ମହୁଆ ମୋଇତ୍ରଙ୍କ ବିରୋଧରେ ବିଜେପିର ସାଂଘାତିକ ଅଭିଯୋଗ; ଲାଞ୍ଚ ନେଇ ଲୋକସଭା ଲଗଇନ୍ ଆକ୍ସେସ୍‌ ଦେଇ ଥାଇପାରନ୍ତି ଟିଏମ୍‌ସି ସାଂସଦ

Published By : Prameya-News7 Bureau | October 16, 2023 IST

ନୂଆଦିଲ୍ଲୀ: ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ପୁଣିଥରେ ଲାଞ୍ଚ ଅଭିଯୋଗ ଆଣି ଫେରାଦ ହେଲେ ବିଜେପି ସାଂସଦ ନିଶିକାନ୍ତ ଦୁବେ।  ଏଥର ସେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ପାଖରେ ଚିଠି ଲେଖି ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ଦୁବେ ମହୁଆଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣି ଲୋକସଭା ସ୍ପିକରଙ୍କ ପାଖରେ ଅଭିଯୋଗ କରିବା ସହ ସଂସଦରୁ ତାଙ୍କୁ ନିଲମ୍ବିତ କରାଯାଉ ବୋଲି ସେ ଦାବି କରିଥିଲେ।

ମହୁଆ ସଂସଦରେ ଅଯଥା ହୋହଲ୍ଲା କରି ସାଧାରଣ ଜନତାଙ୍କ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନାକୁ ଭଣ୍ଡୁର କରିବାକୁ ସେ ଜଣେ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଛନ୍ତି। ସଂସଦରେ ପ୍ରଶ୍ନ କରିବାକୁ ସେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ଠାରୁ ଟଙ୍କା ନେଉଛନ୍ତି। ଏବଂ ନିର୍ଦ୍ଦିଷ୍ଟ ପୁଞ୍ଜିପତିଙ୍କୁ ଟାର୍ଗେଟ୍ କରିବାକୁ ବାରମ୍ବାର ପ୍ରଶ୍ନ କରୁଛନ୍ତି ବୋଲି ଶ୍ରୀ ଦୁବେ ଅଭିଯୋଗ କରିଥିଲେ। ଏଥିସହିତ ମହୁଆଙ୍କ ବିରୋଧରେ ଏକ କମିଟି ଗଠନ କରି ଯାଞ୍ଚ କରିବାକୁ ମଧ୍ୟ ଓମ ବିର୍ଲାଙ୍କ ପାଖରେ ଦାବି ରଖିଥିଲେ ନିଶିକାନ୍ତ ଦୁବେ।

ଦୁବେ ଆଇଟି ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଲେଖିଛନ୍ତି ଯେ ମହୁଆ ଓ ଦର୍ଶନ ହିରାନନ୍ଦାନୀଙ୍କ ବିରୋଧରେ ଲାଞ୍ଚ ଦିଆନିଆ ହୋଇଛି ବୋଲି ଜଣେ ସୁପ୍ରିମକୋର୍ଟର ଓକିଲ ଅଭିଯୋଗ ଆଣିଥିଲେ। ଏହି ଘଟଣା ୨୦୦୫ ଟଙ୍କା ବଦଳରେ ପ୍ରଶ୍ନ ଦୁର୍ନୀତିକୁ ମନେ ପକାଇ ଦେଉଛି ବୋଲି ଶ୍ରୀ ଦୁବେ କହିଛନ୍ତି।

ଆଇଟି ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ନିଶିକାନ୍ତ ଆହୁରି କହିଛନ୍ତି ଯେ ମହୁଆ ହୀରାନନ୍ଦାନୀ ଓ ତାଙ୍କ ବ୍ୟବସାୟୀକ ସଂସ୍ଥାକୁ ଲୋକସଭା ଲଗ୍ ଇନ୍ ଆକ୍‌ସେସ୍ ଦେଇ ଥାଇପାରନ୍ତି। ଏମିତି ହୋଇଥାଏ ତେବେ ସେ ନିଜର ଫାଇଦା ପାଇଁ ଏହାର ବ୍ୟବହାର କରିବେ ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ତଦନ୍ତ କରାଯାଉ ବୋଲି ଦୁବେ ଆଇଟି ମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ ଜଣାଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.