ଆନ୍ଦୋଳନ ସ୍ଥଗିତ ରଖିଲା ରାଜସ୍ବ ଅମଲା ସଂଘ, ସରକାରଙ୍କ ପ୍ରତିଶ୍ରୁତି ପରେ ଏଭଳି ନିଷ୍ପତ୍ତି

Published By : Prameya-News7 Bureau | August 26, 2025 IST

ଭୁବନେଶ୍ବର ୨୬।୮: ରାଜସ୍ବ ଅମଲା ସଂଘର ଆନ୍ଦୋଳନ ସ୍ଥଗିତ । କାର୍ଯ୍ୟକାରିଣୀ ବୈଠକ ପରେ ଏଭଳି ନିଷ୍ପତ୍ତି ନେଇଛି ସଂଘ । ଦୀର୍ଘ ୧୫ ଦିନ ପରେ ରାଜସ୍ବ ଅମଲା ସଂଘ ଆନ୍ଦୋଳନରୁ ଓହରିଛନ୍ତି । ଆନ୍ଦୋଳନ ସ୍ଥଗିତ ନେଇ ଅମଲା ସଂଘ ସଭାପତି ତ୍ରିପତି ବାଲାଜୀ ସାହୁ ସୂଚନା ଦେଇଛନ୍ତି । ତେବେ ସରକାରଙ୍କ ପ୍ରତିଶ୍ରୁତି ପରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅମଲା ସଂଘ ଆନ୍ଦୋଳନ ସ୍ଥଗିତ ରଖିଥିବା ଜଣାପଡିଛି । ବନ୍ୟା ସ୍ଥିତି ଓ ପୂଜା ପାର୍ବଣକୁ ଦୃଷ୍ଟିରେ ରଖି ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି । 

ସଂଘ ସଭାପତି କହିଛନ୍ତି, ବନ୍ୟା ସ୍ଥିତିରେ ଯେମିତି ଲୋକ ଅସୁବିଧାର ସମ୍ମୁଖୀନ ନହେବେ ତେଣୁ ସରକାରଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନେଇଛୁ । ସରକାର ଆମର କିଛି ଦାବି ମାନିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି । ତେବେ ମଙ୍ଗଳବାର କାର୍ଯ୍ୟରେ ଯୋଗଦେବେ ଅମଲା କର୍ମଚାରୀ ।

ସୂଚନାଯୋଗ୍ୟ ଯେ, ଦୀର୍ଘ ୧୫ ଦିନ ହେଲେ ରାଜସ୍ୱ ଅମଲା କର୍ମଚାରୀ ଆନ୍ଦୋଳନରେ ବସିଥିଲେ ।  ଫଳ ସ୍ବରୂପ ରାଜସ୍ବ କାର୍ଯ୍ୟାଳୟରେ କାମ ଠପ୍‌ ହୋଇ ରହିଥିଲା । ରାଜସ୍ୱ କାର୍ଯ୍ୟାଳୟରେ ଅଚଳାବସ୍ଥା ଜାରି ରହିଥିଲା । ବାରମ୍ବାର ଅନୁରୋଧ  ପରେ ନାଲି ଆଖି ଦେଖାଇଥିଲେ  ସରକାର । ସୋମବାର ପର୍ଯ୍ୟନ୍ତ ଅଲ୍‌ଟିମେଟମ୍ ଦେଇଥିଲେ ରାଜସ୍ବ ମନ୍ତ୍ରୀ । କାମ ଛାଡ଼ି ଆନ୍ଦୋଳନରେ ମାତିଥିବା ରାଜସ୍ୱ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳଙ୍କୁ ତାଗିଦ କରାଯାଇଥିଲା । ଏ ନେଇ ସୋମବାର ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ଚିଠି କରାଯାଇଥିଲା । ଜିଦ୍ ଛାଡ଼ି ରାଜସ୍ୱ କର୍ମଚାରୀ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଥିଲା ।

ତେବେ ଦରମା ବୃଦ୍ଧି ଓ କ୍ୟାଡର ପୁନର୍ଗଠନ ଭଳି ୧୦ ଦଫା ଦାବିରେ ଧାରଣା ଦେଇଥିଲା ରାଜସ୍ବ ଅମଲା ସଂଘ । ଏହାର ସମାଧାନ ପାଇଁ ସରକାରଙ୍କ ସହ ସଂଘର ବାରମ୍ୱାର ବୈଠକ ବସୁଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରି ପାରୁନଥିଲା । ଏମିତିକି ଆନ୍ଦୋଳନରୁ ଓହରି ଯିବାକୁ ସରକାରଙ୍କ ତରଫରୁ ଚାପ ପଡୁଥିଲା । ରାଜ୍ୟ ସରକାରଙ୍କ ସହ ଅମଲା ସଂଘର ଆଲୋଚନା ପରେ ଶେଷରେ ସମାଧାନ ବାଟ ବାହାରିଛି । ରାଜସ୍ବ କର୍ମଚାରୀଙ୍କ ଦାବି ପୂରଣ କରିବାକୁ ସରକାରଙ୍କ ପ୍ରତିଶ୍ରୁତି ପରେ ଜିଦ୍ ଛାଡ଼ି ୧୫ ଦିନ ପ‌ରେ କାର୍ଯ୍ୟରେ ଯୋଗଦେବାକୁ ସଂଘ ନିଷ୍ପତ୍ତି ନେଇଛି ।

You Can Read:

ବିପଦ ସଙ୍କେତ ତଳେ ବୈତରଣୀ, ଆଜି ବି କିଛି ଅଞ୍ଚଳରେ ସ୍କୁଲ ଓ ଅଙ୍ଗନଓ୍ୱାଡି ଛୁଟି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.