ବ୍ରହ୍ମପୁର ୨୧/୨: କୁଆଡେ ଗଲେ ନୌସେନା ଅଫିସର ସୌରଭ ? ନିଖୋଜ ଘଟଣାକୁ ୩୨ ଦିନ ବିତିଲାଣି । ପୋଲିସ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଜାରି ରଖିଥିଲେ ମଧ୍ୟ କୌଣସି ପତ୍ତା ମିଳିନି । ସେ ମୃତ ନା ଜୀବିତ ? ଏମିତି ଆଶା ଆଶଙ୍କାରେ ପରିବାର ଲୋକ । ଏସବୁ ଭିତରେ ୱାରେଣ୍ଟ ଜାରି କରିଛି ନୌସେନା ବିଭାଗ ।
ଗତବର୍ଷ ଡିସେମ୍ବର ୨୮ରେ ଘରକୁ ଛୁଟିରେ ଆସିଥିଲେ ସୌରଭ । ଜାନୁଆରୀ ୧୯ରେ ତାଙ୍କର କୋଚି ଫେରିବାର ଥିଲା । ବ୍ରହ୍ମପୁରରୁ ଟ୍ରେନ ଯୋଗେ ବିଶାଖାପାଟଣା ଯାଇ ସେଠାରୁ କୋଚିକୁ ଫ୍ଲାଇଟ ଟିକେଟ ହୋଇଥିଲା । ୧୯ ତାରିଖ ଭୋର ୩ଟାରେ ଷ୍ଟେସନ ଯାଇ ସୌରଭଙ୍କୁ ଟ୍ରେନରେ ବସାଇଥିଲେ ପରିବାର ଲୋକ । ଅପରାହ୍ନରେ ଫ୍ଲାଇଟ ଥିଲା । ତେବେ ଟ୍ରେନରେ ବସିବା ପରେ ସୌରଭଙ୍କ ଫୋନ ସ୍ବିଚ୍ ଅଫ୍ ଆସିଥିଲା । ପରିବାର ଲୋକେ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହେବା ପରେ ପୋଲିସର ଆଶ୍ରୟ ନେଇଥିଲେ ।
ପ୍ରାୟ ୪ ସପ୍ତାହ ତଳେ ଇଚ୍ଛାପୁର ରେଳ ଷ୍ଟେସନରେ ସିସିଟିଭିରେ କଏଦ ହୋଇଥିଲେ ସୌରଭ । ସେ ଇଚ୍ଛାପୁର ପ୍ଲାଟଫର୍ମରୁ ବାହାରୁଥିବାର ସ୍ପଷ୍ଟ ଦେଖିବାକୁ ମିଳିଥିଲା । ରେଳ ଧାରଣା କଡରୁ ତାଙ୍କର ପରିଚୟ ପତ୍ର ମଧ୍ୟ ଜବତ କରାଯାଇଥିଲା ।
ସୌରଭଙ୍କ ନିଖୋଜକୁ ନେଇ ନାନା ପ୍ରଶ୍ନ ସାମ୍ନାକୁ ଆସୁଛି । ବ୍ରହ୍ମପୁରରୁ ଟ୍ରେନରେ ବିଶାଖାପାଟଣା ଯାଉଥିବା ସୌରଭ ଇଚ୍ଛାପୁରରେ କାହିଁକି ଓହ୍ଲାଇଥିଲେ ? ସେ ନିଜ ଇଚ୍ଛାରେ ଷ୍ଟେସନରେ ଓହ୍ଲାଇଥିଲେ କି ? ଇଚ୍ଛାପୁରରୁ ଓହ୍ଲାଇ ସେ କେଉଁ ସ୍ଥାନ ଓ କାହାକୁ ଭେଟିବାକୁ ଗଲେ ? ତାଙ୍କର କୌଣସି ପାରିବାରିକ ସମସ୍ୟା ଥିଲା କି ? କୌଣସି ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ କି ? ଏମିତି ବିଭିନ୍ନ ଦିଗକୁ ନେଇ ଛାନ୍ଭିନ୍ ଜାରି ରଖିଛି ପୋଲିସ ।