ମୋବାଇଲ ଲୁଟି ଖସିଯାଇଥାନ୍ତେ, କାବୁ କରି ଉତ୍ତମ ମଧ୍ୟମ ଦେଲେ ଗାଁ ଲୋକ, ଆଉ ୨ ଚଂପଟ

Published By : Prameya-News7 Bureau | February 07, 2025 IST

ମାହାଙ୍ଗା ୭/୨:  ମୋବାଇଲ ଲୁଟି ଖସିଯିବାକୁ ବସିଥିଲେ ଲୁଟେରା ଗ୍ୟାଙ୍ଗ । କାବୁ କରି ନିର୍ଦ୍ଧୁମ ଛେଚିଲେ ଗାଁ ଲୋକ । ଖସିଗଲେ ୨ । ଗୁରୁବାର ମାହାଙ୍ଗା ଥାନା କୁଆଁପାଳ, ଜଳସରପୁର ତ୍ରିବେଣୀଶ୍ବର ଓ ମଉଦା ବଜାରର ଘଟଣା । କିଣାବିକା ପାଇଁ ବଜାରରେ ଲୋକଙ୍କ ଭିଡ ଲାଗିଥିଲା । ଏହାର ସୁଯୋଗ ନେଇ ବଜାରରେ ପଶିଥିଲେ ଲୁଟେରା ଗ୍ୟାଙ୍ଗ ।  ବିଭିନ୍ନ ଲୋକଙ୍କ ଠାରୁ ପ୍ରାୟ ୧୦ରୁ ଅଧିକ ମୋବାଇଲ ଲୁଟ୍‌ କରି କିଛି ନଜାଣିଲା ପରି ଚଂପଟ ମାରୁଥିଲେ ୬ ଲୁଟେରା । 

ତେବେ ସେଠାରେ ଉପସ୍ଥିତ ଥିବା ଲୋକଙ୍କର ସନ୍ଦେହ ହେବାରୁ ସେମାନେ ଏହି ୬ ଜଣଙ୍କୁ ଅଟକାଇଥିଲେ । ସେମାନଙ୍କ ଠାରୁ ମୋବାଇଲ ସହ ୨ଟି ବାଇକ ଜବତ ହୋଇଥିଲା । ତେବେ ଲୋକଙ୍କୁ ଚକ୍‌ମା ଦେଇ ଖସିଯାଇଥିଲେ ଅନ୍ୟ ୨ ଲୁଟେରା । ଘଟଣାସ୍ଥଳରେ ମାହାଙ୍ଗା ପୋଲିସ ପହଞ୍ଚି ଅଧିକ ଛାନ୍‌ଭିନ୍‌ କରିଛି । ସମସ୍ତ ଲୁଟେରା ଛତିଆ ସୋଲର ଅଞ୍ଚଳର ବୋଲି ଜଣାପଡିଛି ।

ମାହାଙ୍ଗାରେ ଦିନକୁ ଦିନ ମୋବାଇଲ ଓ ବାଇକ ଲୁଟେରାଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୋଲିସ ଆଖିରେ ଧୂଳି ଦେଇ ଲୁଟ୍‌ପାଟ୍‌ ଚଳାଇଛନ୍ତି ଲୁଟେରା । ସେମାନଙ୍କୁ ଚେକ୍‌ ଦେବାକୁ ପୋଲିସ ପାଟ୍ରୋଲିଂ ଜୋରଦାର କରିବାକୁ ଦାବି ଉଠାଇଛନ୍ତି ସ୍ଥାନୀୟ ଲୋକ । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.