ସମ୍ବଲପୁର ୨୫।୫: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୋରରୁ ସମ୍ବଲପୁର ଚିଡିଆଖାନା ପରିଦର୍ଶନ କରିଛନ୍ତି । ଏହାସହ ଏହାକୁ ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶାର ଦ୍ୱିତୀୟ ନନ୍ଦନକାନନ କରିବା ପାଇଁ ଯୋଜନା କରାଯିବ ବୋଲି କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଚିଡିଆଖାନାରେ ଜୀବ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନ ବୁଲିବା ସହ ସାଧାରଣ ଲୋକଙ୍କ ସହ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିଥିଲେ । ସମ୍ବଲପୁର ଚିଡ଼ିଆଖାନାର ବିଭିନ୍ନ ସମସ୍ୟା ଓ ନୂଆ ଜୀବଜନ୍ତୁ ଅଣାଯିବା ନେଇ ଚିଡିଆଖାନା ବନ ବିଭାଗ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସମ୍ବଲପୁର ଚିଡିଆଖାନାକୁ ନନ୍ଦନକାନନ ଢଙ୍ଗରେ ନୂଆ ରୂପ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯିବ । ଏହାକୁ ବଡ କରିବା ସହ ପର୍ଯ୍ୟଟକଙ୍କ ସୁବିଧା ବଢାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରାଯିବ । ସହରରେ ପ୍ରକୃତି ପ୍ରତି ନୂଆପିଢିଙ୍କୁ ଆକୃଷ୍ଟ କରାଇବା ପାଇଁ ଉଦ୍ୟମ କରାଯିବ । ଚିଡିଆଖାନାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଉତ୍ତମ ବ୍ୟବହାର ସହ ଚିଡ଼ିଆଖାନାର କର୍ମଚାର ମାନଙ୍କୁ ଭଲ ଭାବେ ତାଲିମ ଦେବା ପାଇଁ ପରାମର୍ଶ ଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ 'ବିଶ୍ୱ ପରିବେଶ ଦିବସ' ଅବସରରେ “ମା’ ପାଇଁ ଗଛଟିଏ” ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିନବ ଅଭିଯାନରେ ସାମିଲ ହେବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସମ୍ବଲପୁରକୁ ସବୁଜ ସହରରେ ପରିଣତ କରାଯିବ । ଏଥିପାଇଁ ୩ ମାସରେ ୧ ଲକ୍ଷରୁ ଅଧିକ ଗଛ ଲାଗିବ । ବିଶ୍ୱ ପରିବେଶ ଦିବସ ଜୁନ୍ ୫ରୁ, ଜୁଲାଇ ଓ ଅଗଷ୍ଟ ମାସ ପର୍ଯ୍ୟନ୍ତ ଗଛ ଲାଗିବ । ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ସହ ଏହି ଅଭିଯାନରେ ବହୁ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ମାତୃଶକ୍ତି, ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ସାମିଲ ହେବେ । ବୃକ୍ଷରୋପଣ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରାଯିବ । ଆମର ପରିବେଶକୁ ଆହୁରି ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ସହ ତାର ଯତ୍ନ ନେବା ଦରକାର ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
You Can Read:
ରାସ୍ତା ଉପରେ ହୁତୁ ହୁତୁ ହୋଇ ଜଳିଗଲା କଣ୍ଟେନର, ସୁରକ୍ଷିତ ଅଛନ୍ତି ଚାଳକ