ନୂଆଦିଲ୍ଲୀ ୦୪/୦୬: ଦକ୍ଷିଣ କୋରିଆରେ ଜୁନ୍ ୩, ୨୦୨୫ । ସାଉଥି କୋରିଆ ପାଇଁ ଐତିହାସିକ ଦିନ । ଏଠାରେ ଅନୁଷ୍ଠିତ ସ୍ୱତନ୍ତ୍ର ରାଷ୍ଟ୍ରପତି ନିର୍ବାଚନରେ, ବାଜି ମାରିଛନ୍ତି ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଲି ଜାଏ-ମ୍ୟୁଙ୍ଗ୍ । ପ୍ରାର୍ଥୀ କିମ୍ ମୁନ୍-ସୁଙ୍କୁ ବିପୁଳ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି ସେ । ୮୫% ରୁ ଅଧିକ ଭୋଟ ଗଣତି ପରେ କିମ୍ ମୁନ୍-ସୁ ତାଙ୍କ ପରାଜୟକୁ ସ୍ୱୀକାର କରିଥିଲେ । ଏହି ବିଜୟ କେବଳ ଏକ ରାଜନୈତିକ ପରିବର୍ତ୍ତନ ନୁହେଁ ବରଂ ଏକ ଗଣତାନ୍ତ୍ରିକ ପୁନର୍ଜାଗରଣର ପ୍ରତୀକ ପାଲଟିଛି।
ଦକ୍ଷିଣ କୋରିଆରେ ଏକ ସ୍ୱତନ୍ତ୍ର ନିର୍ବାଚନର ଆବଶ୍ୟକତା ସେତେବେଳେ ଥିଲା ଯେତେବେଳେ ପୂର୍ବତନ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ୍ ଡିସେମ୍ବର ୩, ୨୦୨୪ରେ ସାମରିକ ଆଇନ ଲାଗୁ କରିଥିଲେ । ଯାହା ସାରା ଦେଶରେ ଗଣତନ୍ତ୍ରର ମୂଳଦୁଆକୁ ହଲାଇ ଦେଇଥିଲା । ୧୯୮୭ରେ ଦକ୍ଷିଣ କୋରିଆରେ ଗଣତନ୍ତ୍ର ପୁନରୁଦ୍ଧାର ପରେ ଏହା ପ୍ରଥମ ଥର ଥିଲା ଯେତେବେଳେ ଜଣେ ରାଷ୍ଟ୍ରପତି ସେନା ସାହାଯ୍ୟରେ ଶାସନ କରିବାକୁ ଚେଷ୍ଟା କରିଥିଲେ ।
ନିର୍ବାଚନ ପୂର୍ବରୁ କ’ଣ ଘଟିଥିଲା?
ଦକ୍ଷିଣ କୋରିଆରେ ବିରୋଧୀ ଡେମୋକ୍ରାଟିକ୍ ପାର୍ଟିର ନେତୃତ୍ୱ ଲି ଜାଏ-ମ୍ୟୁଙ୍ଗ୍ ନେଇଥିଲେ । ଯିଏ ସଂସଦରେ ୟୁନ୍ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ପାରିତ କରିଥିଲେ। ଏପ୍ରିଲ ୨୦୨୫ରେ, ସାମ୍ବିଧାନିକ ଅଦାଲତ ୟୁନ୍ଙ୍କୁ ପଦରୁ ବହିଷ୍କାର କରିଥିଲେ। ତାଙ୍କ ବିରୁଦ୍ଧରେ ଦେଶଦ୍ରୋହ ଏବଂ କ୍ଷମତାର ଅପବ୍ୟବହାରର ଫୌଜଦାରୀ ମାମଲା ଆରମ୍ଭ ହୋଇଥିଲା। ଏହି ରାଜନୈତିକ ଉତ୍ଥାନ ଯୋଗୁଁ ଜୁନ୍ ୨୦୨୫ ରେ ସ୍ୱତନ୍ତ୍ର ନିର୍ବାଚନ କରିବା ଜରୁରୀ ହୋଇଗଲା।
ଲି ଜାଏ-ମ୍ୟୁଙ୍ଗଙ୍କ ନିର୍ବାଚନ ବାର୍ତ୍ତା
