ମୁମ୍ଵାଇ ୦୬।୧୨; ଥିଏଟରରେ ଏ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା-୨’ । କେବଳ ଫିଲ୍ମ ହଲ୍ ନୁହେଁ, ସହର, ବଜାର ଗଳି-କନ୍ଦି ସବୁଠି ପୁଷ୍ପା କ୍ରେଜ୍ । ଅଲ୍ଲୁ ଅର୍ଜୁନ ଏହି ଆକ୍ସନ୍-ପ୍ୟାକ୍ ଏଣ୍ଟର୍ଟେନର୍ ବର୍ଷର ସବୁଠୁ ବଡ଼ ଓପନର୍ ହେବ ବୋଲି ପ୍ରଥମ ଦିନର କ୍ରେଜ୍ରୁ ଅନୁମାନ କରାଯାଉଛି। ୨୦୨୪ରେ ମୁକ୍ତିପ୍ରାପ୍ତ ସବୁ ବ୍ଲକ୍ବଷ୍ଟର ଫିଲ୍ମର ବକ୍ସ ଅଫିସ୍ ରେକର୍ଡ ଏହା ଭାଙ୍ଗିବ ବୋଲି ଚର୍ଚ୍ଚା ହେଉଛି । ଭାରତରେ ପ୍ରଥମ ଦିନର ଶୋ’ ପାଇଁ ଆଡ୍ଭାନ୍ସ ବୁକିଂରୁ ଫିଲ୍ମର କଲେକ୍ସନ୍ ୧୦୦ କୋଟି ଟପିଛି ।
‘ବାହୁବଲୀ-୨’, ‘ଯୱାନ’ ଓ ‘ଆର୍ଆର୍ଆର୍’ର ଆଡ୍ଭାନ୍ସ ବୁକିଂ ରେକର୍ଡ ଏହା ଭାଙ୍ଗିଛି । ପ୍ରଥମ ସପ୍ତାହ ଫିଲ୍ମର ରେକର୍ଡ କଲେକ୍ସନ୍ ହେବ ବୋଲି ସିନେ ସମୀକ୍ଷକମାନେ ଅନୁମାନ କରୁଛନ୍ତି । ସେହିପରି ସର୍ବକାଳୀନ ରେକର୍ଡ ୮୦୦-୧୦୦୦ କୋଟି ଟପିବ । ସର୍ବଭାରତୀୟ ଫିଲ୍ମ ରୂପେ ‘ପୁଷ୍ପା-୨’ ସବୁ ରେକର୍ଡ ଭାଙ୍ଗିବ ବୋଲି ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଛି । ସମୀକ୍ଷକମାନେ ଫିଲ୍ମକୁ ଏକ ବଡ଼ କମର୍ସିଆଲ ଏଣ୍ଟର୍ଟେନର୍ ବୋଲି କହିଛନ୍ତି । ଦମ୍ଦାର ଆକ୍ସନ୍ ଓ ଅଭିନୟ ସହିତ ଭାବପ୍ରବଣ ସିନ୍ରେ ଅଲ୍ଲୁଙ୍କ ପ୍ରଦର୍ଶନ ଦର୍ଶକଙ୍କ ମନ କିଣିଛି । ତାଙ୍କ ଆକ୍ସନ୍ ଦର୍ଶକଙ୍କ ପାଗଳାମି ବଢ଼ାଇଛି । ଅଲ୍ଲୁଙ୍କ ସହ ଫହାଦ ଫାସିଲଙ୍କ ଭୂମିକାକୁ ମଧ୍ୟ ଦର୍ଶକୀୟ ଆଦୃତି ମିଳିଛି । ମୋଟାମୋଟି ଫିଲ୍ମକୁ ଏକ ମସାଲା ଏଣ୍ଟର୍ଟେନର୍ ରେଟିଂ ଦେଇଛନ୍ତି ସମୀକ୍ଷକ । ଭାରତୀୟ କମର୍ସିଆଲ ସିନେମାରେ ‘ପୁଷ୍ପା-୨’ ଅନ୍ୟତମ ବିରଳ ଫିଲ୍ମ ବୋଲି ବିଶ୍ଳେଷକ କହୁଛନ୍ତି ।
‘ପୁଷ୍ପା-୨’ ୨୦୨୧ ବ୍ଲକ୍ବଷ୍ଟର୍ ‘ପୁଷ୍ପା: ଦ ରାଇଜ୍’ର ସିକ୍ୱେଲ୍ । ପ୍ରଥମ ଭାଗରେ ଫିଲ୍ମଟି ପୁଷ୍ପ ରାଜ ଜୀବନର ରୋମାଞ୍ଚକର ଯାତ୍ରାରେ ଦର୍ଶକଙ୍କୁ ସାମିଲ କରିଥିଲା । ଲାଲ ଚନ୍ଦନ କାଠ ଚୋରାଚାଲାଣ ବ୍ୟବସାୟକୁ ଜଣେ କୁଲି କିଭଳି ଭାବେ ନିଜ ହାତମୁଠାକୁ ଆଣିଲା, ତା’ର କାହାଣୀ ଏଥିରେ ପ୍ରଦର୍ଶିତ ହୋଇଥିଲା । ଫିଲ୍ମରେ ଦମ୍ଦାର ପୁଷ୍ପ ରାଜ ଭୂମିକା ପାଇଁ ଅଲ୍ଲୁଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ପୁଷ୍ପ ରାଜର କାହାଣୀକୁ ୨୦୦ ଗୁଣ ଜୋଶ୍ର ସହ ପୁଣି ଥରେ ପରଦାକୁ ଆଣିବାର ପ୍ରତିଶ୍ରୁତି ପୂରଣ କରିଛନ୍ତି ଅଲ୍ଲୁ । ଏଥିସହିତ ନିର୍ମାତା ‘ପୁଷ୍ପା’ର ୩ୟ ସଂସ୍କରଣ ବିଷୟରେ ସ୍ପଷ୍ଟ କରିଛନ୍ତି । ‘ପୁଷ୍ପା-୨’ ପରେ ୩ୟ ଭାଗର ଟାଇଟଲ ହେବ ‘ପୁଷ୍ପା: ଦ ରାମ୍ପେଜ୍’।