ନୂଆଦିଲ୍ଲୀ ୨୪/୦୭: କିଏ ହେବେ ପରବର୍ତ୍ତୀ ଉପ-ରାଷ୍ଟ୍ରପତି । ଚର୍ଚ୍ଚାରେ ଅନେକଙ୍କ ନାଁ । ଦାବିଦାର ବି ଅନେକ । ପ୍ରକ୍ରିୟା ବି ଆରମ୍ଭ ହୋଇଗଲାଣି । କାରଣ ଅଚାନକ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି ଜଗଦୀପ ଧନଖଡ଼ । ଜାତୀୟ ରାଜନୀତି ବି ଆରମ୍ଭ ହୋଇଯାଇଛି ।
ସେପଟେ ଧନଖଡ଼ଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିରୋଧୀ । ବିରୋଧୀ ଓ ଦେଶବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ । କିଏ ହେବ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି । ଅନେକ ହେବିଓ୍ୱେଟ ଦାବିଦାର ଥିବାବେଳେ ଗୋଟିଏ ନାଁ ରହିଛି ଜେଡିୟୁ ଦଳିତ ନେତା ତଥା ଭାରତ ରତ୍ନ କର୍ପୁରୀ ଠାକୁରଙ୍କ ପୁଅ ରାମନାଥ ଠାକୁର । ଯେହେତୁ ଆଗକୁ ବିହାର ନିର୍ବାଚନ ଅଛି, ତେଣୁ ଜେଡିୟୁର ଜଣେ ନେତାଙ୍କୁ ଉପ-ରାଷ୍ଟ୍ରପତି ବସାଇ ବିଜେପି ରାଜନୈତିକ ଗୋଟି ଚାଳନା କରିପାରେ ବୋଲି ଆଲୋଚନା ହେଉଛି ।
ରାମନାଥ ଠାକୁର କିଏ?
ଜେଡିୟୁର ରାଜ୍ୟସଭା ସାଂସଦ ରାମନାଥ ଠାକୁର । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାପରେ ରାମନାଥଙ୍କୁ କ୍ୟାବିନେଟ୍ରେ ସାମିଲ କରିଥିଲେ ନରେନ୍ଦ୍ର ମୋଦୀ । ପଛୁଆ ବର୍ଗ ମନ୍ତ୍ରୀ ରାମନାଥ ଠାକୁର ନୀତିଶ କୁମାରଙ୍କ ଅତି ଘନିଷ୍ଠ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଠ ଜନନାୟକ ଭାରତ ରତ୍ନ କର୍ପୁରୀ ଠାକୁରଙ୍କ ବଡ଼ ପୁଅ ରାମନାଥ ଠାକୁର ।
ବଂଶବାଦ ରାଜନୀତିକୁ ଘୋର ବିରୋଧ କରୁଥିଲେ କର୍ପୁରୀ ଠାକୁର । ଏଣୁ ସେ ରାଜନୀତିରେ ଥିବା ବେଳେ କେବେ ନିଜ ପରିବାର ଲୋକଙ୍କୁ ରାଜନୀତିରେ ଆଣିନଥିଲେ । ଭାରତ ରତ୍ନ କର୍ପୁରୀ ଠାକୁରଙ୍କ ନିଧନ ପରେ ୧୯୮୯ରେ ପ୍ରଥମ ଥର ପାଇଁ ବିହାରରେ ବିଧାନ ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଲାଲୁ ଯାଦବ ସରକାର ସମୟରେ ବି ରାମନାଥ ଠାକୁର ମନ୍ତ୍ରୀ ହୋଇଥିଲେ । ଏହାପରେ ନୀତିଶ କୁମାର ଜେଡିୟୁ ନିକଟତର ହେବାକୁ ଲାଗିଲେ ।