ଲି ଜାଏ-ମ୍ୟୁଙ୍ଗ ତାଙ୍କ ନିର୍ବାଚନ ଅଭିଯାନକୁ "ଜନତା ନ୍ୟାୟ ଦିବସ" ବୋଲି କହିଥିଲେ ଏବଂ ୟୁନଙ୍କ ସରକାରଙ୍କୁ ଏକ ଅଗଣତାନ୍ତ୍ରିକ ମାନସିକତା, ନ୍ୟାୟିକ ପ୍ରତିଷ୍ଠାନ ପ୍ରତି ଅବମାନନା ଏବଂ ଲୋକଙ୍କ ଅଧିକାର ଦମନକାରୀ ଭାବରେ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ ଏହି ନିର୍ବାଚନ କେବଳ କ୍ଷମତା ପରିବର୍ତ୍ତନ ନୁହେଁ, ବରଂ ଲୋକଙ୍କ ଆତ୍ମସମ୍ମାନର ପୁନରାବୃତ୍ତି।
ଗଣତନ୍ତ୍ର ସପକ୍ଷରେ ଲୋକଙ୍କ ନିର୍ଣ୍ଣାୟକ ଜନାଦେଶ
ସ୍ୱତନ୍ତ୍ର ନିର୍ବାଚନରେ ୮୦% ରୁ ଅଧିକ ମତଦାନ ହୋଇଥିଲା । ଯାହା ୧୯୯୭ ପରଠାରୁ ସର୍ବାଧିକ। ଏହା ଦର୍ଶାଉଛି ଯେ ଜନସାଧାରଣ ରାଜନୈତିକ ଅସ୍ଥିରତାରେ କେତେ ଅତିଷ୍ଟ । ସେମାନେ ଗଣତନ୍ତ୍ରକୁ ସୁରକ୍ଷା ଦେବା ପାଇଁ ମତଦାନ କେନ୍ଦ୍ରକୁ ଆସିଥିଲେ । ଲି ଜାଏ-ମ୍ୟୁଙ୍ଗଙ୍କୁ ନୂତନ ନେତା ଭାବରେ ନିର୍ବାଚିତ କରିବା ପାଇଁ ଏକତ୍ରିତ ହୋଇଥିଲେ । ଏହା କେବଳ ଭୋଟ ଦାନ ନୁହେଁ ବରଂ ଏକ ଗଣ ବିଦ୍ରୋହ ଏବଂ ଗଣତାନ୍ତ୍ରିକ ଆନ୍ଦୋଳନ ଥିଲା।
ଦକ୍ଷିଣ କୋରିଆରେ ଲି ଜାଏ-ମ୍ୟୁଙ୍ଗଙ୍କ ପ୍ରାଥମିକତା
ଦକ୍ଷିଣ କୋରିଆରେ ନିର୍ବାଚନ ବିଜୟ ପୂର୍ବରୁ, ଲି ଜାଏ-ମ୍ୟୁଙ୍ଗ କହିଥିଲେ ଯେ ସେ ଦେଶରେ ରାଜନୈତିକ ଧ୍ରୁବୀକରଣ ସମାପ୍ତ କରିବାକୁ ଚାହାଁନ୍ତି । ସେ ଆର୍ଥିକ ପୁନରୁଦ୍ଧାର ଉପରେ ବିଶେଷ ଧ୍ୟାନ ଦେବେ। ବିଶେଷକରି ଯୁବପିଢ଼ି ଓ ମଧ୍ୟବିତ୍ତ ବର୍ଗ ପାଇଁ କାମ କରିବା ପ୍ରଥମ ପ୍ରାଥମିକତା ହେବ । ଉତ୍ତର କୋରିଆ ସହିତ ଶାନ୍ତି ଓ ସହଯୋଗର ଉପାୟ ଅନୁସନ୍ଧାନ କରାଯିବ। ତଥାପି, ଏହା ଦେଖିବା ଆକର୍ଷଣୀୟ ହେବ ଯେ ତାଙ୍କର ନୀତି ଦକ୍ଷିଣ କୋରିଆକୁ ସ୍ଥିରତା, ସୁରକ୍ଷା ଏବଂ ସମୃଦ୍ଧିର ଏକ ନୂତନ ଦିଗରେ ନେଇପାରିବ କି ନାହିଁ।
ଅଭିନନ୍ଦନ ଜଣାଇଲେ କିମ୍ ମୁନ୍-ସୁ:
ୟୁନ୍ ସୁକ୍ ୟୋଲଙ୍କ ଘନିଷ୍ଠ ବନ୍ଧୁ a ପୂର୍ବତନ ଶ୍ରମ ମନ୍ତ୍ରୀ କିମ୍ ମୁନ୍-ସୁ ତାଙ୍କ ପରାଜୟକୁ ଗ୍ରହଣ କରିଥିଲେ । ଲିଙ୍କୁ ବିଜୟ ପାଇଁ ଅଭିନନ୍ଦନ ବି ଜଣାଇଲେ। କିମ୍ ମୁନ୍-ସୁ କଞ୍ଜରଭେଟିଭ୍ ପିପୁଲ୍ସ ପାୱାର ପାର୍ଟିର ପ୍ରାର୍ଥୀ ଥିଲେ।
