ଟୋରେଜ (ଅନ୍‌ଲାଇନ୍‌ ଭାବେ ମହଜୁଦ) ରେ ବିଏସ୍‌ଏଫ୍‌ର ଗତିବିଧି, ରାଡାର ଠିକଣା ଏବଂ ଅତ୍ୟନ୍ତ ସୁରକ୍ଷିତ ଅଞ୍ଚଳର ଭିଡିଓ ମିଳିଛି । ଫୋନ୍‌ କଲ୍‌ ରେକର୍ଡରୁ ଜଣାପଡ଼ିଛି ଯେ ଜ୍ୟୋତି ଏକ ଅନ୍ତର୍ଜାତୀୟ ନମ୍ବର ବ୍ୟବହାର କରୁଥିଲେ । 

ଦିଲ୍ଲୀସ୍ଥିତ ପାକିସ୍ତାନୀ ଉଚ୍ଚାୟୋଗ ସହ ଲଗାତର ଯୋଗାଯୋଗରେ ଥିଲେ । ଏଥିସହ ସେ ଭାରତରୁ ବିଦା ହୋଇଥିବା ପାକ୍‌ ଉଚ୍ଚାୟୋଗ ଅଧିକାରୀ ଦାନିଶଙ୍କ ସହ ଅହରହ ସମ୍ପର୍କରେ ରହିଥିଲେ । ଏହାଛଡ଼ା ତାଙ୍କର କିଛି ଭିଡିଓ ବି ମିଳିଛି । ପାକିସ୍ତାନରେ ରହଣି ବେଳର ମୁହୂର୍ତ୍ତ ଏଥିରେ କଏଦ ହୋଇଛି । ପାକିସ୍ତାନର ଯେଉଁ ସ୍ଥାନକୁ ସାଧାରଣ ଲୋକ ଯାଇପାରିବେ ନାହିଁ, ସେଠାକୁ ଜ୍ୟୋତି ଯାଇଥିଲେ । ତାଙ୍କ ପାଇଁ କୌଣସି କଟକଣା ନ ଥିଲା । ବରଂ ତାଙ୍କୁ ପାଛୋଟି ନେବାକୁ ଲୋକେ ଆସୁଥିଲେ । 

ଜ୍ୟୋତିଙ୍କ ଜି-ମେଲ୍‌ ଆକାଉଣ୍ଟରେ ପାକିସ୍ତାନୀ ଆଇପିରୁ ଅନେକ ବାର ଲଗ୍‌ ଇନ୍‌ ହୋଇଥିବା ଯାଞ୍ଚରୁ ଜଣାପଡ଼ିଛି । ତାଙ୍କର ଏକ ଡାଏରି ମଧ୍ୟ ସୁରକ୍ଷା ଏଜେନ୍ସିଙ୍କ ହାତରେ ପଡ଼ିଛି । ତାଙ୍କ ଘରୁ ଏହାକୁ ଜବତ କରାଯାଇଥିଲା । ଏବେ ଏଥିରେ କି ଗୁପ୍ତ ତଥ୍ୟ ରହିଛି, ତାହା ଜାଣିବାକୁ ଉଦ୍ୟମ ଚାଲିଛି । ଏହାଛଡ଼ା ତାଙ୍କର ବିଭିନ୍ନ ଆର୍ଥିକ ବିବରଣୀକୁ ତଦନ୍ତକାରୀ ଅଧିକାରୀମାନେ ଖୋଳତାଡ଼ କରୁଛନ୍ତି । ଜ୍ୟୋତି ଟେଲିଗ୍ରାମ, ହ୍ୱାଟ୍‌ସଆପ୍‌ ଓ ସ୍ନାପ୍‌ଚାଟ୍‌ ଭଳି ଏନ୍‌କ୍ରିପ୍ଟେଡ ମେସେଜିଂ ଆପ୍‌ ବ୍ୟବହାର କରୁଥିଲେ । ଏଥିରୁ ଜଣାପଡ଼ୁଛି ଯେ ସେ ଗୋପନୀୟତାକୁ ସର୍ବାଧିକ ଗୁରୁତ୍ୱ ଦେଉଥିଲେ । 

ପାକିସ୍ତାନୀ ଗୁଇନ୍ଦା ଅପରେଟିଭ୍‌ଙ୍କ ସହ ଯୋଗାଯୋଗରେ ରହିଥିବା ଅନ୍ୟ ୟୁଟ୍ୟୁବ୍‌ ଇନ୍‌ଫ୍ଲୁଏନ୍ସରଙ୍କ ସହ ତାଙ୍କର ଥିବା ସମ୍ପର୍କକୁ ନେଇ ତଦନ୍ତ ଚାଲିଛି । ଖୁବଶୀଘ୍ର ତଦନ୍ତ ଅଧିକାରୀଙ୍କ ହାତରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିବା ନେଇ ଆଶା କରାଯାଉଛି । ଉଲ୍ଲେଖଯୋଗ୍ୟ, ସନ୍ଦେହପୂର୍ଣ୍ଣ ଭ୍ରମଣ, ବିଦେଶୀ ସମ୍ପର୍କ ଏବଂ ୟୁଟ୍ୟୁବ ଚ୍ୟାନେଲରେ ଅପ୍‌ଲୋଡ୍‌ ହୋଇଥିବା ବିଭିନ୍ନ ସମ୍ବେଦନଶୀଳ ଭିଡିଓକୁ ଆଧାର କରି ଜ୍ୟୋତିଙ୍କ ଉପରେ ଅନେକ ମାସ ଧରି ନଜର ରହିଥିଲା । 

ଗୁଇନ୍ଦା ଏଜେନ୍ସିଗୁଡ଼ିକର ରାଡାରରେ ସେ ଅନେକ ଦିନ ଧରି ଥିଲେ । ଡିଜିଟାଲ ଫୋରେନସିକ ଯାଞ୍ଚରୁ ବିଦେଶ ଭ୍ରମଣ ସହ ପଠାନକୋଟ, ନାଥୁ ଲା ପାସ୍‌ ଏବଂ ଅରୁଣାଚଳ ପ୍ରଦେଶର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ତାଙ୍କର ସନ୍ଦିଗ୍ଧ ଗତିବିଧିର ପ୍ରମାଣ ମିଳିଛି । ଲାପ୍‌ଟପ୍‌ର ଲୋକେସନ ହିଷ୍ଟ୍ରି ଓ ଭିଡିଓ ରେକର୍ଡିଂ ଏଜେନ୍ସିଗୁଡ଼ିକର ଧ୍ୟାନ ଟାଣିଥିଲା । ମେ ୧୬ରେ ତାଙ୍କୁ ଗିରଫ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.