ମୁମ୍ଵାଇ ୩୦।୦୧; ବି-ଟାଉନ୍ର ଡ୍ରାମା କ୍ଵିନ୍ ରାକ୍ଷୀ ସାଓ୍ବନ୍ତ । ଏବେ ପୁଣିଥରେ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁଇ ଦୁଇ ଥର ବିବାହରେ ବିଫଳ ହେବା ପରେ ସେ ତୃତୀୟ ବିବାହ କରିବେ। ଏଥିଲାଗି ସେ ପାକିସ୍ତାନର ଯୁବକଙ୍କୁ ବାଛିଛନ୍ତି। ସେ ହେଲେ ଡୋଡି ଖାନ୍, ଯିଏକି ଜଣେ ପାକିସ୍ତାନୀ ଅଭିନେତା।
ନିକଟରେ ରାକ୍ଷୀ ଏକ କାର୍ଯ୍ୟକ୍ରମ ଲାଗି ପାକିସ୍ତାନ ଯାଇଥିଲେ। ପାକିସ୍ତାନରୁ ରାକ୍ଷୀଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ସେଠାରୁ ଫେରି ସେ ଗଣମାଧ୍ୟମ ଆଗରେ ବଡ଼ ବୟାନ ଦେଇଛନ୍ତି। ତାଙ୍କର ତୃତୀୟ ବିବାହଠାରୁ ଆରମ୍ଭ କରି ହନିମୁନ୍ ଯାଏର ଯୋଜନା ବିଷୟରେ ସେ ଜଣାଇଛନ୍ତି। ତାଙ୍କୁ ସେଠାରେ ତାଙ୍କ ମନଲାଖି ବର ମିଳି ଯାଇଛି ।
ଏକ ସାକ୍ଷାତକାରରେ ରାକ୍ଷୀ କହିଛନ୍ତି, ମୋତେ ବିବାହ ଲାଗି ବହୁତ ପ୍ରସ୍ତାବ ଆସୁଛି। ମୋତେ ପାକିସ୍ତାନର ଲୋକ ବହୁତ ପସନ୍ଦ। ସେଠାରେ ମୋର ବହୁତ ପ୍ରଶଂସକ ଅଛନ୍ତି। ରାକ୍ଷୀଙ୍କୁ ପାକିସ୍ତାନର ଅଭିନେତା ଡୋଡି ପ୍ରପୋଜ କରିଛନ୍ତି। ମୋର ବିବାହ ଇସଲାମ ରୀତିନୀତିରେ ପାକିସ୍ତାନରେ ହେବ। ବିବାହ ଭୋଜି ଭାରତରେ ଦିଆଯିବ। ଆମେ ହନିମୁନ୍ ଲାଗି ସ୍ବିଜରଲ୍ୟାଣ୍ଡ ନଚେତ ନେଦରଲ୍ୟାଣ୍ଡ ଯିବୁ। ଏପରିକି ବିବାହ ପରେ ସେ ଏବଂ ଡୋଡି ଦୁବାଇରେ ରହିବେ ବୋଲି ଅଭିନେତ୍ରୀ ସ୍ପଷ୍ଟ କରିଛନ୍ତି। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଦେଖିଲେ ସେ ପେସାରେ ଜଣେ ଅଭିନେତା ସହ ପ୍ରଯୋଜକ ବୋଲି ଜଣାପଡ଼ିଛି। ଡୋଡିଙ୍କ ପୂର୍ବରୁ ରାକ୍ଷୀ ଦୁଇ ଥର ବିବାହ କରିଥିଲେ। ପ୍ରଥମ ବିବାହ ରିତେଶ ଏବଂ ଦ୍ୱିତୀୟ ବିବାହ ଆଦିଲ ଖାନ୍ଙ୍କୁ କରିଥିଲେ। ସେ ଆଦିଲଙ୍କୁ ବିବାହ ସମୟରେ ଇସଲାମ ଧର୍ମ ଆପଣାଇ ନେଇଥିଲେ।