ଡିସେମ୍ବର ୨୦୨୪ରେ, ଯେତେବେଳେ ତତ୍କାଳୀନ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ୍ ଦକ୍ଷିଣ କୋରିଆରେ ସାମରିକ ଆଇନ ଲାଗୁ କରିବାର ଘୋଷଣା କଲେ । ବିରୋଧୀ ନେତା ଲି ଜାଏ-ମିୟୁଙ୍ଗ ପ୍ରତିରୋଧର ସାହସିକ ପଥ ବାଛିଲେ । ଯେତେବେଳେ ସେନା ଜାତୀୟ ସଭାରେ ତାଙ୍କର ପ୍ରବେଶକୁ ନିଷେଧ କଲା, ଲି କାନ୍ଥ ଡେଇଁ ସଂସଦରେ ପ୍ରବେଶ କରିବାକୁ ଚେଷ୍ଟା କଲେ। ସେ YouTube ରେ ସମଗ୍ର ଘଟଣାକୁ ଲାଇଭ୍ ଷ୍ଟ୍ରିମ୍ କରିଥିଲେ । ଯାହା କିଛି ଘଣ୍ଟା ମଧ୍ୟରେ ଭାଇରାଲ ହୋଇଥିଲା। ସେହି ଦିନ, ସାମରିକ ଆଇନ ପ୍ରତ୍ୟାହାର ପାଇଁ ସଂସଦରେ ଭୋଟ୍ ଅନୁଷ୍ଠିତ ହୋଇଥିଲା।
ସଂଘର୍ଷରୁ ନେତା
୬୧ ବର୍ଷୀୟ ଲି ଜାଏ-ମିୟୁଙ୍ଗଙ୍କ ଜୀବନ ସଂଘର୍ଷ ସହିତ ଆରମ୍ଭ ହୋଇଥିଲା । ଶୈଶବ ଦାରିଦ୍ର୍ୟରେ, ଶିଶୁ ଶ୍ରମିକ ଭାବରେ କାମ କରିଥିଲେ । ନିଜେ ଅଧ୍ୟୟନ କରିଥିଲେ ଓ ଆଇନରେ ଡିଗ୍ରୀ ହାସଲ କରିଥିଲେ। ମାନବାଧିକାର ଓକିଲ ଭାବରେ ଆରମ୍ଭ କରିଥିଲେ। ଏହା ପରେ, ସେ ସେଓଙ୍ଗନାମର ମେୟର ଓ ତା'ପରେ ଗ୍ୟୋଙ୍ଗି ପ୍ରଦେଶର ରାଜ୍ୟପାଳ ହୋଇଥିଲେ।
୨୦୨୨ରେ ପରାଜୟ
ଲି ଜାଏ-ମିୟୁଙ୍ଗ ୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ହାରିଯାଇଥିଲେ, କିନ୍ତୁ ରାଜନୀତିରୁ ଓହରି ନଥିଲେ। ବିରୋଧୀ ଦଳର ନେତୃତ୍ୱ ନେବା ସମୟରେ ସେ ସଂସଦରେ ଏବଂ ରାସ୍ତାରେ ସାଧାରଣ ପ୍ରସଙ୍ଗ ଉଠାଇ ଚାଲିଥିଲେ। ଏହି ସମୟରେ, ତାଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଲା, ବିଶେଷକରି ଯୁବପିଢ଼ି ଏବଂ ନିମ୍ନ-ମଧ୍ୟବିତ୍ତ ବର୍ଗଙ୍କ ମଧ୍ୟରେ।
୨୦୨୪ ଜାନୁଆରୀରେ ବୁସାନ ଗସ୍ତ ସମୟରେ, ଜଣେ ବ୍ୟକ୍ତି ତାଙ୍କ ବେକରେ ୭ ଇଞ୍ଚ ଲମ୍ବା ଛୁରୀ ସାହାଯ୍ୟରେ ତାଙ୍କ ଉପରେ ଅଟୋଗ୍ରାଫ୍ ମାଗିବା ବାହାନାରେ ଆକ୍ରମଣ କରିଥିଲେ। ତାଙ୍କୁ ଏୟାରଲିଫ୍ଟ କରାଯାଇ ସିଓଲ ନ୍ୟାସନାଲ ୟୁନିଭରସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସମର୍ଥକ ଏବଂ ସମାଲୋଚକ ଉଭୟ ଏହି ଆକ୍ରମଣକୁ ନିନ୍ଦା କରିଥିଲେ। ଏହି ଆକ୍ରମଣ ତାଙ୍କୁ ଭୟଭୀତ କରିନଥିଲା, ବରଂ ତାଙ୍କ ପ୍ରତିଛବିକୁ ଆହୁରି ମଜବୁତ କରିଥିଲା।