ନୂଆଦିଲ୍ଲୀ: ଏବେ ସହଜରେ ଅନ୍ତର୍ଜାତୀୟ ବଜାରକୁ ସିଧାସଳଖ ଫଳ ଓ ପନି ପରିବା ରପ୍ତାନୀ କରୁଛି ଭାରତ। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଦୁଇ ମାସରେ ଓଡ଼ିଶା ଦୁବାଇ, ଲଣ୍ଡନ, ବର୍ମିଂହାମ, ରୋମ, ଭେନିସ୍, ଡବଲିନ୍, ଫ୍ରାନ୍ସ ଏବଂ ବେଲଜିୟମ ଭଳି ପ୍ରମୁଖ ଅନ୍ତର୍ଜାତୀୟ ବଜାରକୁ ମୋଟ ୪୧.୩୫ ଟନ୍ ଫଳ ଏବଂ ପନିପରିବା ରପ୍ତାନି କରିଛି। ମୋଟ ରପ୍ତାନି ମଧ୍ୟରେ ସିଂହ ଭାଗ ୩୦.୫୩ ଟନ୍ କେବଳ ଆମ୍ବ ରହିଛି। ବିଶେଷକରି ଆମ୍ରପଲ୍ଲୀ ଏବଂ ଦଶହରୀ ଭଳି ଉନ୍ନତ କିସମ ଆମ୍ବ ରପ୍ତାନୀ କରିଛି ଓଡ଼ିଶା।
ଏହି ସପ୍ତାହରେ କେବଳ ୬.୭ ଟନ୍ ଆମ୍ବ ରପ୍ତାନି ହୋଇଛି। ଗୋଲ୍ଡେନ୍ ଆଗ୍ରୋ ଫାର୍ମର୍ ପ୍ରଡ୍ୟୁସର୍ କମ୍ପାନୀ ଲିମିଟେଡ୍ (FPCL) ଫ୍ରାନ୍ସକୁ ପ୍ରଥମ ଥର ପାଇଁ ଆମ୍ବ ପଠାଇଥିବା ବେଳେ ସପ୍ତସଜ୍ୟ FPCL ବେଲଜିୟମକୁ ଆମ୍ବ ପଠାଇଛି। ମିଡିଆ ରିପୋର୍ଟ ଅନୁସାରେ, ଏହି ସଫଳତାଗୁଡ଼ିକ ଓଡ଼ିଶାର କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ (DA&FE)ର ନେତୃତ୍ୱରେ ସମ୍ଭବ ହୋଇପାରିଛି। ଯେଉଁଥିରେ ପାଲାଡିୟମ୍ ଇଣ୍ଡିଆ ଗେଟ୍ସ ଫାଉଣ୍ଡେସନ ସମର୍ଥିତ PSFPO (କୃଷକ ଉତ୍ପାଦକ ସଂଗଠନର ପ୍ରୋତ୍ସାହନ ଏବଂ ସ୍ଥିରୀକରଣ) ପ୍ରକଳ୍ପ ଅଧୀନରେ ମାର୍କେଟିଂ ପାଇଁ ବୈଷୟିକ ସହାୟତା ୟୁନିଟ୍ ଭାବରେ କାର୍ଯ୍ୟ କରିଛି।
ରପ୍ତାନିରେ ବୃଦ୍ଧି ହେବା କେବଳ ଯେ ବଜାର ବିବିଧତା ସୃଷ୍ଟି କରିଛି ତାହା ନୁହେଁ, ଏହା ଚାଷୀଙ୍କ ପାଇଁ ଉଚିତ ମୂଲ୍ୟ ପ୍ରାପ୍ତି ମାତ୍ରାରେ ୬୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି ବୋଲି ଦ ହିନ୍ଦୁ ବିଜନେଶ ଲାଇନ୍ରେ ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟକୁ ଏକ ପ୍ରମୁଖ କୃଷି-ରପ୍ତାନି କେନ୍ଦ୍ର ଭାବରେ ସ୍ଥାପନ କରିବାକୁ ପାଇଁ ଓଡ଼ିଶା ସରକାରଙ୍କର ଉଦ୍ୟମ ଏଥିରେ ପ୍ରତିଫଳିତ ହୋଇଛି।
