ଆଠଗଡ ୨୯/୩: ଆଉ ଅନ୍ଧାରରରେ ସନ୍ତୁଳି ହେବାକୁ ପଡିବନି। ଯାତାୟତ ପାଇଁ ହୀନସ୍ତା ହେବେନି । ପିଇବାକୁ ମିଳିବ ସ୍ବଚ୍ଛ ପାଣି । ଅନ୍ଧାରୀ ମୁଲକରେ ଥିବା ଦଲକା ଗାଁ ଲୋକଙ୍କ ମୁହଁରେ ଖୁସିର ଝଲକ । କାହିଁକି ନା ଏତେ ବର୍ଷ ପରେ ଅନ୍ଧାର ଗାଁରେ ଜଳିଛି ଆଲୁଅ । ଝଲସିଛି ଗାଁ ଦାଣ୍ଡ । ଅପହଞ୍ଚ ଇଲାକା ନାଁରେ ଜଣାଶୁଣା କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଦେବଭୂମି ପଞ୍ଚାୟତର ଘଞ୍ଚ ଜଙ୍ଗଲରେ ଥିବା ଦଲକ ଗାଁ ଉପରେ ପ୍ରଶାସନର ଦୃଷ୍ଟି ପଡିଛି । ଗାଁକୁ ସୋଲାର ଲାଇଟ ସହ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ହୋଇଛି । କିଛି ପରିବାରକୁ ଆବାସ ଯୋଜନାରେ ଘର ଆଦି ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି । ନାଳ ଉପରେ ଆରମ୍ଭ ହୋଇଛି ପୋଲ ନିର୍ମାଣ କାମ ।
ଜଙ୍ଗଲ ଭିତରେ ଥିବା ଦଲକା ଗାଁରେ ପ୍ରାୟ ଶହେ ଆଦିବାସୀ ସଂପ୍ରଦାୟର ଲୋକେ ଏଠାରେ ରୁହନ୍ତି । ଗମନାଗମନ ପାଇଁ ରାସ୍ତା ନାହିଁ ।ଗାଁରୁ ମୁଖ୍ୟରାସ୍ତାକୁ ଦୂରତା ୬ କିଲୋମିଟର । ଜଙ୍ଗଲ ମଧ୍ୟରେ ୩ଟି ନାଳ ପାରି ହୋଇ ଲୋକଙ୍କୁ ଯିବାକୁ ପଡେ । ସବୁବେଳେ ହିଂସ୍ର ଜନ୍ତୁଙ୍କ ଭୟ ବି ଲାଗିରହେ । ପ୍ରତିଦିନ ଜୀବନ ଜିଇଁବାକୁ ଲୋକଙ୍କୁ ଏଠି ସଂଘର୍ଷ କରିବାକୁ ପଡେ ।
ଲୋକଙ୍କ ସମସ୍ୟା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ସ୍ଥାନୀୟ ପ୍ରଶାସନ ଓ ଜନ ପ୍ରତିନିଧି ଗାଁ ଲୋକଙ୍କ ସହ ଆଲୋଚନା କରିଥିଲେ । ତେବେ ଗାଁକୁ ଜଙ୍ଗଲ ଘେରି ରହିଥିବାରୁ ରାସ୍ତା ସହ ବିଭିନ୍ନ ଉନ୍ନୟନମୂଳକ କାମରେ ବନବିଭାଗର ଆଇନ ବାଧା ସୃଷ୍ଟି କରିଥିଲା । ବିଶେଷ କରି ଏହି ଅଞ୍ଚଳଟି ହାତୀଙ୍କ ଚଳପ୍ରଚଳ ସ୍ଥାନ ହୋଇଥିବାରଏଠାରେ ବିଦ୍ୟୁତ ଖୁଣ୍ଟ ଲଗାଇବାକୁ ଅନୁମତି ମିଳିନଥିଲା । ଏବେ ପ୍ରଶାସନର ପଦକ୍ଷେପ ପରେ ଗାଁଲୋକଙ୍କୁ କରେଣ୍ଟ,ରାସ୍ତା,ଘର ସବୁ ମିଳିବ । ପ୍ରଶାସନକୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି ଦଲକା ଗାଁ ଲୋକ ।