ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ କିଏ ? ମଙ୍ଗଳବାର ବିଧାୟକ ଦଳ ବୈଠକରେ ହେବ ଘୋଷଣା

Published By : Prameya-News7 Bureau | September 16, 2024 IST

india today

ନୂଆଦିଲ୍ଲୀ:  ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ  ହେବ ଏହାକୁ ନେଇ ସସପେନ୍ସ ବଢିବାରେ ଲାଗିଛି। ମଙ୍ଗଳବାର ଚିତ୍ର ସ୍ପଷ୍ଟ ହେବାର ଅଧିକ ସମ୍ଭାବନା ରହିଛି। ଆସନ୍ତାକାଲି ଅପରାହ୍ଣ ୪ଟା ୩୦ରେ ଉପ ରାଜ୍ୟପାଲ ଭିକେ ସକ୍ସେନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ଦେଇଛନ୍ତି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚେହେରା ଉପରେ ମୋହର ମାରିବା ପାଇଁ ସୋମବାର ଆମ୍ ଆଦମୀ ପାର୍ଟିର ରାଜନୈତିକ ବ୍ୟାପାର କମିଟି(ପିଏସି) ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଦିଲ୍ଲୀର ସ୍ଵାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ଵାଜ  କହିଛନ୍ତି, ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ଆସନ୍ତାକାଲି ବିଧାୟକ ଦଳ ବୈଠକ ପରେ ତାର ଘୋଷଣା କରାଯିବ। 

Also read: ‘କେବଳ ବଇଁଶୀରେ କାମ ଚାଲିବ ନାହିଁ, ଧର୍ମର ସୁରକ୍ଷା ପାଇଁ ସୁଦର୍ଶନ ମଧ୍ୟ ଜରୁରୀ’, ଯୋଗୀ ଆଦିତ୍ୟନାଥଙ୍କ ବଡ଼ ବୟାନ

ସୌରଭ ଭରଦ୍ଵାଜ କହିଛନ୍ତି, ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପିଏସି ବୈଠକ ଡକାଇଥିଲେ। ଆସନ୍ତାକାଲି ଭେଟିବା ପାଇଁ ଉପରାଜ୍ୟପାଳ ସମୟ ଦେଇଛନ୍ତି। ଆଜି ବସିଥିବା ପିଏସି ବୈଠକରେ ମୁଖ୍ୟମନ୍ତ୍ରୀ ନାଁ ଉପରେ ଆଲୋଚନା ହୋଇଛି। ବୈଠକରେ କ୍ୟାବିନେଟ୍‌ର ମନ୍ତ୍ରୀ ପରିଷଦ ଉପସ୍ଥିତ ଥିଲେ। ନେତା ଏବଂ ମନ୍ତ୍ରୀଙ୍କଠୁ  ଜଣ ଜଣ କରି ନୂତନ ମୁଖ୍ୟମନ୍ତ୍ରୀ ଚେହେରା ଉପରେ ମତାମତ ଗ୍ରହଣ କରାଯାଇଛି। ଆସନ୍ତାକାଲି କେଜ୍ରିଓ୍ଵାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏବଂ ବିଧାୟକ ଦଳ ବୈଠକ ବସିବ। 

ଆସନ୍ତାକାଲି ପୂର୍ବାହ୍ଣ ୧୧ଟା ୩୦ରେ ଆପ୍‌ର ବିଧାୟକ ଦଳ ବୈଠକ ବସିବ। ଏଥିରେ ନୂତନ ମୁଖ୍ୟମନ୍ତ୍ରୀ ନାମ ଉପରେ ଆଲୋଚନା ହେବ। ଉଲ୍ଲେଖନୀୟ ଅବକାରୀ ନୀତି ମାମଲାରେ ତିହାର  ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଶନିବାର ଜେଲ୍‌ରୁ ମୁକୁଳିଥିଲେ। ସେ ରବିବାର ୪୮ ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। ଅଦାଲତରୁ ନ୍ୟାୟ ମିଳି ସାରିଥିବା ବେଳେ ଏବେ ଜନତା ଅଦାଲତରୁ ନ୍ୟାୟ ମିଳିବା ଦରକାର ବୋଲି କେଜ୍ରିଓ୍ଵାଲ କହିଥିଲେ। ସେ କହିଥିଲେ, ଯେ ପର୍ଯ୍ୟନ୍ତ ଲୋକେ ତାଙ୍କୁ ନ୍ୟାୟ ନ ଦେଇଛନ୍ତି ଏବଂ ନିର୍ବାଚନ ନ ଜିତାଇଛନ୍ତି ସେ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ପଦରେ ବସିବେ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.