ଶେଷରେ ୨୦୦୫ରେ ସେ ନୀତିଶ ସରକାର ସମୟରେ ସୂଚନା ଓ ଜନସମ୍ପର୍କ ମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଥିଲେ । ୨୦୨୦ରେ ପ୍ରଥମ ଥର ପାଇଁ ତାଙ୍କୁ ରାଜ୍ୟସଭା ପଠାଇଥିଲେ ନୀତିଶ କୁମାର । ଏହାପରେ ସେ ମୋଦୀ ସରକାର କ୍ୟାବିନେଟ୍ରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇ ଆସିଛନ୍ତି ।
ବଡ଼ ଦାୟିତ୍ୱ ଦିଆଯିବାର ସମ୍ଭାବନା:
କୁହାଯାଉଛି ଯେ ରାମନାଥ ଠାକୁରଙ୍କ ବାସଭବନରେ ବିହାରର ସାଂସଦମାନଙ୍କ ସହିତ ଏକ ରାତ୍ରୀଭୋଜନର ଆୟୋଜନ କରାଯାଇଥିଲା । ବିଜେପି ସଭାପତି ନଡ୍ଡା ମଧ୍ୟ ଏଥିରେ ଯୋଗ ଦେବାକୁ ଯାଇଥିଲେ। ସାଧାରଣତଃ, ସଂସଦ ଅଧିବେଶନ ସମୟରେ, ବିଭିନ୍ନ ରାଜ୍ୟର ସାଂସଦମାନଙ୍କ ସହିତ ଏକ ଗୋଷ୍ଠୀ ଭୋଜନର ଆୟୋଜନ କରାଯାଏ ।
ଏହି କ୍ରମରେ, କେନ୍ଦ୍ରମନ୍ତ୍ରୀ ରାମନାଥ ଠାକୁରଙ୍କ ବାସଭବନରେ ବିହାରର ସାଂସଦମାନଙ୍କ ସହିତ ଏକ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯଦିଓ ଭୋଜି ଆୟୋଜନର ବ୍ୟବସ୍ଥା ଏକ ନିୟମିତ ବ୍ୟବସ୍ଥା ଥିଲା। କିନ୍ତୁ ବିଜେପି ସଭାପତିଙ୍କ ତାଙ୍କ ଦଳ ଗସ୍ତ ଏବଂ ପରେ ତାଙ୍କୁ ଭେଟିବା କେନ୍ଦ୍ର ମନ୍ତ୍ରୀଙ୍କୁ ଏକ ବଡ଼ ଦାୟିତ୍ୱ ଦିଆଯାଇପାରିବ ବୋଲି ଆଲୋଚନାକୁ ବୃଦ୍ଧି କରିଛି। ବର୍ତ୍ତମାନ ସେ ପରବର୍ତ୍ତୀ ଉପରାଷ୍ଟ୍ରପତି ଦୌଡ଼ରେ ଅଛନ୍ତି।
ଦଳିତ ଭୋଟ ବ୍ୟାଙ୍କ ଉପରେ ନଜର:
ଭାରତ ରତ୍ନ କର୍ପୁରୀ ଠାକୁର ଦଳିତଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଅନେକ କାର୍ଯ୍ୟ କରିଥିଲେ । ଜଣେ ବିଶିଷ୍ଟ ସାମାଜିକ କର୍ମକର୍ତ୍ତା ଭାବରେ ସେ ବିହାରବାସୀଙ୍କ ହୃଦୟରେ ରାଜ୍ କରିଥିଲେ । ଏହାପରେ ତାଙ୍କ ପୁଅ ରାମନାଥ ଠାକୁରଙ୍କ ଭାବମୂର୍ତ୍ତି ମଧ୍ୟ ଅକ୍ଷୁର୍ଣ୍ଣ ରହିଛି । ଦଳିତ ଭୋଟରଙ୍କ ବିଶ୍ୱାସ ମତରେ ରାମନାଥ ଠାକୁର ବାରମ୍ବାର ନିର୍ବାଚନ ଜିତିଛନ୍ତି ।
ଏଣୁ ତାଙ୍କୁ ବିଜେପି ଏକ ଭୋଟ ବ୍ୟାଙ୍କ ଭାବରେ ବି ଦେଖୁଛି । ତେଣୁ ତାଙ୍କୁ ଉପରାଷ୍ଟ୍ରପତି ପଦରେ ବସାଇ ବିହାରରେ ଜେଡିୟୁ ସହ ସରକାର ଗଢ଼ିବାକୁ ସ୍ୱପ୍ନ ଦେଖୁଛି । କାରଣ ଏଥର ବିହାରରେ ମହାମେଣ୍ଟ ପଲ୍ଲା ଭାରି ଅଛି ବୋଲି ଚର୍ଚ୍ଚା ହେଉଛି ।
also read...
ଯେବେ ଖାଲି ପଡ଼ିଥିଲା ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ଆସନ: ପଦ ସମ୍ଭାଳିଥିଲେ ମୁଖ୍ୟ ବିଚାରପତି