ନୂଆଦିଲ୍ଲୀ: ବଦଳିବ ଟେଷ୍ଟ କ୍ରିକେଟ୍ର ସ୍ଵରୂପ। ଢାଞ୍ଚାରେ ହେବ ପରିବର୍ତ୍ତନ। ଆହୁରି ଆକର୍ଷଣୀୟ ହେବ କ୍ରିକେଟ୍ର ସବୁଠୁ ଲମ୍ବା ଫର୍ମାଟ୍। ଏ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି)।ଛୋଟ ଛୋଟ ଦେଶକୁ ସୁହାଇବା ଭଳି ଏବଂ କମ ସମୟରେ ଟେଷ୍ଟ ସିରିଜ୍ ଆୟୋଜନ ପାଇଁ ଆଇସିସି ଚାରି ଦିନିଆ ଟେଷ୍ଟ କ୍ରିକେଟକୁ ମଞ୍ଜୁରୀ ଦେବାକୁ କରୁଛି ପ୍ରସ୍ତୁତି। କିନ୍ତୁ ଏଥିରେ ତିନି ଦେଶକୁ ମିଳିବ କୋହଳ।
୨୦୨୭-୨୯ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ(ଡବ୍ଲ୍ୟୁଟିସି) ଚକ୍ରରେ ଦେଖିବାକୁ ମିଳିବ ଟେଷ୍ଟ କ୍ରିକେଟର ନୂଆ ରୂପ। ଏହା ଅନୁଯାୟୀ ପାଞ୍ଚ ଦିନ ବଦଳରେ ଖେଳାଯିବ ଚାରି ଦିନିଆ ଟେଷ୍ଟ ମ୍ୟାଚ୍। ତେବେ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ପରମ୍ପରା ଭାବେ ଚାଲି ଆସିଥିବା ୫ ଦିନିଆ ଟେଷ୍ଟ କ୍ରିକେଟ୍ ଖେଳିବାକୁ ମିଳିବ ଅନୁମତି। ଗୋଟିଏ ଦିନ କମ ହେଲେ ଟେଷ୍ଟ କ୍ରିକେଟ୍ର ରୋମାଞ୍ଚ ଆହୁରି ବଢିବ । ଏହା ସହିତ ଦିନର ଓଭର ସଂଖ୍ୟା ବଢାଯିବ। ଏଥିରେ ଛୋଟ ଛୋଟ ଦେଶକୁ ଅଧିକ ଟେଷ୍ଟ ଏବଂ ଲମ୍ବା ସିରିଜ୍ ଖେଳିବାରେ ବେଶ ସହାୟକ ହେବ ।
Also read: ଦୁର୍ନୀତି ମାମଲାରେ ବାଂଲାଦେଶ କ୍ରିକେଟର ଶାକିବ ଅଲ ହସନଙ୍କ ଉପରେ ଲାଗିଲା ବ୍ୟାନ୍
ଗତ ସପ୍ତାହରେ ଲର୍ଡ୍ସରେ ଡବ୍ଲ୍ୟୁଟିସି ଫାଇନାଲ୍ ସମୟରେ ହୋଇଥିବା ବୈଠକରେ ଆଇସିସି ଅଧ୍ୟକ୍ଷ ଜୟ ଶାହ ୨୦୨୭-୨୯ ଡବ୍ଲ୍ୟୁଟିସିର ଚକ୍ର ପାଇଁ ୪ଦିନିଆ ଟେଷ୍ଟ ମ୍ୟାଚ୍ ପାଇଁ ନିଜର ସମର୍ଥନ ବ୍ୟକ୍ତ କରିଥିଲେ । ଏହି ନିୟମ ପରେ ବି ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଭାରତକୁ ଆସେସ, ବର୍ଡର-ଗାଭାସ୍କର ଟ୍ରଫି ଓ ଆ ଣ୍ଡରସନ-ତେନ୍ଦୁଲକର ଟ୍ରଫି ପାଇଁ ୫ ଦିନିଆ ଟେଷ୍ଟ ସିରିଜ୍ ଖେଳିବାର ଅନୁମତି ରହିବ ।
