ନୂଆଦିଲ୍ଲୀ ୦୪।୦୬: ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିଲା । ୧୮ ବର୍ଷ ପରେ ଚାମ୍ପିଅନ୍ ହେଲା RCB । ବିଜୟ ପରେ ସେଲିବ୍ରେସନ୍ କରିଥିଲେ କ୍ରିକେଟରଙ୍କ ଠାରୁ ଫ୍ୟାନ୍ । କିନ୍ତୁ କିଛି ଫ୍ୟାନ୍ସଙ୍କ ଏହି ଖୁସି ଅଧିକ ସମୟ ତିଷ୍ଠି ନଥିଲା । ସେଲିବ୍ରେସନ୍ ବେଳେ କିଛି ଫ୍ୟାନ୍ସ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲେ । ଏମିତିକି ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରିବାକୁ ଚେଷ୍ଟା କରୁଥିଲେ ।
ବିଶେଷକରି କାଲାବୁରାଗିର SVP ଚୌକ ପାଖରେ ଦେଖିବାକୁ ମିଳିଥିଲା ବିଶୃଙ୍ଖଳା । ତେବେ ସ୍ଥିତି ଏପରି ହୋଇଥିଲା କି ପୋଲିସ ଲାଠିଚାର୍ଜ କରିବାକୁ ହୋଇଥିଲେ ବାଧ୍ୟ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ପୋଲିସ ଲାଠିଚାର୍ଜ କରିଥିବା ଦେଖିବାକୁ ମିଳିଛି ।
ଭିଡିଓରେ ଦେଖିବାକୁ ମିଳୁଛି କି ବିଜୟ ଉତ୍ସବ ପାଳନ କରିବା ପାଇଁ ଶହ ଶହ ଲୋକ ହଠାତ୍ ଏକାଠି ହୋଇଥିଲେ । ପତାକା, ଢୋଲ ଏବଂ "ଇ ସାଲା କପ୍ ନମଦେ" ଧ୍ୱନି ରାସ୍ତାରେ ଭର୍ତ୍ତି ହୋଇଯାଇଥିଲେ ଲୋକେ । ଯାହା ଫଳରେ ଟ୍ରାଫିକ୍ ଜାମ୍ ହୋଇଯାଇଥିଲା।
RCBର ବିଜୟ ହେଲେ ପ୍ରଶଂସକମାନେ ନିୟନ୍ତ୍ରଣ ବାହାରକୁ ନ ଯିବା ପାଇଁ ବେଙ୍ଗାଲୁରୁ ପୋଲିସ ମଧ୍ୟ ବିଶେଷ ନିର୍ଦ୍ଦେଶ ଜାରି କରିଛି । ଯେଉଁଥିରେ ରାସ୍ତା ଅବରୋଧ କରିବା, ଟାୟାର ଜାଳିବା କିମ୍ବା ଯାନବାହାନକୁ ବାଧା ନ ଦେବା ପରି ନିୟମ ସାମିଲ ରହିଛି ।
କିଛି ପ୍ରଶଂସକଙ୍କ ଅନୁପଯୁକ୍ତ ଆଚରଣ ଯୋଗୁଁ ପୋଲିସକୁ ଲାଠିଚାର୍ଜ କରିବାକୁ ବାଧ୍ୟ କରାଯାଇଥିଲା। ପୋଲିସ ପ୍ରଶଂସକମାନଙ୍କୁ ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବାକୁ ପରାମର୍ଶ ଦେଇଛି।