୮ ଦିନ ହେଲାଣି ଆସୁନି ପାଣି, ଗରା ବାଲ୍‌ଟି ଧରି ରାସ୍ତାରେ ଧାରଣା, ପ୍ରଶାସନର ଦେଖା ନାହିଁ

Published By : Prameya-News7 Bureau | March 21, 2025 IST

ଆନନ୍ଦପୁର ୨୧/୩:  ଖରାଦିନ ଆସୁ ଆସୁ ଆରମ୍ଭ ହୋଇଗଲାଣି ଜଳ ସଂକଟ । ରାସ୍ତାରେ ଗରା,ବାଲ୍‌ଟି ଧରି ବସିଲେ ମହିଳା । ୮ଦିନ ହେଲାଣି ଗାଁକୁ ନିୟମିତ ଭାବରେ ପାଇପ ପାଣି ଆସୁନି । ପାଣି ମୁନ୍ଦାଏ ପିଇବାକୁ ନାହିଁ ନଥିବା ହୀନସ୍ତା ହେଉଛନ୍ତି ଲୋକେ । ପ୍ରତିବାଦରେ ରାସ୍ତାରେ ବସି ପାଣି ମାଗିଛନ୍ତି ଆନ୍ଦୋଳନକାରୀ । ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ନାରଙ୍ଗପୁର ଗାଁରୁ ଆସିଛି ଜଳ ସଂକଟର ଖବର ।

ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ପାଇପ ଯୋଗେ ଗାଁକୁ ପାଣି ଯୋଗାଣ ହୋଇଥାଏ । ଦିନକୁ ୨ଥର ପାଣି ଆସିଥାଏ । ହେଲେ ଦୀର୍ଘ ୮ ଦିନ ହେଲାଣି ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ନିୟମିତ ଭାବରେ ପାଣି ଯୋଗାଣ ହେଉନି । ଲୋକେ ପାଣି ମୁନ୍ଦାଏ ପିଇବାକୁ ଡହଳବିକଳ ହେଉଛନ୍ତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ପଦକ୍ଷେପ ଶୂନ । ବାଧ୍ୟ ହୋଇ ଶୁକ୍ରବାର ରାସ୍ତାକୁ ଓହ୍ଲାଇଛନ୍ତି ଗାଁର ମହିଳା । ନାରଙ୍ଗପୁର ଛକଠାରେ ରାସ୍ତା ଅବରୋଧ କରିଛନ୍ତି ଶହ ଶହ ମହିଳା । 

ଫଳରେ ସେହି ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି ।  ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି । ପାଣି ସମସ୍ୟାର ସମାଧାନ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ । ଏତେ ସମୟ ଧରି ରାସ୍ତାରୋକ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କାହାର ଦେଖା ମିଳିନଥିଲା । 


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.