ନୂଆଦିଲ୍ଲୀ: ମହିଳା ବନ୍ଧୁଙ୍କୁ କକ୍ପିଟ୍ରେ ବସିବାକୁ ଅନୁମତି ଦେଇଥିବା ଏୟାର ଇଣ୍ଡିଆ ପାଇଲଟ ସସ୍ପେଣ୍ଡ। ୩ ମାସ ପାଇଁ ତାଙ୍କୁ ସେବାରୁ ନିଲମ୍ବିତ କରାଯାଇଥିବା ବେଳେ ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଟଙ୍କା ଫାଇନ କରାଯାଇଛି। ଫେବ୍ରୁଆରୀ ମାସରେ ଦୁବାଇରୁ ଦିଲ୍ଲୀ ଫେରୁଥିବା ଏକ ବିମାନେର ପାଇଲଟ୍ ତାଙ୍କ ମହିଳା ବନ୍ଧୁଙ୍କୁ କକ୍ପିଟ୍ରେ ବସିବାକୁ ଅନୁମତି ଦେଇଥିଲେ। ଯାହାକୁ ନେଇ ବିବାଦ ବଢ଼ିଥିଲା। ଆଜି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏ ନେଇ ଡିଜିସିଏ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି “ବିମାନରେ କାମାଣ୍ଡିଂ ପାୟଲଟ ଯାତ୍ରୀ ହିସାବରେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ଜଣେ କର୍ମଚାରୀଙ୍କୁ କ୍ରୁଜ୍ ସମୟରେ କକପିଟ୍ରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। ସୁରକ୍ଷାର ସମ୍ବେଦନଶୀଳ ନିୟନ ଉଲ୍ଲଂଘନ ହୋଇଥିବା ବେଳେ ଏୟାର ଇଣ୍ଡିଆ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇନଥିଲା। ଏଥିପାଇଁ ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଫାଇନ କରାଯାଇଛି।”
ଅନ୍ୟପଟେ ୧୯୩୭ ଏୟାର କ୍ରାଫ୍ଟ ନିୟନ ଅନୁସାରେ ପାଇଲଟ ନିୟମ ଉଲ୍ଲଂଘନ କରିଥିବାରୁ ୩ ମାସ ପାଇଁ ଲାଇସେନ୍ସ ରଦ୍ଦ କରାଯାଇଛି। ବିମାନର ସହପାଇଲଟଙ୍କୁ ମଧ୍ୟ ଚେତାବନୀ ଦିଆଯାଇଛି ବୋଲି ଡିଜିସିଏ କହିଛି।