‘ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ପାଖରେ ଅଛି ପର୍ଯ୍ୟାପ୍ତ ପୁଞ୍ଜି, ଜମାକାରୀଙ୍କୁ ଚିନ୍ତା କରିବାର ଆବାଶ୍ୟକତା ନାହିଁ’: RBI

Published By : Prameya-News7 Bureau | March 15, 2025 IST

ନୂଆଦିଲ୍ଲୀ: ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କରେ ଚାଲିଥିବା ସଂକଟ ଭିତରେ କେନ୍ଦ୍ରୀୟ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ବୟାନ ଜାରି କରିଛି । ଏହି ବୟାନରେ ରିଜର୍ଭ ବ୍ୟାଙ୍କ କହିଛି ଯେ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ଆର୍ଥିକ ରୂପେ ସ୍ଥିର ଅଛି ଓ ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ମାତ୍ରାରେ ପୁଞ୍ଜି ରହିଛି । ତେଣୁ ଜମାକାରୀଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

ରିଜର୍ଭ ବ୍ୟାଙ୍କ ନିଜ ବିବୃତ୍ତିରେ କହିଛି ଯେ ବ୍ୟାଙ୍କର ଆର୍ଥିକ ପରିଣାମକୁ ଅଡିଟର୍‌ଙ୍କ ଦ୍ୱାରା ସମୀକ୍ଷା କରାଯାଇଛି । ଏଥିରେ ଜଣାପଡ଼ିଛି ଯେ ୨୦୨୪ ଡିସେମ୍ୱର ୩୧ରେ ଶେଷ ହୋଇଥିବା ତ୍ରୈମାସରେ ପର୍ଯ୍ୟାପ୍ତ ପୁଞ୍ଜି ରହିଛି ଓ ଏହାର ପୁଞ୍ଜି ପର୍ଯ୍ୟାପ୍ତତା ୧୬.୪୬ ପ୍ରତିଶତ ରହିଛି । ଅନ୍ୟପଟେ ଯୋଗାଣ କଭ୍‌ରେଜ୍ ଅନୁପାତ ୭୦.୨୦ ପ୍ରତିଶତ ରହିଛି । ରିଜର୍ଭ ବ୍ୟାଙ୍କ ଅନୁସାରେ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କର ୨୦୨୫ ମାର୍ଚ୍ଚ ୯ ଯାଏ ଲିକ୍ୱିଡିଟି କଭ୍‌ରେଜ୍ ଅନୁପାତ ୧୧୩ ପ୍ରତିଶତ ରହିଛି । ନିୟାମକ ନିୟମ ଅନୁସାରେ ଏହା ୧୦୦ ପ୍ରତିଶତ ରହିବା କଥା । 

ଆରବିଆଇ ଶନିବାର ଇଣ୍ଡସଇଣ୍ଡ ବ୍ୟାଙ୍କର ବୋର୍ଡକୁ ପରାମର୍ଶ ଦେଇ ଚଳିତ ତ୍ରୈମାସରେ ବ୍ୟାଙ୍କ ଦ୍ୱାରା ଘୋଷିତ ୨୧୦୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଭିତରେ ସଂସ୍କାରମୂଳକ ପଦକ୍ଷେପ ନେବା ପାଇଁ କହିଛି । ଉଲ୍ଲେଖଯୋଗ୍ୟ ଯେ ଚଳିତ ସପ୍ତାହ ଆରମ୍ଭରେ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କର ଆକାଉଣ୍ଟିଂ ଅନିୟମିତତା ନେଇ ନେଇ ଖୁଲାସା ହୋଇଥିଲା । ଯେଉଁଥି ପାଇଁ ବ୍ୟାଙ୍କର ନେଟ୍‌ୱାର୍ଥ ଉପରେ ୨.୩୫ ପ୍ରତିଶତର ଆନୁମାନିକ ପ୍ରଭାବ ପଡ଼ିଥିଲା । ଏହି ଖୁଲାସା ପରେ ବ୍ୟାଙ୍କର ସେୟାରରେ ବଡ଼ ଧରଣର ହ୍ରାସ ଘଟିଥିଲା । ସାର୍ବଜନୀନ ସ୍ତରରେ ଉପଲବ୍ଧ ତଥ୍ୟ ଅନୁସାରେ, ବ୍ୟାଙ୍କ ବର୍ତ୍ତମାନ ସିଷ୍ଟମର ବ୍ୟାପକ ସମୀକ୍ଷା କରିବା ଓ ପ୍ରଭାବ ଆକଳନ କରିବା ପାଇଁ ଏକ ବାହାର ଅଡିଟ୍ ଟିମକୁ ନିଯୁକ୍ତ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

ରାଜନୀତି
ମନୋରଞ୍ଜନ

Copyright © 2024 - Summa Real Media Private Limited. All Rights Reserved.