ବିଜେପି ନେତା ନିଶିକାନ୍ତ ଦୁବେଙ୍କ ଅଭିଯୋଗ; ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ କରୁଛନ୍ତି ଟିଏମ୍‌ସି ସାଂସଦ ମୋହୁଆ ମୋଇତ୍ର

Published By : Prameya-News7 Bureau | October 15, 2023 IST

ନୂଆଦିଲ୍ଲୀ: ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ କରୁଛନ୍ତି ଟିଏମ୍‌ସି ସାଂସଦ ମୋହୁଆ ମୋଇତ୍ର। ସଂସଦରେ ପ୍ରଶ୍ନ କରିବାକୁ ତାଙ୍କୁ ଜଣେ ବ୍ୟବସାୟୀ ଟଙ୍କା ଦେଉଛନ୍ତି ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି। ଘଟଣାର ଯାଞ୍ଚ କରିବାକୁ ଏକ ତଦନ୍ତ କମିଟି ଗଠନ କରାଯାଉ ବୋଲି ସେ ରବିବାର ଲୋକସଭା ସ୍ପିକରଙ୍କୁ ଚିଠି ଲେଖି ଦାବି କରିଛନ୍ତି। ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀ ତାଙ୍କୁ ଲାଞ୍ଚ ଦେଉଛନ୍ତି ବୋଲି ନିଶିକାନ୍ତ ଅଭିଯୋଗ କରିବା ସହ ତୁରନ୍ତ ତାଙ୍କୁ ସଂସଦରୁ ନିଲମ୍ବିତ କରାଯାଉ ବୋଲି ସେ ଦାବି କରିଛନ୍ତି।

ଲୋକସଭା ସ୍ପିକର ଓମ ବିର୍ଲାଙ୍କୁ ଘଟଣା ସମ୍ପର୍କରେ ଜଣାଇ ଦୁବେ ଦୁଇ ପୃଷ୍ଠା ସମ୍ବଳିତ ଅଭିଯୋଗ ପତ୍ର ଲେଖିଛନ୍ତି। ସେ କହିଛନ୍ତି ଯେ ସଂସଦ ଅଧିବେସନ ହେବାକ୍ଷଣି ମୋହୁଆ ମୋଇତ୍ର ଓ ସୌଗତ ରୟଙ୍କ ନେତୃତ୍ୱରେ ଟିଏମ୍‌ସି ହୋହଲ୍ଲା ଟିମ୍ର ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବାର ଅଭ୍ୟାସ ହୋଇଗଲାଣି। ସଂସଦରେ କେହି ନା କେହି ତାଙ୍କ ଦ୍ୱାରା ଅପମାନିତ ହୋଇଛନ୍ତି। ଟିଏମ୍‌ସିର ଏଭଳି ରଣନୀତି ପାଇଁ ଦେଶର ସାଧାରଣ ଜନତାଙ୍କ ପ୍ରସଙ୍ଗରେ ଆଲୋଚନା ହୋଇପାରୁନି ବୋଲି ସେ ଅଭିଯୋଗ କରିଛନ୍ତି। ଗୋଟିଏ ବିଜ୍‌ନେସ ଗ୍ରୁପ୍‌କୁ ଟାର୍ଗେଟ୍ କରିବାକୁ ପାଇଁ ଟିଏମ୍‌ସି ସାଂସଦମାନେ ଅନ୍ୟ ବ୍ୟବସାୟୀଙ୍କ ଠାରୁ ଟଙ୍କା ନେଉଛନ୍ତି ବୋଲି ନିଶିକାନ୍ତୁ ଦୁବେ ଅଭିଯୋଗ କରିଛନ୍ତି।  

ପଢ଼ନ୍ତୁ-ମଧ୍ୟପ୍ରଦେଶ ନିର୍ବାଚନ: ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ବିପକ୍ଷରେ ଲଢ଼ିବେ ‘କଂଗ୍ରେସର ହନୁମାନ’

ବିଜେପି ସାଂସଦଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଟିଏମ୍‌ସି ସାଂସଦ ମୋହୁଆ ମୋଇତ୍ର। ତାଙ୍କ ବିରୁଦ୍ଧରେ ଯେ କୌଣସି ପ୍ରସ୍ତାବ ଆସିବ ସେ ତାର ସ୍ୱାଗତ କରିବେ ବୋଲି ମୋହୁଆ କହିଛନ୍ତି। ଏନେଇ ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ନକଲି ଡିଗ୍ରୀଧାରୀ ଏବଂ ଅନ୍ୟ ବିଜେପି ଶକ୍ତିଶାଳୀ ନେତାଙ୍କ ବିରୋଧରେ ଏକାଧିକ ବିଶେଷ ଅଧିକାର ଉଲ୍ଲଂଘନ ବିଚାରାଧୀନ ରହିଛି। ସ୍ପିକର ଆଗ ସେଗୁଡ଼ିକୁ ସମାଧାନ କରିସାରନ୍ତୁ। ତା ପରେ ମୋ ବିରୁଦ୍ଧରେ ପ୍ରସ୍ତାବ ଆଣିଲେ ମୁଁ ଏହାକୁ ସ୍ୱାଗତ କରିବି। ମୋ ଦୁଆରକୁ ଆସିବା ପୂର୍ବରୁ ଇଡି ଓ ଅନ୍ୟ ଆଇନ ସଂସ୍ଥା ଆଦାନୀ କୋଇଲା ଦୁର୍ନୀତିରେ ମାମଲାରେ ଏଫ୍‌ଆଇଆର୍‌ ରୁଜୁ କରିବାକୁ ବି ମୁଁ ଅପେକ୍ଷା କରିଛି।”

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.