୬୮ ଜଣଙ୍କୁ ପଦ୍ମ ପୁରସ୍କାର ଦେଲେ ରାଷ୍ଟ୍ରପତି, ଶାରଦା ସିହ୍ନାଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ

Published By : Prameya-News7 Bureau | May 28, 2025 IST

ନୂଆଦିଲ୍ଲୀ,୨୮।୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ଲୋକ ଗାୟିକା ଡକ୍ଟର ଶାରଦା ସିହ୍ନାଙ୍କ ସମେତ ମୋଟ ୬୮ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାର ଦିଆଯାଇଛି । ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ବିଦେଶ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ । 

ବିହାରର ଲୋକଗାୟିକା ସ୍ୱର୍ଗତଃ ଡକ୍ଟର ଶାରଦା ସିହ୍ନା, ନୃତ୍ୟାଙ୍ଗନା କୁମୁଦିନୀ ଲଖିଆଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରାଯାଇଛି । ସେହିଭଳି ରାମମନ୍ଦିର ଆନ୍ଦୋଳନରେ ସାମିଲ ସାଧ୍ୱୀ ଋତମ୍ଭରା, ଅଭିନେତ୍ରୀ ଶୋଭନା ଚନ୍ଦ୍ରକୁମାର, ପୂର୍ବତନ ବିଚାରପତି ଜେ.ଏସ୍‌ ଖେର, ଶିଳ୍ପପତି ନାଲି କୁପୁସ୍ୱାମୀ ଚେଟ୍ଟି ଓ ଶିକ୍ଷାବିତ ଡକ୍ଟର ବିବେକ ଦେବରୟ (ମରଣୋତ୍ତର)ଙ୍କୁ ପଦ୍ମଭୂଷଣ ମିଳିଛି । ଏହା ପୂର୍ବରୁ ଗତ ଏପ୍ରିଲ ୨୮ ତାରିଖରେ ରାଷ୍ଟ୍ରପତି ପ୍ରଥମ ପର୍ଯ୍ୟାୟରେ ୭୧ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଥିଲେ । ସେଥିରେ ୪ ଜଣଙ୍କୁ ପଦ୍ମ ବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଓ ୫୭ ଜଣଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା । 

କେନ୍ଦ୍ର ସରକାର ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଚଳିତବର୍ଷ ପାଇଁ ୧୩୯ ଜଣଙ୍କୁ ପଦ୍ମ ପୁରସ୍କାର ଦେବା ଲାଗି ଘୋଷଣା କରିଥିଲେ । ଏଥିରେ ଶାରଦା ସିହ୍ନା ଓ ଓସାମୁ ସୁଜୁକିଙ୍କ ସମେତ ୧୩ ଜଣଙ୍କୁ ମରଣୋତ୍ତର ଭାବେ ଚୟନ କରାଯାଇଥିଲା । ସେଥିରେ ୭ ଜଣଙ୍କୁ ପଦ୍ମ ବିଭୂଷଣ, ୧୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପ୍ରଦାନ ଲାଗି ଘୋଷଣା କରାଯାଇଥିଲା । ସେମାନଙ୍କ ମଧ୍ୟରେ ୨୩ ଜଣ ମହିଳା ଏବଂ ୧୦ ଜଣ ବିଦେଶୀ ସାମିଲ ଥିଲେ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.