ଦାରିଙ୍ଗବାଡ଼ି ୧।୨: ପୋଲିସ ବାବୁଙ୍କୁ ଜଣାପଡ଼ୁନି ଦିନ ରାତି । ଦିନ ଦ୍ବିପ୍ରହରରେ ରାସ୍ତା ମଝିରେ ଗାଡ଼ି ରଖି ଶୋଇ ପଡ଼ିଲେ ପୋଲିସ ବାବୁ । ପୋଲିସ ବାବୁକୁ ଏଭଳି ଅବସ୍ଥାରେ ଦେଖି ଭୟଭୀତ ହୋଇଗଲେ ସ୍ଥାନୀୟ ଲୋକ । ଏଭଳି କିଛି ପୋଲିସ କର୍ମଚାରୀଙ୍କ ପାଇଁ ବଦନାମ ହେଉଛି ପୋଲିସ ବିଭାଗ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିରେ ।
ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି । ଯେଉଁଠିକି ଶୀତ ଦିନ ଆସିଲେ ଦେଶ ବିଦେଶରୁ ବୁଲିବାକୁ ଆସିଥାନ୍ତି ପର୍ଯ୍ୟଟକ । ହେଲେ ଏଠାରେ ସୁରକ୍ଷା ଦାୟିତ୍ୱରେ ଥିବା କିଛି ପୋଲିସ କର୍ମଚାରୀଙ୍କ ପାଇଁ ବଦନାମ ହେଉଛି ସାରା ପୋଲିସ ବିଭାଗ । ଯେଉଁ ପୋଲିସ ବିଭାଗକୁ ଆଇନଶୃଙ୍ଖଳା ପରିସ୍ଥିତିକୁ ସୁଧାରିବାକୁ ଦାଇତ୍ୱ ଦିଆଯାଇଛି ସେହି ବିଭାଗର ଜଣେ କନେଷ୍ଟବଲ ଜାତୀୟ ରାଜପଥ ମଝିରେ ଗାଡ଼ି ରଖି ଶୋଇପଡ଼ିଥିଲେ । ମଦ୍ୟପାନ କରି ନିଘୋଡ଼ ନିଦରେ ଶୋଇ ଯାଇଥିଲେ ପୋଲିସ ବାବୁ । ସେ ହେଉଛନ୍ତି ଦାରିଙ୍ଗବାଡି ଥାନାରେ କାର୍ଯ୍ୟରତ କନେଷ୍ଟବଲ ମନୋରଞ୍ଜନ ସାବତ ।
ମନୋରଞ୍ଜନ ଦାରିଙ୍ଗବାଡ଼ିର ଜନ ଗହଳିପୂର୍ଣ୍ଣ ୫୯ ନମ୍ୱର ଜାତୀୟ ରାଜପଥ ଚାରି ଛକ ରାସ୍ତା ମଝିରେ କାର୍କୁ ଷ୍ଟାର୍ଟରେ ରଖି ଡ୍ରାଇଭର ସିଟ୍ରେ ନିଘୋଡ଼ ନିଦରେ ଶୋଇପଡିଥିଲେ । ଫଳରେ ସେହି ରାସ୍ତାରେ ଦୀର୍ଘ ସମୟ ଧରି ଗାଡ଼ିମୋଟର ଯାତାୟାତରେ ବାଧା ଦେଖା ଦେଇଥିଲା । ଫଳରେ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।
ପୋଲିସ ବାବୁ ଜଣଙ୍କ ଖାଲି ଗାଡ଼ିରେ ଶୁଅନ୍ତି ନାହିଁ ବରଂ ନିଶା ହୋଇଗଲେ ମଦ ଦୋକାନ ପାଖ ହେଉ ଅବା ରାସ୍ତା କଡ଼ରେ ମଧ୍ୟ ଶୋଇପଡ଼ନ୍ତି । ଏଭଳି ଅନେକ ଥର ମଧ୍ୟ ଦେଖିବାକୁ ମିଳିଛି । ହେଲେ ପୋଲିସ ବିଭାଗରେ ଚାକିରି କରିଥିବାରୁ ଏହାର ପ୍ରତିବାଦ କରିବାକୁ ଲୋକେ ଭୟ କରୁଛନ୍ତି । ପୋଲିସ ବାବୁ ଜଣଙ୍କ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହିଥାନ୍ତି । ନିଜ କର୍ତ୍ତବ୍ୟ କରିବା ବଦଳରେ ଦିନରାତି ମଦ ଦୋକାନ ବୁଲି ବୁଲି ମଦ ପିଅନ୍ତି । ଏହି କନେଷ୍ଟବଲ ଜଣଙ୍କ ଯେଉଁ ଥାନାକୁ ଯାଆନ୍ତି ସବୁବେଳେ ମଦ୍ୟପାନ କରି ରୁହନ୍ତି । ସେଥିପାଇଁ କୁଆଡ଼େ ଏହି କନେଷ୍ଟବଙ୍କୁକୁ କୌଣସି ଥାନାରେ ରଖିବାକୁ ଥାନା ଅଧିକାରୀ ମାନେ ପସନ୍ଦ କରନ୍ତି ନାହିଁ ବୋଲି ଶୁଣିବାକୁ ମିଳୁଛି । ଏଭଳି କି ଏସ୍ପି କାର୍ଯ୍ୟାଳୟରେ ମଧ୍ୟ ତାଙ୍କୁ ରଖିବାକୁ କେହି ପସନ୍ଦ କରନ୍ତି ନାହିଁ ।
You Can Read:
Union Budget 2025 : ୧୨ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ ପାଇଁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