ପଢନ୍ତୁ- ମୌସୁମୀ ପୂର୍ବରୁ ଚାଷୀଙ୍କୁ ଉପହାର, ବଢ଼ିଲା ୧୪ ଖରିଫ୍ ଫସଲର ଏମଏସପି
ଗୋଲ୍ଡେନ୍ ଆଗ୍ରୋ ଏଫପିସିଏଲର ଚାଷୀ ସଦସ୍ୟ ରାଧାମାଧବ ରଥ କହିଛନ୍ତି “ଆମେ କେବେ କଳ୍ପନା କରି ନଥିଲୁ ଯେ ଆମର ଆମ୍ବ ଫ୍ରାନ୍ସରେ ପହଞ୍ଚିବ। ଏହି ସୁଯୋଗ ଆମକୁ ଭଲ ରୋଜଗାର ଦେଇଥିବା ବେଳେ ଆମ ପାଇଁ ଗର୍ବ ଆଣିଛି। ଏହି ଯାତ୍ରାରେ ଆମକୁ ମାର୍ଗଦର୍ଶନ କରିବା ପାଇଁ ଆମେ DA&FE ଏବଂ ପାଲାଡିୟମ୍କୁ ଧନ୍ୟବାଦ ଦେଉଛୁ।” ସେହିପରି PSFPOର ପ୍ରୋଜେକ୍ଟ ଟିମ୍ ଲିଡର ଏବଂ ପାଲାଡିୟମ୍ର ସହଯୋଗୀ ନିର୍ଦ୍ଦେଶକ ବିଶ୍ୱଜିତ୍ ବେହେରା କହିଛନ୍ତି ଯେ ଫ୍ରାନ୍ସ ଏବଂ ବେଲଜିୟମ ଭଳି ନୂଆ ସ୍ଥାନକୁ ହେଉଥିବା ସଫଳ ଆମ୍ବ ରପ୍ତାନି ଏବଂ ନୂଆ ସାମଗ୍ରୀର ପଠାଇବାରେ ଓଡ଼ିଶାର ଚାଷୀ ଏବଂ ଏଫ୍ପିଓ ପାଇଁ ବିଶ୍ୱ ବଜାର ସମନ୍ୱୟ ଦିଗରେ ପ୍ରମୁଖ ପଦକ୍ଷେପ ହୋଇଛି।
ସେ କହିଛନ୍ତି “ଆମର ବଜାର ବ୍ୟବସ୍ଥା ବିକାଶ ପଦ୍ଧତି ମାଧ୍ୟମରେ, ଆମେ କ୍ଷୁଦ୍ର ଚାଷୀଙ୍କ ବଜାର ପ୍ରତିକ୍ରିୟାଶୀଳତାକୁ ବୃଦ୍ଧି କରିବା ଏବଂ ସ୍ଥାନୀୟ ଯୋଗାଣ ଶୃଙ୍ଖଳାକୁ ବିଶ୍ୱ ଚାହିଦା ସହିତ ଯୋଡ଼ିବା ଦିଗରେ ବିଭାଗ ସହିତ ମିଶି ଅତି ନିକଟରୁ କାର୍ଯ୍ୟ କରୁଛୁ। ଆମର ଦୃଷ୍ଟିକୋଣ ସ୍ପଷ୍ଟ। ବ୍ୟବସାୟିକ ସଂସ୍ଥା ଭାବରେ FPO ଗୁଡ଼ିକୁ ସୁଦୃଢ଼ କରିବା, ରପ୍ତାନି ସୁଯୋଗକୁ ବିସ୍ତାର କରିବା, ଏବଂ ସାରା ଓଡ଼ିଶାରେ କ୍ଷୁଦ୍ର ଚାଷୀଙ୍କ ଆୟ ଏବଂ ସ୍ଥିରତା ବୃଦ୍ଧି କରିବାରେ ସାହାଯ୍ୟ କରିବା ହେଉଛି ଆମ ଲକ୍ଷ୍ୟ।”