ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିବା ଧାରା ୩୭୦ ହଟାଇବାରେ ସରକାରଙ୍କ ନିଷ୍ପତ୍ତିକୁ ସମର୍ଥନ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କାଶ୍ମୀର ହିନ୍ଦୁ। କାଶ୍ମୀରି ହିନ୍ଦୁମାନଙ୍କ ପକ୍ଷରୁ କୋର୍ଟରେ ଦୁଇଟି ପୃଥକ ଆବେଦନ କରାଯାଇଛି। ସେଥିମଧ୍ୟରୁ ଧାରା ୩୭୦ ରଦ୍ଦ କରିବା ନେଇ ସରକାରଙ୍କ ନିଷ୍ପତ୍ତି ବିରୋଧରେ ହୋଇଥିବା ସମସ୍ତ ଆବେଦନକୁ ଖାରଜ୍ କରିବାକୁ କୋର୍ଟରେ ଦାବି କରିଛନ୍ତି କାଶ୍ମୀର ପଣ୍ଡିତ।
ସୂଚନା ଥାଉକି ଧାରା ୩୭୦ ଉଚ୍ଛେଦ ବିରୋଧରେ ହୋଇଥିବା ସମସ୍ତ ମାମଲା ଶୁଣାଣି ଅଗଷ୍ଟ ୨ ତାରିଖରୁ ଆରମ୍ଭ ହେବ। ଭାରତର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି ଆର ଗାଭାଇ ଏବଂ ଜଷ୍ଟିସ୍ ସୁର୍ଯ୍ୟକାନ୍ତଙ୍କ ଦ୍ୱାର ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।
ପଢ଼ନ୍ତୁ-ମଣିପୁର ହିଂସା; ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ, ରାଜ୍ୟ ବାହାରେ ଶୁଣାଣି ପାଇଁ ଗୁହାରି
କାଶ୍ମୀର ପଣ୍ଡିତ ପକ୍ଷରୁ ହୋଇଥିବା ଦୁଇଟି ପୃଥକ ଆବେଦନ ମଧ୍ୟରୁ ଗୋଟିଏ କାଶ୍ମୀର ହିନ୍ଦୁମାନଙ୍କ 'ୟୁଥ୍ 4 ପନ୍ନୁ କାଶ୍ମୀର' ପକ୍ଷରୁ ଆବେଦନ କରାଯାଇଥିବା ବେଳେ ଅନ୍ୟଟି ସାମାଜିକ କର୍ମୀ ବିରେନ୍ଦର କୌଲଙ୍କ ପକ୍ଷରୁ ଓକିଲ ସିଦ୍ଧାର୍ଥ ପ୍ରବୀଣ ଆଚାର୍ଯ୍ୟଙ୍କ ଜରିଆରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି।
ୟୁଥ 4 ପନ୍ନୁ କାଶ୍ମୀର ସଂଗଠନର କହିବା କଥା ହେଲା ଯେ ସମ୍ବିଧାନର ଧାରା ୩୭୦ ଏବଂ ଧାରା ୨୫-ଏ ସମ୍ବିଧାନର ମୌଳିକ ସଂରଚନାକୁ ଉଲ୍ଲଂଘନ କରିଛି। କାରଣ ଏହା କେବେ ବି ଭାରତୀୟ ସମ୍ବିଧାନର ଶ୍ରେଷ୍ଠତାକୁ ସ୍ୱୀକୃତି ଦେଇ ନାହିଁ। କାଶ୍ମୀର ପଣ୍ଡିତ କୌଲ୍ ତାଙ୍କ ଆବେଦନରେ କହିଛନ୍ତି ଯେ ନାଗରିକମାନଙ୍କୁ ଦୁଇଟି ଶ୍ରେଣୀରେ ବିଭକ୍ତ କରିଥିବାରୁ ଧାରା ୩୭୦ ଭେଦଭାବପୂର୍ଣ୍ଣ ଥିଲା। ଗୋଟିଏ ନିୟମ ପୂର୍ବୋତ୍ତର ରାଜ୍ୟ ଜାମ୍ମୁ କାଶ୍ମୀର ପାଇଁ ଥିବା ବେଳେ ଅନ୍ୟଟି ଭାରତର ଅବଶିଷ୍ଟ ରାଜ୍ୟ ପାଇଁ ରହିଥିଲା। ଏହାର ଅଧିକାଂଶ ନିୟମାବଳୀକୁ ରଦ୍ଦ କରାଯିବା ଦ୍ୱାରା ଭେଦଭାବ ଦୂର ହୋଇଛି ବୋଲି କୌଲ ଆବେଦନରେ ଦର୍ଶାଇଛନ୍ତି।
ସୂଚନା ଥାଉକି ଧାରା ୩୫-ଏ ଜାମ୍ମୁ କାଶ୍ମୀରର ନାଗରିକଙ୍କୁ ବିଶେଷ ଅଧିକାର ଦେଇଥିଲା। ଏଥିସହିତ ରାଜ୍ୟ ବାହାରେ କୌଣସି ବ୍ୟକ୍ତିଙ୍କୁ ଜାମ୍ମୁ-କାଶ୍ମୀରରେ ଅସ୍ଥାବର ସମ୍ପତ୍ତି କ୍ରୟ କରିବାର ଅଧିକାର ନଥିଲା। କେବଳ ସେନାକୁ ଛାଡ଼ି ଦେଲେ ରାଜ୍ୟର ଲୋକଙ୍କୁ ସ୍ୱାଧୀନତା ମଳିଥିବା ଯୋଗୁ ଏଠାରେ ଅଧିକ ଆତଙ୍କବାଦ ସମସ୍ୟା ରହିଥଲା। ଫଳରେ ବର୍ଷ ବର୍ଷ ଧରି ଜାମ୍ମୁ-କାଶ୍ମୀର ଆତଙ୍କର ଭୂଇଁ ପାଲଟିଥିଲା।
ଏହାପରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ୫ ଅଗଷ୍ଟ ୨୦୧୯ ରେ କେନ୍ଦ୍ର ସରକାର ଧାରା ୩୭୦ ଓ ୩୫ ଏ ଉଚ୍ଛେଦ କରି ଜାମ୍ମୁ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରି ନେଇଥିଲେ। ଏହାପରେ ଲୋକଙ୍କ ଦାବି ଅନୁସାରେ, ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ଏହି ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଏକାଧିକ ଚ୍ୟାଲେଞ୍ଜ ହୋଇଛି। ଯାହାର ଶୁଣାଣି ଅଗଷ୍ଟ ୨ ତାରିଖରେ ହେବ।