୯୧ ହଜାରରେ ବିକି ଦେଇଥିଲା ଦଲାଲ, ହରିୟାଣାରୁ ଉଦ୍ଧାର କଲା ମୁନିଗୁଡା ପୋଲିସ

Published By : Prameya-News7 Bureau | May 07, 2024 IST

ରାୟଗଡା ୭/୫: ରାୟଗଡାରୁ ନିଖୋଜ ନାବାଳିକା ହରିୟାଣାରୁ ଉଦ୍ଧାର । ୨ ଦଲାଲଙ୍କୁ ବାନ୍ଧିଲା ପୋଲିସ । ବିଷମକଟକ ଥାନା ସିକବନ୍ଧ ଗାଁର ଜଣେ ନାବାଳିକା ମାର୍ଚ୍ଚ ମାସରେ ସଂପର୍କୀୟଙ୍କ ଘରକୁ ବିବାହ ଉତ୍ସବରେ ଯୋଗଦେବାକୁ ଆସି ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ଝିଅର ପତ୍ତା ନମିଳିବାରୁ ମଇ ମାସ ୧ ତାରିଖରେ ମୁନିଗୁଡା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏତଲା ଆଧାରରେ ଏକ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲା । ତେବେ ହରିୟାଣା ଜିନ୍ଧ ଜିଲ୍ଲାରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲା ପୋଲିସ । 

ନାବାଳିକାଙ୍କୁ ମୁନିଗୁଡ଼ା ଅଞ୍ଚଳର ୨ଜଣ ଦଲାଲ ଖଜୁରୀପଦର ଗାଁର ସାୟାବତି କିଲ୍ଲାକା ଓ ଟିକରପଡ଼ାର ଗୋପାଳ ନାଗ ହରିୟାଣାରେ ୯୧ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଜଣାପଡିଛି । ଉଦ୍ଧାର ନାବାଳିକାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ୨ ଦଲାଲକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପୂର୍ବରୁ ହରିୟାଣା ଓ ରାଜସ୍ଥାନ ଅଞ୍ଚଳରେ ବିବାହ ପାଇଁ ଝିଅ ଅଭାବ ଯୋଗୁ  ମୁନିଗୁଡ଼ା ଓ ଆଖପାଖ ଅଞ୍ଚଳରୁ ଅନେକ ଝିଅଙ୍କୁ ଦଲାଲ ମାନେ ମୋଟା ଅଙ୍କ ଅର୍ଥରେ ବିକି ଦେଉଥିବା ଅଭିଯୋଗ ହେଉଥିଲା । ଏହି ଘଟଣା ପରେ ଅଧିକ ଛାନଭିନ ଚଳାଇଛି ପୋଲିସ ।

You Can Read: ଫୁଡ୍ ପ୍ରୋସେସିଂ ୟୁନିଟ୍‌ର ହବ୍ ହେବ ସମ୍ବଲପୁର : ଧର୍ମେନ୍ଦ୍ର ପ୍ରଧାନ

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.