ନୂଆଦିଲ୍ଲୀ: ଆରସିବିର ବିଜୟ ସମାରୋହ ବେଳେ ହୋଇଥିବା ଦଳାଚକଟାକୁ ନେଇ ବିସିସିଆଇର ବୟାନ ସାମନାକୁ ଆସିଛି । ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଦଳାଚକଟାରେ ୪ ଜଣଙ୍କ ମୃତ୍ୟୁକୁ ବିସିସିଆଇ ସଚିବ ଦେବଜିତ୍ ସାଇକିଆ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି । ବିସିସିଆଇ ସଚିବ କହିଛନ୍ତି ଯେ ବିଜୟ ଉତ୍ସବ ପାଇଁ ସଠିକ୍ ଯୋଜନା କରାଯିବାର ଥିଲା । ଆରସିବି ୧୮ ବର୍ଷର ଅପେକ୍ଷା ପରେ ପ୍ରଥମ ଆଇପିଏଲ୍ ଟ୍ରଫି ଜିତିଥିଲା । ଏହି ଖୁସିରେ ବେଙ୍ଗାଲୁରୁ ଆୟୋଜିତ କାର୍ଯ୍ୟକ୍ରମ ଦୁଃଖରେ ବଦଳି ଯାଇଛି । ଷ୍ଟାଡିୟମ୍ ବାହାରେ ଲକ୍ଷାଧିକ ପ୍ରଶଂସକଙ୍କ ଭିଡ଼ ଜମିଥିଲା, ଯାହାକୁ ନିୟନ୍ତ୍ରଣ କରିବାରେ ପୋଲିସ ପ୍ରଶାସନ ବିଫଳ ହୋଇଥିଲା ।
ସାଇକିଆ କହିଛନ୍ତି, 'ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଏହା ଲୋକପ୍ରିୟତାର ନକାରାତ୍ମକ ଦିଗ ଅଟେ । ଲୋକେ ନିଜ କ୍ରିକେଟରଙ୍କ ପାଇଁ ପାଗଳ ଅଛନ୍ତି । ଆୟୋଜକ ସବୁକୁ ଦୃଷ୍ଟି ରଖି ଯୋଜନା କରିବାର ଥିଲା । ମୃତକଙ୍କ ପରିବାର ପ୍ରତି ମୋର ସମବେଦନା ରହିଛି । ମୁଁ ଆହତଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରୁଛି ।'
ସେ କହିଛନ୍ତି, 'ଏହି ପରି ବିଜୟ ଉତ୍ସବ ଆୟୋଜନ ଲାଗି ପର୍ଯ୍ୟାପ୍ତ ପରିମାଣରେ ବନ୍ଦୋବସ୍ତ କରାଯିବାର ଥିଲା । ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନରେ ରଖାଯିବାର ଥିଲା । ଆଇପିଏଲର ଭବ୍ୟ ଆୟୋଜନ ପରେ ଏହି ଘଟଣା ଆୟୋଜନର ମଜା ବିଗାଡ଼ି ଦେଲା । ପୂର୍ବରୁ ବି ଆଇପିଏଲ୍ ବିଜୟକୁ ଧୁମଧାମରେ ମନାଯାଇଛି । ଗତ ବର୍ଷ କୋଲକାତାରେ କେକେଆର ପକ୍ଷରୁ ବିଜୟ ଉତ୍ସବ ଆୟୋଜନ କରାଯାଇଥିଲା, ସେଠାରେ କିନ୍ତୁ ଏଭଳି କିଛି ଘଟିନଥିଲା ।'
ଗତ ବର୍ଷ ଭାରତ ଟି-୨୦ ବିଶ୍ୱକପ୍ ଜିତିବା ପରେ ମୁମ୍ୱାଇରେ ଆୟୋଜିତ ପରେଡରେ ବି ସେ ଉଦାହରଣ ଦେଇଛନ୍ତି । ସେ କହିଛନ୍ତି, 'ଯେତେବେଳେ ଆମ ଟି-୨୦ ବିଶ୍ୱକପ୍ ଜିତି ଫେରିଲୁ, ମୁମ୍ୱାଇରେ ଲୋକଙ୍କ ଭିଡ଼ ଜମିଥିଲା, କିନ୍ତୁ ଏପରି କିଛି ହୋଇନଥିଲା । ପୋଲିସ ଓ ସ୍ଥାନୀୟ ପ୍ରଶାସନ ମିଶି ଆୟୋଜନକୁ ସୁଚାରୁ ରୂପେ କରିଥିଲେ । ଅଧିକ ଖରାପ କିଛି ଘଟୁ ।' ସେ ଆହୁରି କହିଛନ୍ତି, 'ଗତକାଲି ଆଇପିଏଲ୍ ଫାଇନାଲ୍ ପାଇଁ ଅହମଦାବାଦ ଷ୍ଟାଡିୟମରେ ୧୨୦୦୦୦ ଦର୍ଶକ ଥିଲେ କିନ୍ତୁ ବିସିସିଆଇ ଟିମ୍ ସ୍ଥାନୀୟ ଜିଲ୍ଲା ପ୍ରଶାସନ ଓ ପୋଲିସ ସହ ମିଶି ଦର୍ଶକଙ୍କ ସୁରକ୍ଷା ସୁନିଶ୍ଚିତ କରିଥିଲେ ।