‘ସରକାର କିଛି ଲୋକଙ୍କୁ ବାଧ୍ୟ କରି ଦେଲେ ଆଇଭୋରି ଟାଓ୍ଵାରରୁ ବାହାରି ବିଲ ମୁଣ୍ଡକୁ ଯିବା ପାଇଁ’

Published By : Prameya-News7 Bureau | January 02, 2025 IST

ଭୁବନେଶ୍ଵର: ସ୍ବାଧୀନତା ସଂଗ୍ରାମ ମତ୍ସବ ମଞ୍ଚରୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ଆଜି ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର କିଛି ଲୋକଙ୍କୁ ବାଧ୍ୟ କରିଦେଲା ଆଇଭୋରି ଟାଓ୍ବାରରୁ ବାହାରି ବିଲ ମୁଣ୍ଡକୁ ଯିବା ପାଇଁ । ଲୋକଙ୍କ କାମ କରିବା ଓ ବିକାଶ ଧାରାକୁ ଆଗକୁ ନେବା ପାଇଁ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ପୂରଣ କରୁଛନ୍ତି । 

ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁମାନେ ପୂର୍ବରୁ ଦାୟିତ୍ବ ନେଇ କାମ କରୁଥିଲେ, ସେମାନଙ୍କୁ ଲୋକ ଭେଟି ପାରୁନଥିଲେ । ଆଜି ସେମାନେ ଲୋକଙ୍କ ପାଖକୁ ଯାଉଛନ୍ତି । ବିଜେପି ସରକାରର କାର୍ଯ୍ୟ ଶୈଳୀ ଦେଖି ସେମାନେ ଆଜି ଆଇଭୋରି ଟାଓ୍ବାରରୁ ବାହାରି ଧୂଳି ଖାଇବାକୁ ବାଧ୍ୟ ହେଉଛନ୍ତି । ସେହିଭଳି ସଭା ମଞ୍ଚରେ ବସିଥିବା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ନିଶାନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ର ଜବାବ୍ ରଖିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ନେତା । 

Also read: ସ୍ଵାଧୀନତା ସଂଗ୍ରାମୀଙ୍କ ପେନସନ ବୃଦ୍ଧି, ୧୦ ହଜାରରୁ ୨୦ ହଜାର ଟଙ୍କାକୁ ବଢ଼ିଲା

କେବଳ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ନୁହେଁ ସଭା ମଞ୍ଚରେ ବସିଥିବା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ନିଶାନା ସାଧିଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ, ଓଡ଼ିଶା ସବୁଠୁ ଗରିବ ରାଜ୍ୟ ବୋଲି କହିବା ଠିକ୍ ହେଲାନାହିଁ । ଏଥି ପାଇଁ ଦାୟୀ କିଏ ? ତାହାର ଉତ୍ତର ବି ଆସିବା କଥା । ପ୍ରକୃତରେ ଯଦି ଓଡ଼ିଶାକୁ ଆଗକୁ ନେବାର ଥିଲା, ତେବେ ଆଜି ପର୍ଯ୍ୟନ୍ତ ଅନେକ ଥର ଲୋକମାନେ ଦାୟିତ୍ବ ଦେଇଥିଲେ । କିନ୍ତୁ ରାଜ୍ୟକୁ କିଏ ଏଭଳି ସ୍ଥିତିରେ ପହଞ୍ଚାଇଛି ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 

ନିରଞ୍ଜନଙ୍କୁ ମୋହନଙ୍କ ନିଶାନା

ମୁଖ୍ୟମନ୍ତ୍ରୀ ଆହୁରି ବି କହିଥିଲେ ଯେ, ମହାପ୍ରଭୁଙ୍କ ଆଶୀର୍ବାଦରେ ଆଜି ଓଡ଼ିଶାରେ ବିଜେପି ସରକାର ହୋଇଛି । ୬ମାସରେ ଯାହା କଥା ଦେଇଥିଲୁ ତାହା ପୂରଣ କରିଛୁ । ଆଜି ମନ୍ତ୍ରୀମାନେ ଲୋକସେବା ଭବନ ନୁହେଁ, ଗାଁରେ ବୁଲୁଛନ୍ତି । ଦାନା ବାତ୍ୟା ବେଳେ ମନ୍ତ୍ରୀମାନେ ଗ୍ରାଉଣ୍ଡରେ ଥିଲେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।  ସେପଟେ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍‌ର ଜବାବ୍ ରଖିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ନେତା।

Also read: ବିପର୍ଯ୍ୟୟ ମୁକାବିଲା କିପରି କରିବାକୁ ହୁଏ ବିରୋଧୀ ଦଳ ନେତାଙ୍କ ଠାରୁ ପରାମର୍ଶ ନେବା ଉଚିତ ଥିଲା : ଦେବାଶିଷ ସାମନ୍ତରାୟ

ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, ନବୀନଙ୍କ ଜିଲ୍ଲା ଗସ୍ତରେ ଭୟଭୀତ ହୋଇପଡ଼ିଛି ବିଜେପି । ଲୋକେ ଧୂଳିରେ ଅଛନ୍ତି ସେଥିପାଇଁ ନବୀନ ଧୂଳି ଖାଉଛନ୍ତି । ଆଇଭୋରି ଟାଓ୍ବାରରେ ବସିବା ଭୁଲ୍ କଥା । ଜନ ପ୍ରତିନିଧି ଭାବେ ସେ ଲୋକଙ୍କ ନିକଟକୁ ଯାଉଛନ୍ତି । ନବୀନଙ୍କ ଗସ୍ତ ବେଳେ ଲୋକଙ୍କ ଭିଡ଼ ଦେଖି ବିଜେପି ଭୟଭୀତ ହୋଇପଡ଼ିଛି । ସେହିଭଳି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ୧୪ବର୍ଷ ଧରି କେନ୍ଦ୍ରରେ ବିଜେପିର ସରକାର ଅଛି । ବିକାଶ କରିବାକୁ କିଏ ମନା କରିଥିଲା ?  ରାଜ୍ୟରେ ବିଜେଡି ସହ ୯ବର୍ଷ ବିଜେପି ଶାସନରେ ଥିଲା ବିକାଶ ହେଲାନି କାହିଁକି ?

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଙ୍କ କାଉଣ୍ଟର

ସେପଟେ  ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିରେ ଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ପାଣିପାଗ ନେଇ ସମୟ ପୂର୍ବରୁ ସଚେତନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଉପଯୁକ୍ତ ତଦନ୍ତ ସହ ଚାଷୀଙ୍କୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି ନବୀନ ପଟ୍ଟନାୟକ । ଫସଲ ନଷ୍ଟ ପାଇଁ ଚାଷୀ ଯେମିତି ଆତ୍ମହତ୍ୟା କରୁଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ନବୀନ । ଓଡିଶା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇଥିଲେ  ଓଡିଶାର ଚାଷୀ ଅତିରିକ୍ତ ସହାୟତା ପାଇଥାନ୍ତେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.