ନୂଆଦିଲ୍ଲୀ: ରିଲିଜ୍ ହୋଇଛି ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’। ଫିଲ୍ମୁକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଜବରଦସ୍ତ କ୍ରେଜ୍। ସାରା ଦେଶରେ ବିଭିନ୍ନ ହଲ୍ରେ ଆସନ୍ତା ୨-୩ ଦିନ ପାଇଁ ତ’ ଟିକେଟ ବୁକ ହୋଇସାରିଛି।
ତେବେ ଏସବୁ ଭିତରେ ଭାରତୀୟ ବକ୍ସ ଅଫିସରେ ଜବରଦସ୍ତ ଆୟ ସହ ନୂଆ ରେକର୍ଡ କରିଛି । ଫିଲ୍ମ ଏହାର ଓପନିଂ ଡେ କଲେକ୍ସନରେ ‘କେଜିଏଫ ଚାପ୍ଟର-୨’ ଏବଂ ‘ବାହୁବଳୀ-୨’ ଭଳି ବ୍ଲକବଷ୍ଟର ଫିଲ୍ମକୁ ପଛରେ ପକାଇଛି। ଏତିକି ନୁହେଁ, ଫିଲ୍ମ ଏକ ନୂଆ ରେକର୍ଡ ମଧ୍ୟ କରିଛି।
Sacnilkର ରିପୋର୍ଟ ଅନୁଯାୟୀ, ପ୍ରଥମ ଦିନ ପ୍ରଭାସଙ୍କ ଫିଲ୍ମ ‘ବାହୁବଳୀ-୨’ ୧୨୧ କୋଟି ଟଙ୍କା ଏବଂ ୟଶଙ୍କ ଫିଲ୍ମ ‘କେଜିଏଫ-୨’ ୧୧୬ କୋଟି ଟଙ୍କା ଆୟ କରିଥିଲା। ହେଲେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା-୨’ ପ୍ରଥମ ଦିନ ଅର୍ଥାତ ଗୁରୁବାର ରାତି ୯ଟା ସୁଦ୍ଧା ୧୩୨.୨୭ କୋଟି ଟଙ୍କାର କଲେକ୍ସନ କରିଛି।
ଆହୁରି ମଧ୍ୟ, ‘ପୁଷ୍ପା-୨’ ଗୁରୁବାର ତେଲୁଗୁ ଏବଂ ହିନ୍ଦୀ ଉଭୟ ଭାଷାରେ ୫୦ କୋଟିରୁ ଅଧିକ ଟଙ୍କାର କାରବାର କରିଛି। ରିପୋର୍ଟ ଅନୁସାରେ, ଭାରତୀୟ ସିନେମା ଇତିହାସରେ ଏହା ପ୍ରଥମ ଥର, ଯେତେବେଳେ କୌଣସି ଫିଲ୍ମ ଗୋଟିଏ ଦିନରେ ହିଁ ଭିନ୍ନ ଭିନ୍ନ ଭାଷାରେ ୫୦-୫୦ କୋଟି ଟଙ୍କାରୁ ଅଧିକ ଆୟ କରିଛି।
ତେବେ ସିନେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଫିଲ୍ମର କ୍ରେଜ ଯେଉଁଭଳି ରହିଛି ସେଥରୁ ଫିଲ୍ମ ଆଗାମୀ ଦିନରେ ଆହୁରି ରେକର୍ଡ କରିପାରେ।