ଏସ୍‌ଆଇ ନିଯୁକ୍ତି ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ, ସର୍ବୋଚ୍ଚ ବୟସସୀମା ବଢାଇଲେ

Published By : Prameya-News7 Bureau | July 25, 2025 IST

କଟକ, ୨୫/୦୭: ସବ୍‌ଇନ୍‌ସପେକ୍ଟର (ଏସ୍‌.ଆଇ.) ନିଯୁକ୍ତି ପ୍ରକ୍ରିୟାରେ ସର୍ବୋଚ୍ଚ ବୟସ ସୀମା ୩ ବର୍ଷ ବୃଦ୍ଧି କରାଯାଇଛି । ପୂର୍ବ ନିଯୁକ୍ତି ବିଜ୍ଞାପନରେ ସାଧାରଣ ବର୍ଗ  ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୨୫ ବର୍ଷ ଧାର୍ଯ୍ୟ ହୋଇଥିବାବେଳେ ଏବେ ତାହା ୨୮କୁ ବୃଦ୍ଧି କରାଯାଇଛି । ସେହିପରି ଅନୁସୂଚିତ ଜାତି(ଏସ୍‌ସି) ଏବଂ ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗର  ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୩୦ରୁ ୩୩ କରାଯାଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍‌ଭୋକେଟ୍‌ ଜେନେରାଲ (ଏଜି) ପୀତାମ୍ବର ଆଚାର୍ଯ୍ୟ ହାଇକୋର୍ଟରେ ସତ୍ୟପାଠ ଦେଇଥିଲେ । 

ସର୍ବୋଚ୍ଚ ବୟସ ସୀମା କୋହଳ କରାଯିବା ଫଳରେ ଏସ୍‌ଆଇ ପଦ ପାଇଁ  ଆବେଦନ କରିଥିବା ବୟସ ଅତିକ୍ରାନ୍ତ ଶହଶହ ପ୍ରାର୍ଥୀ ଆଶ୍ୱସ୍ତ ହୋଇଛନ୍ତି । ମାମଲାର ଚୂଡ଼ାନ୍ତ ଶୁଣାଣି  ହେବାର ଥିବାବେଳେ ସରକାର ସର୍ବୋଚ୍ଚ ବୟସ ସୀମା ୩ ବର୍ଷ ବୃଦ୍ଧି ସଂକ୍ରାନ୍ତରେ ଅଦାଲତଙ୍କୁ ଅବଗତ କରିଥିଲେ । ଏଥିସହ ହାଇକୋର୍ଟକୁ ଆସିନଥିବା ଆଶୟୀ ପ୍ରାର୍ଥୀମାନେ ମଧ୍ୟ ଏହି ସୁବିଧାର  ସୁଯୋଗ ନେବା ଲାଗି ରାଜ୍ୟ ସରକାର  ପଦକ୍ଷେପ ନେଉଛନ୍ତି ବୋଲି ଏଜି ଶ୍ରୀ ଆଚାର୍ଯ୍ୟ ଅଦାଲତଙ୍କୁ ଅବଗତ କରିଥିଲେ । 

ତେବେ ବୟସ ସୀମା ବୃଦ୍ଧି ବ୍ୟବସ୍ଥା କେବଳ ଏହି ଗୋଟିଏ ନିଯୁକ୍ତି କ୍ଷେତ୍ରରେ ଲାଗୁ ହେବ ବୋଲି କୁହାଯାଇଛି । ପରବର୍ତ୍ତୀ ସମୟରେ  ଅନ୍ୟ କୌଣସି ଚାକିରିରେ ଏହାକୁ ଆଳ କରି ବୟସ ସୀମା ବୃଦ୍ଧି  କରାଯାଇ ପାରିବନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସରକାରଙ୍କ ଏହି ସତ୍ୟପାଠ ପରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌  ଆଦିତ୍ୟ କୁମାର ମହାପାତ୍ର ମାମଲାର ଅନ୍ତ ଘଟାଇଛନ୍ତି । ଗତ ଜାନୁଆରୀରେ ରାଜ୍ୟ ସରକାର ପୁଲିସ ସବ୍‌ଇନ୍ସପେକ୍ଟର  ଓ ସେହି ପାହ୍ୟାରେ ୯୩୩ଟି ପଦ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଥିଲେ ।

