‘କେବଳ ବଇଁଶୀରେ କାମ ଚାଲିବ ନାହିଁ, ଧର୍ମର ସୁରକ୍ଷା ପାଇଁ ସୁଦର୍ଶନ ମଧ୍ୟ ଜରୁରୀ’, ଯୋଗୀ ଆଦିତ୍ୟନାଥଙ୍କ ବଡ଼ ବୟାନ

Published By : Prameya-News7 Bureau | September 16, 2024 IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋମବାର ତ୍ରିପୁରାରେ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କେବଳ ବଇଁଶୀରେ କାମ ଚାଲିବ ନାହିଁ, ବରଂ ସୁରକ୍ଷା ପାଇଁ ସୁଦର୍ଶନ ମଧ୍ୟ ଜରୁରୀ ଅଟେ । ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ଆପଣ ଧର୍ମର ରକ୍ଷା କରିବେ ତେବେ ଧର୍ମ ମଧ୍ୟ ଆପଣଙ୍କ ରକ୍ଷା କରିବ । ଏହାସହ ସେ ପାକିସ୍ତାନକୁ ମାନବ ଜାତି ପାଇଁ କ୍ୟାନ୍ସର କହିବା ସହ ବିନା ଅପରେସନରେ ଏହାର ଚିକିତ୍ସା ସମ୍ଭବ ନୁହେଁ ବୋଲି କହିଛନ୍ତି । 

ସିଏମ୍ ଯୋଗୀ କହିଛନ୍ତି, 'ତ୍ରିପୁରାରେ ଡବଲ୍ ଇଞ୍ଜିନ ସରକାର, ଯିଏ ଡବଲ୍ ସ୍ପିଡରେ ସର୍ବାଙ୍ଗୀନ ବିକାଶ ପାଇଁ କାମ କରୁଛି । ଆମ ସମସ୍ତଙ୍କ ସାମନାରେ ଧାର୍ମିକ କ୍ଷେତ୍ରରେ ହେଉଥିବା ପ୍ରଗତି ଉଲ୍ଲେଖନୀୟ ଅଟେ ।' ଯୋଗୀ ଆଦିତ୍ୟନାଥ ବାଂଲାଦେଶର ନାଁ ନନେଇ କହିଛନ୍ତି, 'ପଡ଼ିଶାରେ ହଜାର କିଲୋମିଟର ଦୂର ସୀମା ଆରପଟେ, ଆମ ବନ୍ଧୁଗଣଙ୍କ ସ୍ଥିତି କଣ ରହିଛି, ତାହା ଆପଣଙ୍କୁ ଅଛପା ନାହିଁ ।'

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, 'ଆମ ସମସ୍ତଙ୍କୁ ଏହା ଧ୍ୟାନରେ ରଖିବା ଦରକାର ଯେ ଯଦି ଆପଣ ଧର୍ମର ରକ୍ଷା କରିବେ ତେବେ ଧର୍ମ ଆପଣଙ୍କ ରକ୍ଷା କରିବ । କିନ୍ତୁ ଯଦି ଆପଣ ସ୍ୱାର୍ଥ ପାଇଁ ଧର୍ମର ବଳିଦାନ କରିବେ, ତେବେ ଧର୍ମ ମଧ୍ୟ ଆପଣଙ୍କ ସହ ସେହି ପ୍ରକାର ବ୍ୟବହାର କରିବ । ଆମେ ସମସ୍ତେ ଏକ ଭାରତ-ଶ୍ରେଷ୍ଠ ଭାରତ ରୂପେ ଦେଶକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରୁଛୁ । ପ୍ରଧାନନମନ୍ତ୍ରୀ ମୋଦୀଙ୍କ ସଂକଳ୍ପ ଏବଂ ସମାର୍ଥ୍ୟ ଆମ ସମସ୍ତଙ୍କୁ ଏକ ନୂଆ ଯାତ୍ରାରେ ଆଗକୁ ବଢାଉଛି ।'

ସିଏମ୍ ଯୋଗୀ କହିଛନ୍ତି, 'ଆମ ଏହା ମଧ୍ୟ ଜାଣିଛୁ ଯେ ଭଗବାନ ଶ୍ରୀକୃଷ୍ଣଙ୍କ ସ୍ମୃତି ଯେତେବେଳେ ଆମ ସାମନାକୁ ଆସେ, ସେତେବେଳେ ତାଙ୍କର ଗୋଟିଏ ହାତରେ ବଇଁଶୀ ଏବଂ ଦ୍ୱିତୀୟ ହାତରେ ସୁଦର୍ଶନ ରହିଛି । କେବଳ ବଇଁଶୀରୁ କାମ ଚାଲିବ ନାହିଁ ବରଂ ସୁରକ୍ଷା ପାଇଁ ସୁଦର୍ଶନ ମଧ୍ୟ ଆବଶ୍ୟକ । ସୁଦର୍ଶନ ଯେପର୍ଯ୍ୟନ୍ତ ଆପଣଙ୍କ ପାଖରେ ରହିବ ତେବେ କାହାକୁ ବଳିଦାନ ଦେବାକୁ ପଡ଼ିବ ନାହିଁ ।' 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.