ନୂଆଦିଲ୍ଲୀ ୧୦।୦୬; ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ' ଖୁବ୍ ଲୋକପ୍ରିୟ । ଡିଜିଟାଲ ପ୍ଲାଟ୍ଫର୍ମର ସବୁଠାରୁ ପପୁଲାର ଶୋ ମଧ୍ୟରୁ ଗୋଟିଏ । ଏହି ଶୋ’କୁ ହୋଷ୍ଟ କରନ୍ତି ନିଜେ କପିଲ୍ । ହସେଇ ହସେଇ ଲୋକଙ୍କୁ ବେଦମ କରନ୍ତି ଅଭିନେତା । ଗତ କିଛି ବର୍ଷ ଧରି ଶୋ'ର ଟିରଆପି ସର୍ବଦା ଟପ୍ରେ ।
ଆଗକୁ ବି ଆହୁରି ଦମ୍ଦାର ହେବାକୁ ଯାଉଛି ଶୋ' । କାରଣ ଏଥର ବଡ ପରଦା ନୁହେଁ ଓଟିଟି ପ୍ଲାଟ୍ ଫର୍ମରେ ଆସିବାକୁ ଯାଉଛି ଏହାର ତୃତୀୟ ସିଜିନ୍ । ଆଉ ଖୁସିର କଥା ହେଉଛି ଶୋ' ଜରିଆରେ କମ୍ବ୍ୟାକ୍ କରୁଛନ୍ତି ଶୋ'ରେ ଚାରଚାନ୍ଦ ଲଗାଉଥିବା କ୍ୟାରେକ୍ଟର ନବଜୋତ ସିଂହ ସିଦ୍ଧୁ । ସିଦ୍ଧୁଙ୍କ କମ୍ବ୍ୟାକ୍ ନେଇ କନ୍ଫର୍ମ କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ ଅର୍ଚ୍ଚନା ପୁରନ୍ ସିଂହ କରିବେ କଣ? ଶୋ’ରେ ଆଗକୁ ରହିବେ ନା ନାହିଁ ?
ନେଟଫ୍ଲିକ୍ସ ଇଣ୍ଡିଆ, ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ର ଏକ ପ୍ରୋମୋ ସେୟାର କରିଛି। ଏହି ପ୍ରୋମୋ ଆରମ୍ଭରେ ଅର୍ଚ୍ଚନା ପୁରନ୍ ସିଂହ ଓ କପିଲ୍ ଶର୍ମା ନଜର ଆସିଛନ୍ତି। କପିଲ୍ ତାଙ୍କୁ ଏକ ସରପ୍ରାଇଜ୍ ଦେବାକୁ ଚାହୁଁଛନ୍ତି । ଏଥିପାଇଁ ଅର୍ଚ୍ଚନାଙ୍କ ଆଖିରେ କଳା ପଟି ବନ୍ଧାଯାଇଛି। ଏହି ସମୟରେ ଅର୍ଚ୍ଚନା ପଚାରନ୍ତି ଯେ ଏମାନେ କ'ଣ ମୋତେ ଘର ଦେବେ କି ।
କପିଲ୍ ଉତ୍ତରରେ କୁହନ୍ତି ଯେ ତାଠାରୁ ବଡ଼ କିଛି ଦିଆଯିବ। ତା’ପରେ ଅର୍ଚ୍ଚନା କୁହନ୍ତି, ସେମାନେ ମୋତେ କ'ଣ ବଡ଼ ଗାଡ଼ି ଗିଫ୍ଟ କରିବେ କି ? କପିଲ୍ କୁହନ୍ତି ନା, ତା'ଠୁ ବି ବଡ଼ ପ୍ଲାନ କରାଯାଇଛି। ପରେ ଅର୍ଚ୍ଚନାଙ୍କ ଆଖିରେ ପଟି କାଢ଼ି ଦିଅନ୍ତି କପିଲ୍ । ନବଜୋତ ସିଂହ ସିଦ୍ଧୁଙ୍କ ଏଣ୍ଟ୍ରି ହୁଏ। କୁହାଯାଉଛି ଯେ, ଅର୍ଚ୍ଚନା ପୁରନ୍ ସିଂହ ଓ ନବଜୋତ ସିଂହ ସିଦ୍ଧୁ ଉଭୟ ଶୋ’ରେ ଏକାଠି ଦେଖାଯିବେ । ଦର୍ଶକଙ୍କୁ ଏଣ୍ଟରଟେନ୍ କରିବେ।
ଶୋ’କୁ ଫେରିବା ବିଷୟରେ ନବଜୋତ କହିଛନ୍ତି, "ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’କୁ ଆସି ମୁଁ ପୁଣି ଥରେ ଘରକୁ ଫେରିବା ଭଳି ଅନୁଭବ କରୁଛି। ଏହା ମୋ ପାଇଁ ଏକ ଘର ଭଳି। ମୁଁ ପୁଣି ଏହାର ଅଂଶ ହୋଇଥିବାରୁ ଗୌରବାନ୍ୱିତ ଅନୁଭବ କରୁଛି। ବିତି ଯାଇଥିବା ଦିନ ଏବେ ପୁଣି ଫେରି ଆସିଛି। ମୁଁ ଏଠାକୁ ଆପେ ଆପେ ଆସିନାହିଁ, ମୋତେ ଦର୍ଶକଙ୍କ ଭଲ ପାଇବା ଏଠାକୁ ଟାଣି ନେଇ ଆସିଛି। ଆଶା କରୁଛି ଆଗକୁ ଏହା ସମସ୍ତଙ୍କୁ ଆହୁରି ଭଲ ଲାଗିବ।
ସିଦ୍ଧୁ କେବେ ଠାରୁ ଶୋ’ରୁ ଦୂରେଇ ଅଛନ୍ତି?
ନବଜୋତ ସିଂହ ସିଦ୍ଧୁ ୨୦୧୯ ମସିହାରୁ କପିଲ ଶର୍ମା ଶୋ’ରୁ ଦୂରେଇ ଅଛନ୍ତି। ଏହା ପଛରେ କିଛି ରାଜନୈତିକ ଓ କିଛି ବ୍ୟକ୍ତିଗତ କାରଣ ଥିବା ସେ କହିଥିଲେ। ତଥାପି, ଜଜ୍ର ଚୌକି ଛାଡିବା ପରେ ଅର୍ଚ୍ଚନା ପୁରଣ ସିଂହ ତାଙ୍କ ସ୍ଥାନ ନେଇଥିଲେ। କିନ୍ତୁ ଏଥର ନେଟଫ୍ଲିକ୍ସ ଉଭୟଙ୍କୁ ବିଚାରକ କରିଛି।