ମୁମ୍ଵାଇ ୨୫।୦୩; ୪ ବର୍ଷର ଦାମ୍ପତ୍ୟ ଜୀବନ ପରେ ୨୦୨୧ ମସିହାରେ ବୈବାହିକ ସମ୍ପର୍କ ଛିନ୍ନ କରିଥିଲେ ସାମନ୍ଥା ରୁଥ୍ ପ୍ରଭୃ ଓ ନାଗା ଚୈତନ୍ୟ । ଆପସ ସହମତିରେ ଉଭୟଙ୍କର ବିଚ୍ଛେଦ ହୋଇଥିଲା । ନିକଟରେ କ୍ରିକେଟର୍ ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ବିବାହ ବିଚ୍ଛେଦ ହୋଇଛି। ଯାହାକୁ ନେଇ ଆଲୋଚନା ଥମୁନି । ଛାଡ଼ପତ୍ର ପରେ ଭରଣ ପୋଷଣ ବାବଦକୁ ଧନଶ୍ରୀ ୪.୭୫ କୋଟି ଟଙ୍କା ପାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଲା । ଏ ନେଇ ଧନଶ୍ରୀଙ୍କୁ ଟ୍ରୋଲ୍ ମଧ୍ୟ କରାଗଲା ।
ଏପରିକି ଅଭିନେତା ହ୍ରିତିକ ରୋଶନ ଓ ସୁଜାନ ଖାନ୍ଙ୍କ ବିବାହ ବିଚ୍ଛେଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ରିପୋର୍ଟ ଅନୁସାରେ, ଭରଣପୋଷଣ ବାବଦକୁ ହ୍ରିତିକ ସୁଜାନଙ୍କୁ ୩୮୦ କୋଟି ଟଙ୍କା ଦେଇଥିଲେ । ଏହି କ୍ରମରେ ସାଉଥ୍ ସୁପର୍ଷ୍ଟାର ସାମନ୍ଥା ରୁଥ୍ ପ୍ରଭୃ ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ପୁଣି ଥରେ ଖବରର ଶିରୋନାମା ପାଲଟିଛି । ନାଗାଙ୍କ ସହ ବିବାହ ବିଚ୍ଛେଦ ପରେ ସାମନ୍ଥାଙ୍କୁ ୨୦୦ କୋଟି ଟଙ୍କା ଭରଣପୋଷଣ ଅଫର୍ ହୋଇଥିଲା । କିନ୍ତୁ ସେ ନେବାକୁ ମନା କରି ଦେଇଥିଲେ । ଟଙ୍କା ବିଷୟରେ ଚିନ୍ତା କରି ସେ ଖୁବ୍ ବ୍ୟସ୍ତ ହୋଇପଡ଼ିଥିଲେ ବୋଲି କୁହାଯାଏ ।
ଏକ ସୂତ୍ର ଅନୁସାରେ ସାମନ୍ଥା ସ୍ପଷ୍ଟ କରିଥିଲେ ଯେ ଉକ୍ତ ବିବାହରୁ ସେ କେବଳ ପ୍ରେମ ଓ ସାଥୀ ଚାହୁଁଥିଲେ, ଏବେ ସବୁକିଛି ଶେଷ ହୋଇଛି। ତାଙ୍କର ହୃଦୟ ଭାଙ୍ଗିଯାଇଛି । ସମ୍ପର୍କ ଭାଙ୍ଗିବା ପରେ ସେ ଆଉ କିଛି ବି ଚାହାନ୍ତି ନାହିଁ । ନିକଟରେ ଏକ ପଡ୍କାଷ୍ଟରେ ଯୋଗ ଦେଇ ସାମନ୍ଥାଙ୍କ ସହ ବିଚ୍ଛେଦକୁ ନେଇ ନାଗା କହିଥିଲେ, ଆମେ ଦୁହେଁ ନିଜ ନିଜ ମାର୍ଗରେ ଯିବାକୁ ଚାହୁଁଥିଲୁ । ନିଜସ୍ୱ କାରଣ ପାଇଁ ଆମେ ଏହି ନିଷ୍ପତ୍ତି ନେଲୁ ଏବଂ ଆମେ ପରସ୍ପରକୁ ସମ୍ମାନ ମଧ୍ୟ ଦେଉଛୁ । ଆମେ ଆମ ଜୀବନରେ ନିଜ ନିଜ ରାସ୍ତାରେ ଆଗକୁ ବଢିଛୁ । ଏ ନେଇ ଅଧିକ ବର୍ଣ୍ଣନା କରିବା ଆବଶ୍ୟକ ନାହିଁ । ଦର୍ଶକ ଓ ଗଣମାଧ୍ୟମଆମର ଗୋପନୀୟତାକୁ ସମ୍ମାନ ଦେବେ ବୋଲି ଆଶା ଥିଲା । କିନ୍ତୁ ଏହା ଆଲୋଚନା ଓ ମନୋରଞ୍ଜନର ବିଷୟ ପାଲଟିଗଲା ।