ଗୋଆ-ଦିଲ୍ଲୀ ବିମାନରେ ଯାତ୍ରୀଙ୍କ ଉନ୍ମୁକ୍ତ କାଣ୍ଡ, ଏୟାର ଇଣ୍ଡିଆ ବିମାନ କର୍ମଚାରୀଙ୍କୁ ପିଟିଲେ

Published By : Prameya-News7 Bureau | May 30, 2023 IST

ନୂଆଦିଲ୍ଲୀ: ଗତି କିଛି ମାସ ମଧ୍ୟରେ ବିମାନରେ ଯାତ୍ରୀଙ୍କ ଦୁର୍ବ୍ୟବହାର ଅନେକ ଘଟଣା ସାମନାକୁ ଆସିଛି । ଏପରି ଏକ ମାମଲା ଏୟାର ଇଣ୍ଡିଆର ଗୋଆ-ଦିଲ୍ଲୀ ଫ୍ଲାଇଟରେ ଦେଖିବାକୁ ମିଳିଛି । ଗୋଆରୁ ଏୟାର ଇଣ୍ଡିଆରେ ଯାତ୍ରା କରୁଥିବା ଜଣେ ପୁରୁଷ ଯାତ୍ରୀ ସୋମବାର ବିମାନ କର୍ମଚାରୀଙ୍କ ସହ ମାରପିଟ୍ କରିଥିଲେ । ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ ପରେ ଯାତ୍ରୀଙ୍କୁ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା । ବିମାନ କମ୍ପାନି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗୋଆରୁ ଦିଲ୍ଲୀ ଉଡାଣ ଭରିଥିବା ବିମାନ ସଂଖ୍ୟା AI882ରେ ଏହି ଘଟଣା ଘଟିଛି ।

ଏୟାର ଇଣ୍ଡିଆ ମୁଖପାତ୍ର ମଙ୍ଗଳବାର ଏକ ବୟାନରେ କହିଛନ୍ତି, 'ଯାତ୍ରୀ ଜଣଙ୍କ ବିମାନ ଚାଳକ ଦଳର ସଦସ୍ୟଙ୍କୁ ଅପଶବ୍ଦ କହିଥିଲେ ଏବଂ ପରେ ମାରପିଟ୍ କରିଥିଲେ । ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ ପରେ ବି ଯାତ୍ରୀ ଜଣଙ୍କ ଅକାରଣେ ଉଗ୍ର ବ୍ୟବହାର ଜାରି ରଖିଥିଲେ ଏବଂ ତାଙ୍କୁ ସୁରକ୍ଷାକର୍ମୀ ନିଜ ହେପାଜତକୁ ନେଇଥିଲେ । ଡିଜିସିଏକୁ ଏବାବଦରେ ସୂଚନା ଦିଆଯାଇଛି' । ତେବେ ଘଟଣା ବିଷୟରେ ଅଧିକ ସୂଚନା ମିଳିପାରି ନାହିଁ ।

କମ୍ପାନିର ମୁଖପାତ୍ର କହିଛନ୍ତି, 'ଆମ ଚାଳକ ଦଳ ଏବଂ ଯାତ୍ରୀଙ୍କ ସୁରକ୍ଷା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏବଂ ଯାତ୍ରୀଙ୍କ ଏଭଳି ବ୍ୟବହାରକୁ ଆମେ ନିନ୍ଦା କରୁଛୁ । ଚାଳକ ଦଳର ପୀଡିତ ସଦସ୍ୟଙ୍କୁ ଆମେ ସବୁ ସମ୍ଭବ ସହାୟତା ପ୍ରଦାନ କରିବୁ' ।

ଉଲ୍ଲେଖଯୋଗ୍ୟ ଯେ ଯାତ୍ରୀଙ୍କ ଏପରି ବ୍ୟବହାରକୁ ତିନି ସ୍ତରରେ ବର୍ଗୀକୃତ କରାଯାଇଛି । ଶାରୀରିକ ଇଙ୍ଗିତ, ମୌଖିକ ଉତ୍ପୀଡନ ଏବଂ ମଦ ନିଶାରେ ଦୁର୍ବ୍ୟବହାରକୁ ସ୍ତର ୧ରେ ରଖାଯାଇଛି । ଅନ୍ୟପଟେ ଶାରୀରିକ ରୂପେ ଅପମାନଜନକ ବ୍ୟବହାର ଯେପରି ଧକ୍କା ଦେବା, ଗୋଇଠା ମାରିବା କିମ୍ୱା ଯୌନ ନିର୍ଯାତନାକୁ ସ୍ତର ୨ରେ ରଖାଯାଇଛି । ସେହିପରି ଶାରୀରିକ ହିଂସା ଯେପରି ହତ୍ୟା ଉଦ୍ୟମ କିମ୍ୱା ଗଳା ଚିପିବାକୁ ସ୍ତର ତିନିରେ ରଖାଯାଇଛି ।  

ALSO READ

wp:embed {"url":"https://www.prameyanews7.com/pakistan-plane-captured-for-not-paying-money/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pakistan-plane-captured-for-not-paying-money/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.