ଭୁବନେଶ୍ବର ୨।୬: ଦୁର୍ବଳ ହୋଇଛି ମୌସୁମୀ । ବଢୁଛି ପାରଦ । ଅସହ୍ୟ ଗୁଳୁଗୁଳିରୁ ଅସ୍ତବ୍ୟସ୍ତ ଜନ ଜୀବନ । ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବା ପରେ ଦୁର୍ବଳ ହୋଇଛି । ଯାହା ଫଳରେ ଅଧିକ ଗରମ ଅନୁଭୂତ ହେଉଛି । ପାଣିପାଗ ବିଶେଷଜ୍ଞ ତଥା ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ କହିଛନ୍ତି, ବର୍ତ୍ତମାନ ବ୍ରେକ୍ ମନସୁନ୍ ଚାଲିଛି । ହିମାଳୟ ପାଦଦେଶରେ ବର୍ଷା ଅଧିକ ହେଉଥିବାରୁ ରାଜ୍ୟରେ ମୌସୁମୀ ବାୟୁ ଦୁର୍ବଳ ହୋଇଛି । ଏହି ସ୍ଥିତି ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରହିବ । ୭ତାରିଖରୁ ଆହୁରି ଗରମ ଅନୁଭୂତ ହେବ ବୋଲି ଶରତ ସାହୁ କହିଛନ୍ତି ।
ମୌସୁମୀ ବାୟୁରେ ଜଳୀୟବାଷ୍ପ ଥିବାବେଳେ ପାରଦ ମଧ୍ୟ ଅଧିକ ରହୁଛି । ଯାହା ଫଳରେ ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳଗୁଳି କରାଉଛି । ଆଉ କିଛି ଦିନ ଏମିତି ଗରମ ଅନୁଭୂତ ହେବ । ପାରଦ ୪୦ ପାଖାପାଖି ରହିବ ବୋଲି ସେ କହିଛନ୍ତି । କିନ୍ତୁ ୧୧ରୁ ୧୪ ତାରିଖ ମଧ୍ୟରେ ପରିବର୍ତ୍ତନ ଦେଖାଦେବ । ଲଘୁଚାପ ସୃଷ୍ଟି ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।
ରଜ ବେଳକୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ସେ ସମୟରେ ଏକ ଲଘୁଚାପ ସୃଷ୍ଟି ହେବାକୁ ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ । ତେବେ ମୌସୁମୀ ପୁଣି ସକ୍ରିୟ ହେବ ବୋଲି ସେ କହିଛନ୍ତି ।
ବର୍ତ୍ତମାନ ସ୍ଥିତିରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ସମୟରେ କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ଗଞ୍ଜାମ, ଗଜପତି ଅଞ୍ଚଳରେ କାଳବୈଶାଖୀଜନିତ ବର୍ଷା ହେବାର ସମ୍ଭାବନା ରହିଛି ।
You Can Read:
ମହାପ୍ରସାଦ ନାଁରେ ଶ୍ରୀମନ୍ଦିର ବାହାରେ ଖଜା ବିକ୍ରି କଲେ ହେବ କାର୍ଯ୍ୟାନୁଷ୍ଠାନ, ଖୁବ୍ଶୀଘ୍ର ମାନ ଯାଞ୍ଚ