ନବଦାସ ହତ୍ୟା ମାମଲାରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ, ଗୋପାଳଙ୍କ ପତ୍ନୀଙ୍କୁ ଘଣ୍ଟାଏ ଜେରା, ଗତ ୪ଦିନରେ ୧୧ ଜଣଙ୍କୁ ପଚରାଉଚରା

Published By : Prameya-News7 Bureau | April 26, 2025 IST

ବ୍ରହ୍ମପୁର୨୬/୪: ପୂର୍ବତନ ମନ୍ତ୍ରୀ ନବଦାସଙ୍କୁ କେବଳ ଗୋପାଳ ଗୁଳି କରିଛି ନା ହତ୍ୟା ପଛରେ ଆଉ କିଏ ମାଷ୍ଟରମାଇଣ୍ଡ । ରହସ୍ୟ ଭେଦିବାକୁ ଝାରସୁଗୁଡା ପରେ ବ୍ରହ୍ମପୁରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ ।  ବ୍ରହ୍ମପୁର ସ୍ଥିତ ଅଙ୍କୁଲି ଘରେ ଗୋପାଳର ପତ୍ନୀଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ପାଖାପାଖି ୧ ଘଣ୍ଟା ଧରି ବିଭିନ୍ନ ପ୍ରଶ୍ନ ପଚାରିଥିଲେ କ୍ରାଇମବ୍ରାଞ୍ଚ ଟିମ୍‌ର ଅଧିକାରୀ । ପୂର୍ବରୁ ଗୋପାଳଙ୍କ ପତ୍ନୀଙ୍କ ବୟାନ ରେକର୍ଡ ହୋଇଥିଲେ ମଧ୍ୟ ଶନିବାର ପୁଣି ଜେରାର ସମ୍ମୁଖୀନ ହୋଇଥିଲେ ପତ୍ନୀ । କିଛି ସମୟ ପରେ ଗୋପାଳକୁ ଚିକିତ୍ସା କରୁଥିବା ମାନସିକରୋଗ ବିଶେଷଜ୍ଞ ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀଙ୍କୁ ପଚରାଉଚରା କରାଯିବ । 

ଗତ ୩ ଦିନ ହେଲାଣି ବ୍ରହ୍ମପୁରରେ ଛାନ୍‌ଭିନ୍‌ ଚଳାଇଛି କ୍ରାଇମବ୍ରାଞ୍ଚ । ଶୁକ୍ରବାର ଅଭିଯୁକ୍ତ ଗୋପାଳ ଦାସଙ୍କ ବଡଭାଇ,ପୁଅ ଓ ପୁତୁରାକୁ ପଚରାଉଚରା କରିଥିଲେ କ୍ରାଇମବ୍ରାଞ୍ଚର ଅଧିକାରୀ । ଗୋପାଳଙ୍କ ଭାଇ ସତ୍ୟନାରାୟଣଙ୍କୁ ବ୍ରହ୍ମପୁର ଟାଉନଥାନାକୁ ଡାକି ଜେରା କରିବା ସହ ବୟାନ ରେକର୍ଡ କରାଯାଇଥିଲା । ସତ୍ୟନାରାୟଣ ଝାରସୁଗୁଡାରେ ହୋଟେଲ କରିଥିଲେ ମଧ୍ୟ ନବ ଦାସ ମର୍ଡର ପୂର୍ବରୁ ହୋଟେଲ ବନ୍ଦ କରି ଝାରସୁଗୁଡା ଛାଡି ଦେଇଥିଲେ । ତେଣୁ ସତ୍ୟନାରାୟଣ ମର୍ଡର ବାବଦରେ ପୂର୍ବରୁ ଖବର ପାଇଥିବା କ୍ରାଇମବ୍ରାଞ୍ଚ ଟିମ୍‌ର ସନ୍ଦେହ ହୋଇଥିଲା । ସେହିପରି ଗୋପାଳର ପୁତୁରା ପ୍ରଦୀପ ଦାସ ଓ ପୁଅ ମନୋଜର ମଧ୍ୟ ବୟାନ ରେକର୍ଡ କରାଯାଇଥିଲା । ସେପଟେ ଅଭିଯୁକ୍ତ ଗୋପାଳର ମୋବାଇଲ ପୁଣି ଥରେ ଯାଞ୍ଚ ହୋଇଥିଲା । ମର୍ଡରର ୬ ମାସ ପୂର୍ବର କଲ୍‌ ଡିଟେଲ ସଂଗ୍ରହ କରାଯାଇଛି । ଏହି ସମୟ ମଧ୍ୟରେ ଗୋପାଳ ସହ କଥା ହୋଇଥିବା କିଛି ବ୍ୟକ୍ତିଙ୍କ ନମ୍ବର ସନ୍ଦେହ ଘେରକୁ ଆସିଛି ।

