ବିବାହ ପରେ ପ୍ରଥମ ଥର ସ୍ୱାମୀଙ୍କୁ ଭେଟିବାକୁ ଲଣ୍ଡନ ଯାଉଥିଲେ ନବ ବିବାହୀତା, ବିମାନ ଦୁର୍ଘଟଣାରେ ଚାଲିଗଲା ଜୀବନ

Published By : Prameya-News7 Bureau | June 12, 2025 IST

ଅହମଦାବାଦ ୧୨।୬: ରାଜସ୍ଥାନ ବାଡମେରା ଜିଲ୍ଲା ବାଲୋତରା ତହସିଲ ଅରାବା ଗାଁର ନବବିବାହୀତା ଖୁସବୁ ରାଜପୁରୋହୀତ ଏୟାର ଇଣ୍ଡିଆ ଫ୍ଲାଇଟ ଏଆଇ-୧୭୧ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଅହମଦାବାଦ ଏୟାରପୋର୍ଟରୁ ଉଡାଣ କରିବାର କିଛି ମିନିଟ୍ ପରେ ବିମାନଟି ଖସିପଡି ଜଳି ଯାଇଛି।  ଖୁସବୁଙ୍କ ସ୍ୱାମୀ ମଁଫୁଲ ସିଂହ ଲଣ୍ଡନରେ ରହି ପାଠ ପଢନ୍ତି। ଗତ ଜାନୁୟାରୀ ମାସରେ ଖୁସବୁଙ୍କ ସହ ତାଙ୍କର ବିବାହ ହୋଇଥିଲା। 

ବିବାହ ପରେ ଖୁସବୁ ପ୍ରଥମ ଥର ତାଙ୍କ ସ୍ୱାମୀଙ୍କୁ ଭେଟିବାକୁ ଲଣ୍ଡନ ଯାଉଥିଲେ। ହେଲେ ଭାଗ୍ୟରେ କିଛି ଅଲଗା ଲେଖାଥିଲା। ଖୁସବୁଙ୍କ ପିତା ମଦନ ସିଂହ ରାଜପୁରୋହୀତ ଝିଅକୁ ଅହମଦାବାଦ ବିମାନବନ୍ଦର ଛାଡିବାକୁ ଯାଇଥିଲେ। ହେଲେ ତାଙ୍କ ଝିଅ ଶାଶୂ ଘର ଦୂରର କଥା ସ୍ୱାମୀଙ୍କ ପାଖକୁ ମଧ୍ୟ ପହଞ୍ଚି ପାରିଲାନି। ଏୟାର ଇଣ୍ଡିଆ ବିମାନ ୭୮୭-୮ ଡ୍ରିମ ଲାଇନର ସିଧା ଲଣ୍ଡନ ଯାଇଥାନ୍ତା। ରାସ୍ତାରେ କେଉଁଠି ଅଟକିବାର ନଥିଲା। ଏଣୁ ବିମାନରେ ୮୦-୯୦ଟନ ଏଭିଏସନ ଫ୍ୟୁଲ ଭରି ରହିଥିଲା। 

ମଧ୍ୟାହ୍ନ ଗୋଟାଏ ୩୮ ମିନିଟରେ ବିମାନ ଉଡାଣ କରିଥିଲା। ତେବେ ମାତ୍ର କିଛି ମିନିଟର ଉଡାଣରେ ବିମାନରେ ବୈଷୟିକ ତ୍ରୁଟି ଉପୁଜିଥିଲା। ବିମାନ ୮୨୫ ଫୁଟ ଉଚ୍ଚତାକୁ ଉଠିବା ପରେ ତଳକୁ ଖସିବାକୁ ଲାଗିଥିଲା। ଏହି ଭୀଷଣ ଦୁର୍ଘଟଣାରେ ରାଜସ୍ଥାନର ୧୧ ଜଣ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ ବ୍ରିଟେନରେ ସେଫ ଚାକିରୀ କରିବାକୁ ଯାଉଥିଲେ। ସେହିପରି ଏହି ଯାତ୍ରାରେ ଜଣେ ମାର୍ବଲ ବ୍ୟବସାୟୀଙ୍କ ପୁଅ ଓ ଝିଅ ମଧ୍ୟ ଯାତ୍ରା କରୁଥିଲେ। ଏହା ଛଡା ଏକ ଡାକ୍ତର ପରିବାର ମଧ୍ୟ ଏହି ଦୁର୍ଘଟଣାରେ ଉଜୁଡି ଯାଇଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.