ଭୁବନେଶ୍ବର ୧୩।୬: ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା କଟକର ବାଲିଯାତ୍ରା ପଡ଼ିଆ ଠାରେ ରାଜ୍ୟସ୍ତରୀୟ ନାରୀଶକ୍ତି ସମାବେଶ ଆୟୋଜିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଯେ, ନାରୀଙ୍କୁ ସମ୍ମାନ ପ୍ରଦାନ କରିବା ଆମ ରାଜନୈତିକ ପ୍ରଶିକ୍ଷଣର ପ୍ରଥମ ଶିକ୍ଷା । ଏହି ସମାବେଶର ଏକମାତ୍ର ଉଦ୍ଦେଶ୍ୟ ହେଉଛି, ଓଡ଼ିଶାର ନାରୀଶକ୍ତିକୁ ଆମର ସବୁଠାରୁ ଶ୍ରେଷ୍ଠ ଶକ୍ତି କରି ଗଢି ତୋଳିବା ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସରକାର ଏକ ବର୍ଷ ପୂରଣ ପରେ ଦ୍ଵିତୀୟ ବର୍ଷର ପ୍ରଥମ କାର୍ଯ୍ୟକ୍ରମ ହେଉଛି, ଆମର ଏହି ନାରୀ ଶକ୍ତି ସମାବେଶ । କାରଣ, ଆମେ ବିଶ୍ବାସ କରୁ ଯେ ଯେତେ ପର୍ଯ୍ୟନ୍ତ ରାଜ୍ୟର ଅଧା ଜନସଂଖ୍ୟାର ବିକାଶ ହୋଇ ନାହିଁ, ରାଜ୍ୟ କେବେ ବି ବିକଶିତ ହୋଇ ପାରିବ ନାହିଁ । ଐତିହାସିକ ସହର କଟକ ଠାରେ ଏହିକାର୍ଯ୍ୟକ୍ରମର ଶୁଭାରମ୍ଭ ଓଡିଶାର ମା’ ଓ ଭଉଣୀ ମାନଙ୍କ ପାଇଁ ଏକ ସୁବର୍ଣ୍ଣଯୁଗ ଆଣିବ ବୋଲି ମୁଁ ଦୃଢ ନିଶ୍ଚିତ ।
ନାରୀମାନଙ୍କ ସଶକ୍ତିକରଣ ପାଇଁ ଆମର ସବୁଠୁ ଯୁଗାନ୍ତକାରୀ ଯୋଜନା ହେଉଛି ସୁଭଦ୍ରା ଯୋଜନା। ସୁଭଦ୍ରା ଯୋଜନା ହେଉଛି ଓଡ଼ିଶାର ଇତିହାସରେ ସବୁଠାରୁ ବଡ ମହିଳା କଲ୍ୟାଣ କାର୍ଯ୍ୟକ୍ରମ । କେବଳ ମହିଳା ନୁହେଁ ଏତେ ବୃହତ ସାମାଜିକ କଲ୍ୟାଣକାରୀ ଯୋଜନା ପୂର୍ବରୁ କରାଯାଇ ନଥିଲା । ଆମ ସରକାର ଓଡ଼ିଶାର ପ୍ରତ୍ୟେକ ଗାଁ, ପ୍ରତ୍ୟେକ ପରିବାର ସହିତ ସଂଯୋଗ କରି ତଥ୍ୟ ସଂଗ୍ରହ କରିଛନ୍ତି । ଘରକୁ ଘର ବୁଲି, ଆମେ ଅଧିଂକାଶ ପରିବାର ସହିତ ଯୋଗାଯୋଗ କରିଛୁ । ବିଶେଷ କରି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଯେଉଁଠାରେ ମା’ମାନେ ଏତେ ସଚେତନ ନୁହନ୍ତି, ସେଠାରୁ ତଥ୍ୟ ଅଣାଯାଇ ସେମାନଙ୍କୁ ଏହି ଯୋଜନାରେ ଯୋଡାଯାଇଛି । ସୁଭଦ୍ରା ଯୋଜନାର ସଫଳତା ଆମ ବଳିଷ୍ଠ ସଂକଳ୍ପର ଏକ ପ୍ରକୃଷ୍ଟ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେ କହିଥିଲେ ଯେ, ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅନେକ ମା’ ମାନେ ସୁଭଦ୍ରା ସହାୟତାକୁ ଏକାଠି କରି ବିଭିନ୍ନ ପ୍ରକାର ଅର୍ଥନୈତିକ କାରବାର, ମିଳିତ କୃଷି କାର୍ଯ୍ୟକରି ନିଜ ପରିବାର ପାଇଁ ଭଲ ରୋଜଗାର କରୁଛନ୍ତି । ଏହି ସୁଭଦ୍ରା ସହାୟତା ହେଉଛି ମା’ମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାର ଏକ ଲମ୍ବା ଯାତ୍ରା । ମହିଳାଙ୍କୁ ଆର୍ଥିକ ସ୍ତରରେ ସ୍ବାବଲମ୍ବୀ କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀ ଜୀ ‘ଲକ୍ଷପତି ଦିଦି’ ଯୋଜନାର ପରିକଳ୍ପନା କରିଥିଲେ । ଏହା ଆମ ରାଜ୍ୟ ପାଇଁ, ବିଶେଷ ଭାବେ ଆମ ରାଜ୍ୟର ମା’ ମାନଙ୍କ ପାଇଁ ଖୁସିର ବିଷୟ ଯେ, ଓଡ଼ିଶା ବର୍ତ୍ତମାନ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାରେ ସମଗ୍ର ଭାରତରେ ପ୍ରଥମ ସ୍ଥାନରେ ଅଛି । ଆମେ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି କରିଛୁ ।
ସେ ପୁଣି କହିଥିଲେ ଯେ, ଚଳିତ ବର୍ଷ ରାଜ୍ୟର ସମସ୍ତ ସରକାରୀ ବିଭାଗ ମିଳିତ ଭାବରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ୩,୬୯୫ କୋଟି ଟଙ୍କାର ବ୍ୟବସାୟିକ ସୁଯୋଗ ପ୍ରଦାନ କରିଛନ୍ତି । ଏହା ଆମ ରାଜ୍ୟର ଇତିହାସରେ ସର୍ବକାଳୀନ ରେକର୍ଡ । ୩.୦୭ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରାୟ ୩୦୦ କୋଟି ଟଙ୍କାର ସୁଧ ଫେରସ୍ତ କରାଇ ସେମାନଙ୍କର ଆର୍ଥିକ ସ୍ୱପ୍ନକୁ ସାକାର କରିବାରେ ସହାୟକ ହୋଇଛୁ । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା (MSPY) ମାଧ୍ୟମରେ ଆମେ ମହିଳା ଓ ପିଲାମାନଙ୍କ ସୁସ୍ଥ ଭବିଷ୍ୟତ ପାଇଁ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଯୋଗାଇଦେବାର ବ୍ୟବସ୍ଥା କରୁଛୁ । ମହିଳା ସଶକ୍ତିକରଣ ଆମପାଇଁ ଏକ ସ୍ଲୋଗାନ ନୁହେଁ । ଚଳିତ ବର୍ଷ ବଜେଟରେ କେବଳ ମହିଳାଙ୍କ ପାଇଁ ୮୯ ହଜାର ୮୬୧ କୋଟି ଟଙ୍କାର ପ୍ରାବଧାନ ମହିଳାଙ୍କ ପାଇଁ ଆମର ପ୍ରତିବଦ୍ଧତା । ମହିଳା ସଶକ୍ତିକରଣରେ ଓଡିଶା ଦେଶର ଏକ ମଡେଲ ରାଜ୍ୟ ଭାବରେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ପ୍ରେରଣା ହେବ ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କଟକ ସାଂସଦ ଭର୍ତ୍ତୃହରି ମହତାବ, ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, କଟକ ସଦର ବିଧାୟକ ପ୍ରକାଶ ସେଠୀ, ବଡମ୍ବା ବିଧାୟକ ବିଜୟ ଦଳବେହେରା, ନିଆଳି ବିଧାୟକ ଛବି ମଲ୍ଲିକ, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ ଓ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ ।
You Can Read:
ପିଇବା ପାଣିରୁ ବ୍ୟାପି ଥାଇପାରେ ଡ଼ାଇରିଆ, ଆଗୁଆ ମୌସୁମୀ ଏହାର କାରଣ ବୋଲି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