ଓଟିଇଟି କେଳେଙ୍କାରୀ ଗୁମର ଖୋଲିଲେ ଦୁଇ ଅଭିଯୁକ୍ତ, ପେନ୍‌ଡ୍ରାଇଭରେ କଟକରୁ ନୟାଗଡ଼କୁ ନେଇଥିଲେ ପ୍ରଶ୍ନପତ୍ର

Published By : Prameya-News7 Bureau | August 13, 2025 IST

କଟକ ୧୩।୮: ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଗୁମର ଖୋଲିଲା । ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ଶିକ୍ଷକ ନେତା ବିଜୟ ମିଶ୍ର ଦୋଷ ସ୍ବୀକାର କରିଛନ୍ତି । ରିମାଣ୍ଡ ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓଗାଳିଛନ୍ତି ଦୁଇ ଅଭିଯୁକ୍ତ । ଡ୍ରାଇଭର ଜରିଆରେ କଟକରୁ ନୟାଗଡ଼କୁ ପେନ୍‌ଡ୍ରାଇଭରେ ପ୍ରଶ୍ନପତ୍ର ନେଇଥିଲେ । ସେଠାରେ ବିଜୟ ମିଶ୍ରଙ୍କ ଭାଇକୁ ଦିଆଯାଇଥିଲା ପେନ୍‌ଡ୍ରାଇଭ ସହ ହାର୍ଡକପି । ପରେ ଏହା ରାୟଗଡ଼ା ଅମ୍ବାଦଳାକୁ ନେଇ ପ୍ରଶ୍ନପତ୍ର ହାତରେ ଲେଖାଯାଇଥିଲା । କିପରି ପ୍ରଘଟ ଜଣା ନ ପଡ଼ିବ ଏଥିପାଇଁ ହାତରେ ଲେଖିଥିଲେ ପ୍ରଶ୍ନପତ୍ର । ବିଜୟ ମିଶ୍ରଙ୍କ ଡ୍ରାଇଭର ସହ ତାଙ୍କ ଭାଇକୁ ମଧ୍ୟ ପଚରାଉଚରା ଜାରି ରହିଛି । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ମିଳିଥିବା ନେଇ ମଧ୍ୟ ସୂଚନା ମିଳିଛି । ତେବେ ରିମାଣ୍ଡରେ ବହୁ ତଥ୍ୟ ଓଗାଳିଛନ୍ତି ଗିରଫ ଦୁଇ ଅଭିଯୁକ୍ତ ଜିତେନ ମହାରଣା ଓ ବିଜୟ ମିଶ୍ର । ଦୁଇ ଦିନିଆ ରିମାଣ୍ଡରେ ପ୍ରଶ୍ନପତ୍ର ଲିକ୍ ନେଇ ଜେରା ସମୟରେ ଅଭିଯୁକ୍ତ ଖୋଲିଛନ୍ତି ଗୁମର । ଏଥିସହ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି ବହୁ ପ୍ରମାଣ । 

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ୮ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆହୁରି ବହୁ ବ୍ୟକ୍ତିଙ୍କ ତଥ୍ୟ ଦେଇଛନ୍ତି ଅଭିଯୁକ୍ତ । କେବଳ ଗିରଫ ୮ ଜଣ ନୁହେଁ ବରଂ ଆହୁରି ବୋର୍ଡ ବହୁ ଅଧିକାରୀଙ୍କ ସହ ବିଭିନ୍ନ ଜିଲ୍ଲାକୁ ଲମ୍ବିଛି ଏହି ସିଣ୍ଡିକେଟ୍‌ର ଚେର । ଯାହାର ଟିକି ନିଖି ତଥ୍ୟ ଦେଇଛନ୍ତି ଦୁଇ ଅଭିଯୁକ୍ତ । କେବଳ ସେତିକି ନୁହେଁ କିଭଳି ହେଉଥିଲା ଲିକ୍ କିଏ ନେଉଥିଲା କେଉଁ ଦାୟିତ୍ଵ ଆଉ କେତେ ଟଙ୍କାରେ କାହା ସହ ହେବ ଡିଲ୍ ସେନେଇ ହଉଥିଲା ଏକ ଯୋଜନାବଦ୍ଧ ସ୍କେଚ୍ । ଆଉ ବୋର୍ଡର ବହୁ ଅଧିକାରୀଙ୍କ ଇଙ୍ଗିତରେ ହେଇଥିଲା ଏହିଭଳି ପ୍ରଶ୍ନପତ୍ର ଲିକ୍ । ତେବେ ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ହୋଇଥିବା ଲିକ୍ ଘଟଣାରେ ମଧ୍ୟ କ୍ରାଇମବ୍ରାଞ୍ଚକୁ ଜବରଦସ୍ତ ସୁରାକ ଦେଇଛନ୍ତି ।

ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ବୋର୍ଡ ଉପସଭାପତି ନିହାର ମହାନ୍ତିଙ୍କ ସହ ମୋଟ୍ ୮ ଜଣଙ୍କୁ ଗିରଫ କରି ଜେଲ୍ ପଠାଇଥିଲା କ୍ରାଇମବ୍ରାଞ୍ଚ । ତେବେ ଏହି ଘଟଣାରେ ଅଧିକ ତଥ୍ୟ ସହ ଟଙ୍କା କାରବାରର ତଥ୍ୟ ପାଇଁ ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ୧୧ ଓ ୧୨ ତାରିଖ ପାଇଁ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ମାରାଥନ ଜେରା କରିଥିଲା କ୍ରାଇମବ୍ରାଞ୍ଚ । ତେବେ ଏହି ଦୁଇ ଜଣଙ୍କ ତଥ୍ୟ ଆଧାରରେ ଆଗକୁ ବଢିବ କ୍ରାଇମବ୍ରାଞ୍ଚର ତଦନ୍ତ । ରିମାଣ୍ଡ ଅବଧି ଶେଷ ପରେ କ୍ରାଇମବ୍ରାଞ୍ଚ ଦୁଇ ଅଭିଯୁକ୍ତ ଜିତେନ ମହାରଣା ଓ ବିଜୟ ମିଶ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଜେଏମଏଫସି ୩ କୋର୍ଟରେ ହାଜର କରାଇଥିଲା କ୍ରାଇମବ୍ରାଞ୍ଚ ଟିମ୍ ଆଗକୁ କ୍ରାଇମବ୍ରାଞ୍ଚର ନିଷ୍ପତ୍ତି ଅନୁସାରେ ଆଉ ଅନ୍ୟ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନ ହୋଇପାରେ ବୋଲି ସରକାରୀ ଓକିଲ କହିଛନ୍ତି ।

You Can Read:

ଅମଲା ସଙ୍ଘକୁ ଚେତାବନୀ : ଆନ୍ଦୋଳନରୁ ନ ଓହରିଲେ ଆବଶ୍ୟକୀୟ ପଦକ୍ଷେପ ନେବେ ସରକାର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.