ଶ୍ରୀନଗରରେ ରାହୁଲ ଗାନ୍ଧି କହିଲେ – ସମାଜକୁ ବାଣ୍ଟିବାକୁ ଚାହୁଁଛନ୍ତି ଆତଙ୍କବାଦୀ, ପହଲଗାମ ପୀଡ଼ିତଙ୍କୁ ଭେଟିଲେ

Published By : Prameya-News7 Bureau | April 25, 2025 IST

ଶ୍ରୀନଗର ୨୫।୪: ପହଲଗାମରେ ଆତଙ୍କବାଦୀଙ୍କ ଗୁଳିକାଣ୍ଡ ପରେ ବିରୋଧୀଦଳ ନେତା ରାହୁଲ ଗାନ୍ଧି ଶୁକ୍ରବାର ଜମ୍ମୁ-କାଶ୍ମୀର ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ସେ ଗୁଳିକାଣ୍ଡ ପୀଡ଼ିତଙ୍କୁ ମଧ୍ୟ ଭେଟିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି ଯେ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ ସମାଜକୁ ଭାଗଭାଗ କରିବା, ତେବେ ଆମେ ଆତଙ୍କବାଦୀଙ୍କୁ ସଫଳ ହେବାକୁ ଦେବାନି। ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ସାରା ଦେଶ ଏବେ ଏକାଠି ଛିଡା ହୋଇଛି। ଯାହା କିଛି ବି ହୋଇଛି ଏହା ପଛରେ ସମାଜକୁ ବାଣ୍ଟିବାର ଉଦ୍ଦେଶ୍ୟ ରହିଛି। 

ରାହୁଲ ଗାନ୍ଧି କହିଛନ୍ତି ଯେ ଏହା ଦେଖି ଦୁଃଖ ଲାଗୁଛି କିଛି ଲୋକେ ଜମ୍ମୁ-କାଶ୍ମୀରରେ ଆମ ଭାଇ, ଭଉଣୀଙ୍କ ଉପରେ ଆକ୍ରମଣ କରୁଛନ୍ତି। ସେ କହିଛନ୍ତି ମୁଁ ଆହତଙ୍କ ମଧ୍ୟରୁ ଜଣେ ପୀଡ଼ିତଙ୍କୁ ଭେଟିଛି ଏହା ସହିତ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କୁ ଭେଟିଛି। ରାହୁଲ କହିଛନ୍ତି ଯେ ଯେଉଁମାନେ ଏହି ଘଟଣାରେ ନିଜ ପ୍ରିୟଜନମାନଙ୍କୁ ହରାଇଛନ୍ତି ସେମାନଙ୍କ ପାଇଁ ମୁଁ ଗଭୀର ସମବେଦନା ଜଣାଉଛି। 


ରାହୁଲ ଗାନ୍ଦି କହିଛନ୍ତି ଯେ ଗତକାଲି ସରକାରଙ୍କ ସହିତ ଆମର ବୈଠକ ହୋଇଥିଲା। ଏଥିରେ ସରକାର ଯାହା ବି ପଦକ୍ଷେପ ନେବେ ସେଥି ପାଇଁ ଆମେ ସମର୍ଥନ କରିବୁ ବୋଲି ପ୍ରତିଶ୍ରୁତି ଦେଇଛୁ। ତେବେ ରାହୁଲ କହିଛନ୍ତି ମୁଁ ଏଠାକୁ ଏହା ଜାଣିବାକୁ ଆସିଛି ଏଠାରେ ବାସ୍ତବରେ ହେଉଛି କ’ଣ?ଜମ୍ମୁ-କାଶ୍ମୀରର ସବୁ ଲୋକେ ଏହି ଘଟଣାକୁ ନିନ୍ଦା କରୁଛନ୍ତି ଓ ସେମାନଙ୍କୁ ପୂରା ଦେଶ ସମର୍ଥନ କରୁଛି। ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଘଟଣାରେ ପୂରା ଦେଶ ଏକଜୁଟ ହୋଇ ଛିଡା ହୋଇଛି। ତେବେ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ଯେ ପ୍ରତ୍ୟେକ ଭାରତୀୟ ଏକଜୁଟ ହୁଅନ୍ତୁ, ଏକାଠି ଛିଡା ହୁଅନ୍ତୁ ଯାହା ଦ୍ୱାରା ଆତଙ୍କବାଦୀଙ୍କ ଦ୍ୱାରା କରାଯାଉଥିବା ପ୍ରୟାସକୁ ଆମେ ବିଫଳ କରିପାରିବା। 


ଜମ୍ମୁ-କାଶ୍ମୀର ଗସ୍ତରେ ରାହୁଲ ଗାନ୍ଧି ପ୍ରଥମେ ସେନା ହସ୍ପିଟାଲକୁ ଯାଇ ଆହତମାନଙ୍କୁ ଭେଟିଥିଲେ। ପରେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କୁ ଭେଟି ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ନେଇ ଆଲୋଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୨ଏପ୍ରିଲ ମଙ୍ଗଳବାର ଦକ୍ଷିଣ କାଶ୍ମୀରର ପହଲଗାମର ବେସରନ ଘାଟିରେ ଆତଙ୍କବାଦୀ ଗୁଳିକାଣ୍ଡ କରିଥିଲେ। ଏଥିରେ ୨୬ ଜଣ ନିର୍ଦ୍ଦୋଷ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହି ଗୁଳିକାଣ୍ଡରେ ଅନେକ ଲୋକେ ଆହତ ମଧ୍ୟ ହୋଇଥିଲେ। ଏହି ଘଟଣା ପରେ ପୁରା ଦେଶ ଏବେ  ଆକ୍ରୋଶ ଓ ଶୋକରେ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.