ନୂଆଦିଲ୍ଲୀ ୨୬।୦୬; ନିକଟରେ ଅଭିନେତା ବିଜୟ ବର୍ମା ତମନ୍ନାଙ୍କ ସହ ବ୍ରେକ୍ ଅପ୍ ହୋଇଥିବା ଖବର ଆସିଥିଲା। ଏବେ ସୂତ୍ରରୁ ଜଣାପଡିଛି ଯେ ବିଜୟ ବର୍ମା ପୁଣି ଥରେ ପ୍ରେମରେ ପଡିଛନ୍ତି।ଏତିକି ହିଁ ନୁହେଁ ତାଙ୍କୁ ତାଙ୍କ ନୂଆ ପ୍ରେମ ମିଳିଯାଇଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯାହା ଆଧାରରେ ଦାବି କରାଯାଉଛି ଯେ ବିଜୟ ପୁଣି ଥରେ ପ୍ରେମ ଜାଲରେ ଫସିଛନ୍ତି।
ବିଜୟ ବର୍ମା 'ଦଙ୍ଗଲ' ଗାର୍ଲ ଫାତିମା ସନା ଶେଖ୍ଙ୍କୁ ଡେଟ୍ କରୁଥିବା ନେଇ ଖବର ଆସିଛି। ନିକଟରେ ପାପାରାଜିମାନେ ଏକ କାଫେ ବାହାରେ ଏକ ଭିଡିଓ ସୁଟ୍ କରିଥିଲେ। ଭିଡିଓରେ ବିଜୟ ବର୍ମା ଏବଂ ଫାତିମା ସନା ଶେଖ୍ ହସୁଥିବା ବେଳେ ପରସ୍ପରକୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳୁଛି। ଏହା ପରେ, ଉଭୟ ପାପାରାଜିଙ୍କ ପାଇଁ ପୋଜ୍ ଦେଇଥିଲେ। ବିଜୟ ବର୍ମା ଏବଂ ଫାତିମା ସନା ଶେଖଙ୍କ ଏହି ଭିଡିଓ ଭାଇରାଲ୍ ହେବା ପରେ, ଅନେକ ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ଅନୁମାନ କରୁଛନ୍ତି ଯେ ଦୁହେଁ ପ୍ରେମରେ ପଡିଛନ୍ତି। ହେଲେ ଏପର୍ଯ୍ୟନ୍ତ ବିଜୟ କିମ୍ବା ଫାତିମା ସେମାନଙ୍କ ସମ୍ପର୍କକୁ ନେଇ କିଛି କହି ନାହାଁନ୍ତି। ଉଭୟଙ୍କ ପ୍ରଶଂସକମାନେ ସେମାନଙ୍କର ଭାଇରାଲ୍ ଭିଡିଓକୁ ନେଇ ଉତ୍ସାହିତ ଅଛନ୍ତି।
କହିବାକୁ ଗଲେ ବିଜୟ ପୂର୍ବରୁ ତମନ୍ନାଙ୍କ ସହ ସମ୍ପର୍କରେ ଥିଲେ। ଦୁହେଁ ୨୦୨୩ ମସିହାରେ 'ଲଷ୍ଟ୍ ଷ୍ଟୋରିଜ୍' ସିରିଜ୍ରେ ଏକାଠି କାମ କରିଥିଲେ। କିଛି ମାସ ଧରି ପରସ୍ପରକୁ ଡେଟ୍ କରିବା ପରେ, ତମନ୍ନା ଦେଇଥିବା ଏକ ସାକ୍ଷାତକାରରେ ବିଜୟଙ୍କ ସହ ସମ୍ପର୍କରେ ଥିବା ସ୍ୱୀକାର କରିଥିଲେ। ଗତ କିଛି ମାସ ହେବ ଦୁହେଁ ଅଲଗା ହୋଇଯାଇଥିବା ଜଣାପଡ଼ିଛି। ସେପଟେ ବିଜୟ ଏବଂ ଫାତିମା ଆଗାମୀ ଫିଲ୍ମ 'ଗୁସ୍ତାଖ୍ ଇସ୍କ'ରେ ଏକାଠି କାମ କରୁଛନ୍ତି। ଏହି ଫିଲ୍ମଟି ବିଭୁ ପୁରୀଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହି ଫିଲ୍ମରେ ନାସିରୁଦ୍ଦିନ ଶାହ ଏବଂ ସରିବ ହାସମୀଙ୍କୁ ମଧ୍ୟ ଦେଖିବାକୁ ମିଳିବ।