ହିନ୍ଦୁ ଯୁବକଙ୍କୁ ବଡି ଗାର୍ଡ ଲଗାଇ ନିର୍ଦ୍ଧୁ ପିଟିଲେ ପାକିସ୍ତାନ ମିଡିଆ ହାଉସ୍ ମାଲିକ, ଭିଡିଓ ଭାଇରାଲ୍ ପରେ ଗିରଫ

Published By : Prameya-News7 Bureau | June 04, 2025 IST

indiatoday

ନୂଆଦିଲ୍ଲୀ: ଅସିମ ମୁନୀରଙ୍କ ପରି ଅଫିସର ହୁଅନ୍ତୁ କିମ୍ବା କୌଣସି ନେତା  ପାକିସ୍ତାନବାସୀଙ୍କର ଚିନ୍ତାଧାରା କେତେ ଯେ ଛୋଟ ଏହା ତାଙ୍କ କଥା ଓ କାମରେ ବାରି ହୋଇପଡ଼େ। କରାଚୀର ବିଶିଷ୍ଟ ଗଣମାଧ୍ୟମ ଉଦ୍ୟୋଗୀ ସଲମାନ ଫାରୁକ ତାର ପରିଚୟ ଦେଇଛନ୍ତି। ଜଣେ ବିଶିଷ୍ଟ ବ୍ୟକ୍ତି ହୋଇ ମଧ୍ୟ ଏମିତି କାମ କରିଛନ୍ତି ଖୋଦ୍ ପାକିସ୍ତାନ ଜନତା ତାଙ୍କ ମୁହଁରେ ଛେପ ପକାଇଛି। 

ସଲମାନ ଫାରୁକଙ୍କ ଗାଡ଼ିରେ ଜଣେ ହିନ୍ଦୁ ଯୁବକର ବାଇକ୍ ସାମାନ୍ୟ ଘସି ହେଇଯିବାରୁ ଫାରୁକ ଓ ତାଙ୍କ ବଡିଗାର୍ଡ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବରେ ମାଡ଼ କରିଛନ୍ତି। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଫାରୁକଙ୍କୁ ଗିରଫ କରାଯାଇଛି। 

ଭିଡିଓରେ ଯୁବକଙ୍କ ଭଉଣୀ କଳ୍ପନା ଫାରୁକଙ୍କ ହାତଗୋଡ଼ ଧରି କ୍ଷମା ମାଗୁଛନ୍ତି। ହେଲେ ତଥାପି ଫାରୁକ ଯୁବକଙ୍କ ଗୋଟିଏ ହାତ ଧରି ବଡିଗାର୍ଡକୁ ଲଗାଇ ନିର୍ଦ୍ଧୁମ ପିଟୁଥିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ପରେ ବ୍ୟାପକ ଉତ୍ତେଜନା ଦେଖା ଦେଇଥିଲା। ଏଥିରେ ଫାରୁକଙ୍କ ଗିରଫ ଦାବି ଜୋର୍ ଧରିଥିଲା। ପବ୍ଲିକ୍ ଚାପରେ ପୁଲିସ ଫାରୁକ ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରି ଥାନାରେ ବନ୍ଦ କରିଛି। 

ଫାରୁକଙ୍କ ଗିରଫ ହେବା ପରେ ମାଡ଼ ଖାଇଥିବା ହିନ୍ଦୁ ଯୁବକ ଓ ତାଙ୍କ ଭଉଣୀ ଘରୁ ଫେରାର୍ ହୋଇଯାଇଛନ୍ତି। ତାଙ୍କ ଘରେ ତାଲା ପଡ଼ିଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ତାଙ୍କୁ ଧମକ ମିଳିବା ପରେ ଭାଇ ଭଉଣୀ ଘର ଛାଡ଼ି ପଳାଇ ଯାଇଛନ୍ତି। ପୁଲିସ ବୟାନ ରେକର୍ଡ଼ କରିବାକୁ ଫୋନ୍ ଯୋଗ କଣ୍ଟାକ୍ଟ କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। 

ଏଫଆଇଆର ଅନୁଯାୟୀ, ରବିବାର କରାଚୀର ଡିଫେନ୍ସ ସୋସିଆଇଟିରେ ଘଟଣା ଘଟିଥିଲା। ପୀଡ଼ିତ ହେଲେ ସୁଧୀର ଧୁନ ରାଜ। ସୁଧୀର  ବ୍ୟୁଟି ପାର୍ଲରରେ କାମ କରୁଥିବା ତାଙ୍କ ଭଉଣୀ କଳ୍ପନାଙ୍କୁ ଗାଡ଼ିରେ ବସାଇବା ପରେ ତାଙ୍କ ସାନ ଭାଇକୁ ଆଣିବାକୁ ଯାଉଥିଲେ। ଏହି ସମୟରେ ତାଙ୍କ ମୋଟରସାଇକେଲ ଫାରୁକଙ୍କ କାର ଉପରେ ସାମାନ୍ୟ ବାଜି ଯାଇଥିଲା। ଘଟଣାରେ ତାଙ୍କ ଭଉଣୀ କଳ୍ପନା ଦୟା ଭିକ୍ଷା ମାଗିବା ପରେ ମଧ୍ୟ ଫାରୁକ ଏବଂ ତାଙ୍କ ସଶସ୍ତ୍ର ବଡ଼ାଗାର୍ଡମାନେ ତାଙ୍କୁ ନିର୍ମମ ଭାବରେ ମାଡ଼ ମାରିଥିଲେ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ବାୟୋନିକ୍ ଫିଲ୍ମସର ମାଲିକ ଫାରୁକଙ୍କୁ ସୁଧୀରଙ୍କ ହାତ ଧରିଥିବାର ଦେଖିବାକୁ ମିଳିଥିଲା। ଗାଡ଼ି ଭିତରେ ବସିଥିବା ତାଙ୍କ ସୁରକ୍ଷାକର୍ମୀମାନେ ତାଙ୍କୁ ବାରମ୍ବାର ଚାପୁଡ଼ା ମାରୁଥିଲେ। ଭାଇକୁ ନ ମାରିବାକୁ କଳ୍ପନା ବାରମ୍ବାର ହାତଗୋଡ଼ ଯୋଡ଼ି କ୍ଷମା ମାଗିଥିଲେ।  ଘଟଣାରେ ପ୍ରବଳ ଚାପ ପଡ଼ିବାରୁ ପୁଲିସ ଫାରୁକୀ ଓ ତାର ବଡିଗାର୍ଡଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ କରିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.