ସମ୍ଭଲ ୧୭।୯: ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାରେ ପ୍ରଶାସନ ଓ ପୋଲିସ ମହମଦ ଗଜନବୀର ଭଣଜା ତଥା ସୈନ୍ୟ କମାଣ୍ଡର ସୟଦ ସାଲାର ମସୁଦ ଗାଜୀ ସ୍ମୁତିରେ ପାଳିତ ହୋଇ ଆସୁଥିବା ‘ନେଜା ମେଳା’କୁ ଅନୁମତି ଦେବାକୁ ସୋମବାର ମନା କରିଦେଇଛି। ଜନୈକ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସମ୍ଭଲ ପୋଲିସ ନେଜା ମେଳା କମିଟିକୁ ସ୍ପଷ୍ଟ ରୂପେ କହିଛି ଯେ ଦେଶକୁ ‘ଲୁଟି’ଥିବା ବ୍ୟକ୍ତିର ସ୍ମୃତିରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇ ପାରିବନି।
ଏପରି ମେଳା ଆୟୋଜନକୁ ପୋଲିସ ‘ଦେଶ ଦ୍ରୋହ’ ବୋଲି କହିଛି। ନେଜା ମେଳା କମିଟି ସଦସ୍ୟ ସୋମବାର ମେଳା ଆୟୋଜନ ନିମନ୍ତେ ଥାନାରେ ଅପର ପୋଲିସ ଅଧିୟକ୍ଷକ (ଏଏସପି) ଶ୍ରୀଷ ଚନ୍ଦ୍ରଙ୍କୁ ଭେଟିଥିଲେ। ତେବେ ଅଧିକାରୀ ସ୍ପଷ୍ଟ ଶବ୍ଦରେ ସାଲାର ମାସୁଦ ଗାଜୀ ନାମରେ ମେଳା ଆୟୋଜନକୁ ଅନୁମତି ଦେବା ପାଇଁ ମନା କରିଦେଇଛନ୍ତି। ସେ କମିଟି ଲୋକଙ୍କୁ ସ୍ପଷ୍ଟ ରୂପେ କହିଛନ୍ତି ଇତିହାସ ସାକ୍ଷୀ ମାସୁଦ ଗାଜୀ ମହମ୍ମଦ ଗଜନବୀର ସେନାପତି ଥିଲା, ଯିଏ ସୋମନାଥ ମନ୍ଦିର ଲୁଣ୍ଠନ କରିବା ସହ ନରସଂହାର କରିଥିଲା।
ଅଧିକାରୀ ଆୟୋଜକଙ୍କୁ କୌଣସି ଲୁଟେରା ସ୍ମୃତିରେ ମେଳା ଆୟୋଜନ କରାଯାଏ କି ବୋଲି ପ୍ରଶ୍ନ କରିଥିଲେ। ଏଥିରେ ଆୟୋଜକ କମିଟି ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ଅଧିକାରୀ ଏପରି କୌଣସି ମେଳା ଆୟୋଜନକୁ ଅନୁମିତି ମିଳିବନି ବୋଲି ସଫାସଫା ମନା କରିଦେଇଛନ୍ତି। ନଗର ନେଜା ମେଳା କମିଟି ଅଧ୍ୟକ୍ଷ ସାହିଦ ହୁସୈନ ମସୁରୀ ଏ ନେଇ ସାମ୍ବାଦିକଙ୍କୁ କହିଛନ୍ତି ଯେ ଶହଶହ ବର୍ଷରୁ ଏଠାରେ ଏହି ମେଳା ଅନୁଷ୍ଠିତ ହୋଇ ଆସୁଥିଲା। ହେଲେ ପ୍ରଥମ ଥର କୌଣସି ଲୁଣ୍ଠନକାରୀଙ୍କ ସ୍ମୃତିରେ ମେଳା ପାଇଁ ଅନୁମତି ଦିଆଯାଇ ପାରିବନି ବୋଲି ପୋଲିସ କହିଥିବା ସୂଚିତ କରିଛନ୍ତି। ତେବେ ମେଳା ଆୟୋଜନ ପାଇଁ ଆମେ ବରିଷ୍ଠ ଅଧିକାରୀଙ୍କୁ ଭେଟିବୁ ବୋଲି ସାହିଦ ହୁସୈନ ମସୁରୀ କହିଛନ୍ତି।