ଅନେକ ଛୋଟ ଦେଶ ସମୟ ଏବଂ ଅଧିକ ଖର୍ଚ୍ଚ କାରଣରୁ ଟେଷ୍ଟ ମ୍ୟାଚର ଆୟୋଜନ ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଚାରି ଦିନିଆ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେଲେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ତିନି ସପ୍ତାହ ଭିତରେ ଖେଳା ଯାଇ ପାରିବ । ଏହା ସହିତ ଚାରି ଦିନିଆ ଟେଷ୍ଟ କ୍ରିକେଟରେ ପ୍ରତିଦିନ ୯୦ ଓଭର ପରିବର୍ତ୍ତେ ୯୮ ଓଭର ଖେଳାଯିବ । ଏମିତି ହେଲେ ଛୋଟ ଛୋଟ ଦେଶ ଯେପରି ବାଂଲାଦେଶ, ଆଫଗାନିସ୍ତାନ, ଶ୍ରୀଲଙ୍କା, ଜିମ୍ବାଓ୍ଵେ ପରି ଦେଶକୁ ଟେଷ୍ଟ ସିରିଜ୍ ଆୟୋଜନରେ ନୂଆ ଫର୍ମାଟ୍ ବେଶ ସହାୟକ ହେବ।
ଆଇସିସି ପ୍ରଥମ ଥର ୨୦୧୭ରେ ଦ୍ଵିପାକ୍ଷିକ ମୁକାବିଲା ପାଇଁ ୪ ଦିନିଆ ଟେଷ୍ଟ ସିରିଜକୁ ମଞ୍ଜୁରୀ ଦେଇଥିଲା। ହେଲେ ଏହାକୁ ବ୍ୟାପକ ଭାବେ ଲାଗୁ କରାଯାଇ ନ ଥିଲା। ୨୦୧୯ରେ ଇଂଲଣ୍ଡ ଓ ଆୟରଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ପ୍ରଥମ ୪ ଦିନିଆ ଟେଷ୍ଟ ମ୍ୟାଚ୍। ତେବେ ଡବ୍ଲ୍ୟୁଟିସିରେ ଚାଟି ଦିନିଆ ଟେଷ୍ଟ ମ୍ୟାଚ୍ ଖେଳାଗଲେ ଟେଷ୍ଟ ଫର୍ମାଟ୍ରେ ହେବ ଐତିହାସିକ ପରିବର୍ତ୍ତନ।
୨୦୨୫ରୁ ୨୦୨୭ ଚକ୍ର ଆରମ୍ଭ ହେବାକୁ ଯାଉଥିବାରୁ ଏଥିରେ ନୂଆ ନିୟମ ଲାଗୁ ହେବ ନାହିଁ। ନୂଆ ଡବ୍ଲ୍ୟୁଟିସି ଚକ୍ର ୯ଟି ଦେଶ ମଧ୍ୟରେ ମୋଟ୍ ଖେଳାଯିବ ୨୭ ସିରିଜ୍। ଏଥିରେ ୧୭ଟି ସିରିଜରେ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ୬ଟି ସିରିଜ୍ ୩-୩ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଭାରତୀୟ କ୍ରିକେଟ୍ ଦଳ ପରସ୍ପର ବିପକ୍ଷରେ ୫-୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ।
ଟେଷ୍ଟ କ୍ରିକେଟ୍ର ଇତିହାସ ଉପରେ ନଜର ପକାଇଲେ ୧୯୭୦ ମସିହା ପର୍ଯ୍ୟନ୍ତ ଛଅ ଦିନିଆ ଟେଷ୍ଟ ମ୍ୟାଚ୍ ନିୟମିତ ଭାବେ ଖେଳା ଯାଉଥିଲା। ଏହା ପରେ ଆରମ୍ଭ ହେଲା ୫ ଦିନିଆ ଟେଷ୍ଟ ମ୍ୟାଚ୍। ଏବେ ୪ ଦିନିଆ ଟେଷ୍ଟ ମ୍ୟାଚ୍ ପାଇଁ ଆଇସିସି ଆରମ୍ଭ କରିଛି ଅଭିନବ ପ୍ରୟାସ।