ନୂଆଦିଲ୍ଲୀ ୨୪/୦୭: ଭାରତର ସାମ୍ବିଧାନିକ ଇତିହାସ । ଘଟିଛି ଅନେକ ଘଟଣାବଳୀ । କିଛି ମୁହୂର୍ତ୍ତ ଯାହା ହୋଇଯାଇଛି ଲିପିବଦ୍ଧ । ଯାହା କେବଳ ଅପ୍ରତ୍ୟାଶିତ ନୁହେଁ, ବରଂ ଗଣତାନ୍ତ୍ରିକ ବ୍ୟବସ୍ଥାର ସ୍ଥିରତା, ନମନୀୟତା ଓ ଶକ୍ତିର ପ୍ରକୃତ ପରୀକ୍ଷା । ମୁହୂର୍ତ୍ତ ଏମିତି ଥିଲା ଯେତେବେଳେ ସାମ୍ବିଧାନିକ ବ୍ୟବସ୍ଥାର ଜ୍ଞାନ, ନେତୃତ୍ୱର ପରିପକ୍ୱତା ଓ ପ୍ରତିଷ୍ଠାନଗୁଡ଼ିକର ଦକ୍ଷତା ଦେଶକୁ ଅନିଶ୍ଚିତତାରୁ ବାହାର କରି ଦେଇଥିଲା ସୁଗମ ଦିଗଦର୍ଶନ ।
ଏପରି ଏକ ଐତିହାସିକ ମୁହୂର୍ତ୍ତ ଘଟିଥିଲା ୧୯୬୯ ମସିହାରେ । ଯେତେବେଳେ ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତିଙ୍କ ପଦ ଏକାସଙ୍ଗେ ପଡିଥିଲା ଖାଲି । ଆଉ ଗାଦି ସମ୍ଭାଳିଥିଲେ ଦେଶର ମୁଖ୍ୟ ବିଚାରପତି । କାର୍ଯ୍ୟକାରୀ ରାଷ୍ଟ୍ରପତିର ଦାୟିତ୍ୱ ଗ୍ରହଣ କରିବାକୁ ପଡିଥିଲା । ମୁଖ୍ୟ ବିଚାରପତି ସମ୍ଭାଳିଥିଲେ ପଦ ।
୧୯୬୯ ମସିହା ମେ’ ୩ ତାରିଖ । ସେହିଦିନ ଭାରତର ରାଷ୍ଟ୍ରପତି ଥିବା ଡଃ ଜାକିର ହୁସେନଙ୍କର ହୋଇଥିଲା ପରଲୋକ । ଠିକ୍ ଏହା ପରେ ପଦ ଛାଡିଥିଲେ ଉପ-ରାଷ୍ଟ୍ରପତି । ଅର୍ଥାତ୍ ସେତେବେଳେ ଉପରାଷ୍ଟ୍ରପତି ଥିବା ଭି.ଭି ଗିରି ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ଉପ-ରାଷ୍ଟ୍ରପତି ପଦରୁ ଦେଇଥିଲେ ଇସ୍ତଫା । ସମୟ ଏମିତି ଥିଲା ଯେ, ଭାରତରେ ଉଭୟ ରାଷ୍ଟ୍ରପତି ଆଉ ଉପ-ରାଷ୍ଟ୍ରପତି ପଦ ପଡିଥିଲା ଫାଙ୍କା । ଆଉ ଭାରତୀୟ ଗଣତନ୍ତ୍ରର ଅଦ୍ଭୁତ ଦୃଶ୍ୟ ନଜର ଆସିଥିଲା ଦେଶରେ ।
ଦୁଇ ଦୁଇଟି ଏତେବଡ ପଦ ଖାଲି ପରେ ଦାୟିତ୍ୱ ତୁଲାଇବା ଆଗେଇ ଆସିଥିଲେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି । ଉଭୟ ରାଷ୍ଟ୍ରପତି ଆଉ ଉପ-ରାଷ୍ଟ୍ରପତି ପଦ ଖାଲି ପଡ଼ିଥିବାରୁ ମହମ୍ମଦ ହିଦାୟତୁଲ୍ଲାଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦିଆଯାଇଥିଲା ଦାୟିତ୍ୱ । ପରେ ରାଷ୍ଟ୍ରପତି ନିର୍ବାଚନ ହେବା ସହିତ ଭି.ଭି ଗିରି ନିର୍ବାଚିତ ହୋଇଥିଲେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ।
ଭି.ଭି ଗିରି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରଠୁ ରାଷ୍ଟ୍ରପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ସ୍ଥିତି ଥିଲା ଅସାମାନ୍ୟ । ସେତେବେଳେ ଦୀର୍ଘ ୧୦୦ ଦିନ ଧରି ଖାଲି ପଡ଼ିଥିଲା ଉପ-ରାଷ୍ଟ୍ରପତି ପଦ । ଭି.ଭି ଗିରି ମେ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ଉଭୟ କାର୍ଯ୍ୟକାରୀ ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତି ପଦ ସମ୍ଭାଳିଥିଲେ । ପରେ ସେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ନିଜ ପଦରୁ ଦେଇଥିଲେ ଇସ୍ତଫା ।
ଏହାପରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜୁଲାଇ ୨୦ରୁ ଅଗଷ୍ଟ ୨୪, ୧୯୬୯ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦ ସମ୍ଭାଳିଥିଲେ ।
କହିବାକୁ ଗଲେ କେବଳ ଜଗଦୀପ ଧନଖଡ଼ ନୁହଁନ୍ତି । ବରଂ ଏହା ପୂର୍ବରୁ ବି ଏମିତି ଏକାଧିକ ଉପ-ରାଷ୍ଟ୍ରପତି ଅଛନ୍ତି ଯେଉଁମାନେ କି ନିଜର କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି । ଏହି ଲିଷ୍ଟର ସବୁଠୁ ଉପରେ ରହିଛନ୍ତି ଭି ଭି ଗିରି । ତାଙ୍କ ପରେ ରାମାସ୍ୱାମୀ ଭେଙ୍କଟରମଣ ଓ ଶଙ୍କର ଦୟାଲ ଶର୍ମା ।
ଏମାନେ ହେଉଛନ୍ତି ଏମିତି ଜଣେ ଜଣେ ଉପ-ରାଷ୍ଟ୍ରପତି ଯେଉଁମାନେ କି ନିଜର କାର୍ଯ୍ୟକାଳ ମଝିରୁ ଇସ୍ତଫା ଦେଇଥିଲେ । ତେବେ ଏମାନେ ସମସ୍ତେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ପାଇଁ ନିଜ ପଦରୁ ଇସ୍ତଫା ଦେଇଥିବାବେଳେ, ଜଗଦୀପ ଧନଖଡ଼ କିନ୍ତୁ ଅଚାନକ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।