ଓଡ଼ିଶା ପୋଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ ପକ୍ଷରୁ ୬୦୯ ପୋଲିସ ଏସ୍‌ଆଇ, ୨୫୩ ସଶସ୍ତ୍ର ପୁଲିସ ଏସ୍‌ଆଇ, ୪୭ଟି ଅଗ୍ନିଶମ ଷ୍ଟେସନ୍‌ ଅଫିସର, ୨୪ଟି ଆସିଷ୍ଟାଣ୍ଟ ଜେଲର୍‌ ପଦ ପାଇଁ ଆଶାୟୀ ପ୍ରାର୍ଥୀଙ୍କଠାରୁ  ଆବେଦନପତ୍ର ଆହ୍ୱାନ କରାଯାଇଥିଲା । ଏହି ପଦ ଲାଗି ଆବେଦନର  ସର୍ବନିମ୍ନ ୨୧ବର୍ଷ ଧାର୍ଯ୍ୟ ହୋଇଥିଲାବେଳେ ସର୍ବୋଚ୍ଚ ବୟସ ସୀମା ୨୫ବର୍ଷ ଧାର୍ଯ୍ୟ କରାଯାଇଥିଲା । 

୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା  ପ୍ରାର୍ଥୀମାନଙ୍କ ସର୍ବୋଚ୍ଚ ବୟସ ୨୫ ବର୍ଷରୁ ଅଧିକ ହୋଇନଥିବ ବୋଲି  କଟକଣା ଜାରି କରାଯାଇଥିଲା । ତେବେ ଏହି ବିଜ୍ଞପ୍ତିକୁ ଚାଲେଞ୍ଜ କରି ପ୍ରାୟ ୩ଶହ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନେ ପିଟିସନ୍‌ରେ ଦର୍ଶାଇଥିଲେ ଯେ, କୋଭିଡ୍‌ ପୂର୍ବରୁ ଏସ୍‌.ଆଇ. ପଦ ଲାଗି କୌଣସି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇନଥିଲା । ଶେଷଥର ପାଇଁ କିଛି ସବ୍‌-ଇନ୍ସପେକ୍ଟର ପଦରେ ନିଯୁକ୍ତି ପାଇଁ ୨୦୨୧ରେ ପଦକ୍ଷେପ ନିଆଯାଇଥିଲା । 

ସେବେଠାରୁ ଆଉ ଏହି ପଦରେ ନିଯୁକ୍ତି ଦିଆଯାଇ ନାହିଁ । ଦୀର୍ଘବର୍ଷ ପରେ ଏହି ପଦ ଲାଗି  ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଥିବାରୁ ବହୁ ଆବେଦନକାରୀଙ୍କ ବୟସ  ଅତିକ୍ରାନ୍ତ କରିଯାଇଛି । ଫଳରେ ଶହ ଶହ ଆଶାୟୀ ଏହି ପଦ ପାଇଁ  ଆବେଦନ କରିବାରୁ ବଞ୍ଚିତ ହେଉଛନ୍ତି । ନିକଟରେ ରାଜ୍ୟ ସରକାର  କନଷ୍ଟେବଳ, ସିପାହୀ ଆଦି ପଦରେ ନିଯୁକ୍ତି ଆବେଦନ ପାଇଁ ସର୍ବୋଚ୍ଚ  ବୟସ ସୀମା ୩ ବର୍ଷ ବୃଦ୍ଧି କରିଛନ୍ତି । କିନ୍ତୁ ସବ୍‌-ଇନ୍ସପେକ୍ଟର ପଦ  ଲାଗି ବୟସ ସୀମା କଟକଣା କୋହଳ କରାଯାଇନାହିଁ । 

ତେଣୁ  ଏସ୍‌.ଆଇ. ପଦ ପାଇଁ ଚାଲିଥିବା ନିଯୁକ୍ତି ପ୍ରକ୍ରିୟାରେ ସର୍ବୋଚ୍ଚ ବୟସ  ସୀମା କୋହଳ କରିବାକୁ ଆବେଦନକାରୀମାନେ ପ୍ରାର୍ଥନା କରିଥିଲେ । ହାଇକୋର୍ଟ ମାମଲାର ପ୍ରାଥମିକ ଶୁଣାଣି କରି ଆବେଦନକାରୀଙ୍କୁ ସବ୍‌-ଇନ୍ସପେକ୍ଟର ପଦ ଲାଗି ଆବେଦନ କରିବାକୁ ଅନୁମତି ପ୍ରଦାନ କରିଥିଲେ । 

କିନ୍ତୁ ଅଦାଲତଙ୍କ ଅନୁମତି ବିନା କୌଣସି ନିଯୁକ୍ତି  ଦିଆଯାଇ ପାରିବନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ଆଦେଶରେ  ସ୍ପଷ୍ଟ କରିଥିଲେ । ଏହି ଅନ୍ତରୀଣ ଆଦେଶ ବଳବତ୍ତର ରହି  ଆସୁଥିଲା । ସରକାରଙ୍କ ସତ୍ୟପାଠ ପରେ ଆବେଦନକାରୀ  ଆଶ୍ୱସ୍ତ ହୋଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ମାମଲା ପରିଚାଳନା କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.