ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତ ଥର ରାଜ୍ୟ ବଜେଟର ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଛି । ତେବେ ବଜେଟ୍ରେ ଭିତ୍ତିଭୂମିର ବିକାଶ ଉପରେ ସରକାର ଅଧିକ ଗୁରୁତ୍ୱ ଦେଇଛନ୍ତି । ଚଳିତ ବଜେଟ୍ରେ ପୁଞ୍ଜିଗତ ବ୍ୟୟ ପାଇଁ ୬୫,୦୧୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ଆବଣ୍ଟନ ରାଜ୍ୟ ଜିଡିପିର ୬.୧ ପ୍ରତିଶତ, ଯାହା ଦେଶର ଅନ୍ୟ ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ ।
୨୦୨୫-୨୬ ବଜେଟ୍ରେ ବିଭିନ୍ନ କାର୍ଯ୍ୟକ୍ରମରେ ଖର୍ଚ୍ଚ ପାଇଁ ୧,୭୦,୦୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି, ଯାହା ମୋଟ ବଜେଟ୍ର ୫୯ ପ୍ରତିଶତ । ସେହିପରି ପରିଚାଳନାଗତ ଖର୍ଚ୍ଚ ପାଇଁ ୧,୦୮,୦୦୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଡିଆର୍ଏମ୍ଏଫ୍ ପାଇଁ ୪୦୦୦ କୋଟି ଟଙ୍କା । ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ୩୩୧୧ କୋଟି ଟଙ୍କା ଏବଂ ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ୪୫୫୯ କୋଟି ଟଙ୍କା ପଞ୍ଚାୟତ ଏବଂ ପୌରାଞ୍ଚଳକୁ ଦିଆଯିବ ।
ରାଜ୍ୟର ମୋଟ ପ୍ରସ୍ତାବିତ ବଜେଟ୍ ୨,୯୦,୦୦୦ କୋଟି ଟଙ୍କା । ରାଜସ୍ୱ ଆୟ ଲକ୍ଷ୍ୟ ୨,୩୨,୦୦୦ କୋଟି ଟଙ୍କା । ରାଜ୍ୟର ଆୟ ନିଜସ୍ୱ ଟିକସ ୬୬ ହଜାର କୋଟି, ନିଜସ୍ୱ ଅଣ ଟିକସ ରାଜସ୍ୱ ୬୦ ହଜାର କୋଟି, କେନ୍ଦ୍ର ଟିକସରୁ ରାଜ୍ୟ ଭାଗ ୬୪,୪୦୮ କୋଟି ଟଙ୍କା, କେନ୍ଦ୍ରୀୟ ଅନୁଦାନ ୪୧,୫୯୨ କୋଟି ଟଙ୍କା । ଋଣ ଏବଂ ଅନ୍ୟ ମାର୍ଗରୁ ୫୮,୦୦୦ କୋଟି ଟଙ୍କା । ବଜେଟରେ ରାଜସ୍ୱ ବଳକା ରାଜ୍ୟ ଜିଡିପିର ୩ ପ୍ରତିଶତ ରହିବା ନେଇ ଅନୁମାନ କରାଯାଇଛି । ସେହିପରି ୨୦୨୫-୨୬ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ରାଜ୍ୟ ଜିଡିପିର ୩.୨ ପ୍ରତିଶତ ରହିବା ନେଇ ଲକ୍ଷ୍ୟ ରଖାଯାଇଛି ।
ପଢନ୍ତୁ: State Budget : ଜାଣନ୍ତୁ ବଜେଟ୍ରେ କେଉଁ ବିଭାଗକୁ କେତେ ଆବଣ୍ଟନ