ମୋଦୀ ଜୀ ଟିକେ ଡରିଗଲେ କି ? ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ କଡ଼ା ଜବାବ

Published By : Prameya-News7 Bureau | May 08, 2024 IST

indiatoday

ନୂଆଦିଲ୍ଲୀ: ଅମ୍ବାନୀ ଓ ଆଦାନୀ ଡିଲ୍ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି। ଏକ ଭିଡିଓ ମେସେଜ୍ ଜାରି କରି ରାହୁଲ ଗାନ୍ଧୀ କହିଛନ୍ତି ନମସ୍କାର ମୋଦୀ ଜୀ…ଆପଣ ଭୟଭୀତ କି ? ସାଧାରଣତଃ ଆପଣ ଅମ୍ବାନୀ ଆଦାନୀ ବିଷୟରେ ଗୋପନରେ ଆଲୋଚନା କରନ୍ତି। ହେଲେ ପ୍ରଥମ ଥର ପାଇଁ ଆପଣ ଅମ୍ବାନୀ ଓ ଆଦାନୀ ବିଷୟରେ ସର୍ବସାଧାରଣରେ କହିଲେ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। 

କିଛି ନିର୍ଦ୍ଦିଷ୍ଟ ବ୍ୟବାସାୟୀଙ୍କୁ ମୋଦୀ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରି ଆସିଛି। ଏଥିପାଇଁ ବୁଧବାର ମୋଦୀ ମଧ୍ୟ କଂଗ୍ରେସକୁ ଟାର୍ଗେଟ୍ କରିବା ପାଇଁ ଅମ୍ବାନୀ ଆଦାନୀଙ୍କ ବିଷୟରେ କହିଥିଲେ। କଂଗ୍ରେସ ବୋଧ୍‌ହୁଏ ଅମ୍ବାନୀ ଓ ଆଦାନୀଙ୍କ ସହ କୌଣସି ଡିଲ୍ କରିଛି ବୋଲି ମୋଦୀ କହିଥିଲେ। 

ତେଲେଙ୍ଗାନାରେ ଏକ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ “ମୁଁ ତେଲେଙ୍ଗାନା ମାଟିରୁ ପଚାରିବାକୁ ଚାହୁଁଛି, ଯେ ଶେହେଜାଦା ଅମ୍ବାନୀ-ଆଦାନୀଙ୍କ ଠାରୁ କେତେ ନେଇଛନ୍ତି ଏହା ସେ ନିଜେ ଘୋଷଣା କରନ୍ତୁ। ଟଙ୍କା ଭର୍ତ୍ତି ଟେମ୍ପୋ କଂଗ୍ରେସ ପାଖରେ ପହଞ୍ଚିଛି କି? ସେମାନଙ୍କ ମଧ୍ୟରେ ଏମିତି କ’ଣ ଡିଲ୍ ହେଲା ଯେ ଅମ୍ବାନୀ ଆଦାନୀଙ୍କୁ ଗାଳି ଦେବା ରାତାରାତି ବନ୍ଦ ହୋଇଗଲା?”

ପ୍ରଧାନମନ୍ତ୍ରୀଙ୍କର ଏହି ମନ୍ତବ୍ୟକୁ ନେଇ ରାହୁଲ ଗାନ୍ଧୀ ଜବାବ ଦେଇଛନ୍ତି। ସେମାନେ ଟେମ୍ପୋରେ ଟଙ୍କା ଦିଅନ୍ତି ବୋଲି ଆପଣ ଜାଣନ୍ତି। ଏହା କ’ଣ ଆପଣଙ୍କର ବ୍ୟକ୍ତିଗତ ଅନୁଭବ କି? ଏଥିପାଇଁ ଆପଣ ଆଦାନୀ ଓ ଅମ୍ବାନୀଙ୍କ ପାଖକୁ ସିବିଆଇ ଓ ଇଡିଙ୍କୁ ପଠାଇ ତଦନ୍ତ କରନ୍ତୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। 

ରାହୁଲ କହିଛନ୍ତି “ମୁଁ ପୁଣିଥରେ କହିବାକୁ ଚାହୁଁଛି ଯେ ନରେନ୍ଦ୍ର ମୋଦୀ ଯେତେ ଟଙ୍କା ଏହି ଶିଳ୍ପପତିମାନଙ୍କୁ ଦେଇଛନ୍ତି। କଂଗ୍ରେସ ସେତିକି ଟଙ୍କା ଦେଶର ଗରିବମାନଙ୍କୁ ଦେବ। ବିଜେପି ୨୨ କୋଟିପତି ତିଆରି କରିଛନ୍ତି। ଆମେ କୋଟି କୋଟି ଲକ୍ଷପତି ତିଆରି କରିବୁ।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.