ଏହି ମାମଲାରେ ପୂର୍ବରୁ ମଧ୍ୟ ଗୋପାଳଙ୍କ ଭାଇ,ପୁତୁରା,ପୁଅ ଓ ପତ୍ନୀଙ୍କ ବୟାନ ରେକର୍ଡ କରାଯାଇଥିଲା ।ତେବେ ହତ୍ୟାକାଣ୍ଡ ପଛରେ ଲୁଚି ରହିଥିବା ଅନେକ ପ୍ରଶ୍ନ ସେତେବେଳେ ଅଣଦେଖା କରାଯାଇଥିବା ଆଶଙ୍କା ହୋଇଥିଲା । ସେଥିପାଇଁ ତଦନ୍ତକାରୀ ଟିମ୍‌ ଏବେ ପୁଣି ବିଭିନ୍ନ ଦିଗକୁ ନେଇ ଆରମ୍ଭ କରିଦେଇଛନ୍ତି ଛାନ୍‌ଭିନ୍‌ । ୨୩ ତାରିଖରୁ ଏବେ ସୁଦ୍ଧା ୧୧ ଜଣଙ୍କୁ ପଚରାଉଚରା କରିବା ସହ ବୟାନ ରେକର୍ଡ କରିସାରିଲେଣି କ୍ରାଇମବ୍ରାଞ୍ଚ ଅଧିକାରୀ । 

ମାର୍ଚ୍ଚ ୧୯ରେ ନବ ଦାସଙ୍କ ପୁରା ପରିବାର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁରୋଧ କରିଥିଲେ । ଲୋକସେବା ଭବନରେ ନବ ଦାସଙ୍କ ପତ୍ନୀ ମୀନତି ଦାସ, ଝିଅ ଦିପାଳି ଓ ପୁଅ ବିଶାଳ ଦାସ ପ୍ରାୟ ଦେଢ ଘଣ୍ଟା ଧରି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ପ୍ରକୃତ ଦୋଷୀକୁ ଧରାଯାଇ ଆଇନ ଅନୁଯାୟୀ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରାଯିବ ବୋଲି ଭରସା ଦେଇଥିଲେ ମୁଖ୍ୟମନ୍ତ୍ରୀ । 

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ୟା ଭିତରେ ୨ ବର୍ଷରୁ ଅଧିକ ହେଲାଣି । ୨୦୨୩ ଜାନୁଆରୀ ୨୯ ତାରିଖରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧି ଛକରେ ଦିନ ପ୍ରାୟ ସାଢେ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳିମାଡ ହୋଇଥିଲା । ପ୍ରଥମେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଏୟାରଲିଫ୍ଟ କରି ଭୁବନେଶ୍ବର ଆପୋଲୋ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଝାରସୁଗୁଡାରେ ହିଁ ନବ ଦାସଙ୍କ  ମୃତ୍ୟୁ ହୋଇୟାଇଥିବା ନେଇ ସଂଗୀନ ଅଭିଯୋଗ ଆଣିଥିଲେ ବିଜେପି ନେତା ଜୟନାରାୟଣ ମିଶ୍ର । 

 

  • Ganjam News
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.