ତିନି ରାଜ୍ୟରେ ବିଜେପି ଗଢ଼ିବ ସରକାର, କିଏ ହେବେ ମୁଖ୍ୟମନ୍ତ୍ରୀ ? ନାଁକୁ ନେଇ ସସପେନ୍ସ

Published By : Prameya-News7 Bureau | December 03, 2023 IST

ନୂଆଦିଲ୍ଲୀ: ଜାରି ରହିଛି ୪ ରାଜ୍ୟର ଭୋଟ ଗଣତି। ଏପର୍ଯ୍ୟନ୍ତ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ରେ ବିଜେପି ଆଗୁଆ ଥିବା ବେଳେ, ତେଲେଙ୍ଗାନାରେ ଆଗରେ ରହିଛି କଂଗ୍ରେସ। ବିଜେପି ମଧ୍ୟ ପ୍ରଦେଶରେ ୧୬୦ରୁ ଅଧିକ ସିଟ୍‌ ସହ ବିଜୟ ପକ୍କା କରିବାକୁ ଯାଉଥିବାବେଳେ ରାଜସ୍ଥାନରେ ୧୧୦ ସିଟ୍ ପାଖାପାଖି କବଜା କରିଛି। ସେହିଭଳି ଛତିଶଗଡ଼ରେ ମଧ୍ୟ ବହୁମତ ହାସଲ କରିଛି।

ତେବେ ଏପର୍ଯ୍ୟନ୍ତ ଆସିଥିବା ନିର୍ବାଚନ ଫଳାଫଳକୁ ଦେଖିଲେ ସ୍ପଷ୍ଟ ଯେ, ମଧ୍ୟପ୍ରଦେଶ-ରାଜସ୍ଥାନ ଏବଂ ଛତିଶଗଡ଼ରେ ସରକାର ଗଢ଼ିବାକୁ ଯାଉଛି ବିଜେପି। ହେଲେ ଏବେ ପ୍ରଶ୍ନ ଉଠୁଛି ଯେ, ଏହି ତିନି ରାଜ୍ୟରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ ? କାରଣ ଚଳିତ ଥର ବିଜେପି ଏପର୍ଯ୍ୟନ୍ତ ଏହି ରାଜ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା କରିନାହିଁ। ଯାହାକୁ ନେଇ ଖୁବ୍ କଳ୍ପନା ଜଳ୍ପନା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ମୋଦୀ ସୁନାମୀରେ ତିନି ରାଜ୍ୟରେ କଂଗ୍ରେସ ସଫା, ସଂଧ୍ୟାରେ ରାଜଭବନ ଯାଇ ଇସ୍ତଫା ଦେବେ ଗେହଲଟ

ସୂଚନାଥାଉକି, ଏହି ତିନି ରାଜ୍ୟରେ ବିଜେପି ନିଜ ସାଂସଦ ଏବଂ ଦିଗ୍ଗଜଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିଲା। ଏହା ବ୍ୟତୀତ ବସୁନ୍ଧରା ରାଜେ, ଶିବରାଜ ସିଂହ ଚୌହାନ ଏବଂ ଡା. ରମନଙ୍କୁ ସେମାନଙ୍କ ପାରମ୍ପରିକ ଆସନରୁ ଟିକେଟ ମିଳିଥିଲା। ଆଉ ତିନି ନେତା ବହୁମତରେ ଜିତିଛନ୍ତି ମଧ୍ୟ। ତେଣୁ କୁହାଯାଉଛି ବିଜେପି ଏମାନଙ୍କୁ ଅଣଦେଖା କରିବ ନାହିଁ।

ମଧ୍ୟ ପ୍ରଦେଶରେ କିଏ ହେବେ ମୁଖ୍ୟମନ୍ତ୍ରୀ ?

ମଧ୍ୟ ପ୍ରଦେଶରେ ବିଜେପି ସିଏମ ଶିବରାଜ ସିଂହ ଚୌହାନଙ୍କ ବ୍ୟତୀତ ସାମୂହିକ ନେତାଙ୍କୁ ମଧ୍ୟ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ଅନେକ ସାଂସଦଙ୍କ ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ ନିର୍ବାଚନ ମଇଦାନରେ ଦେଖିବାକୁ ମିଳିଥିଲା। ଯେଉଁଥିରୁ ଅଧିକାଂଶ ନେତା ବିଜୟ ମଧ୍ୟ ହୋଇଛନ୍ତି। ଶିବରାଜ ସଂହ ଚୌହାନ, କୈଲାଶ ବିଜୟବର୍ଗୀୟ, ପ୍ରହ୍ଲାଦ ପଟେଲ, ନରେନ୍ଦ୍ର ସିଂହ ତୋମର ପ୍ରମୁଖ ବିଜୟୀ ହୋଇଛନ୍ତି। ବିଜେପିର ବିଜୟରେ ମୋଦୀ ଫ୍ୟାକ୍ଟର ସହ ଶିବରାଜ ସରକାରଙ୍କ ‘ଲାଡଲି ବହନା ଯୋଜନା’ ମଧ୍ୟ ଶ୍ରେୟ ରହିଛି।

ଏହା ବ୍ୟତୀତ ବିଜେପିର ବିଜୟରେ ଶିବରାଜଙ୍କ ଲୋକପ୍ରିୟତାର ମଧ୍ୟ ବେଶ୍ ଗରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଶିବରାଜ ସିଂହ ଚୌହାନ, କଂଗ୍ରେସର ଗ୍ୟାରେଣ୍ଟି କାର୍ଡକୁ କାଉଣ୍ଟର କରିବାରେ ସଫଳ ହୋଇଛନ୍ତି । ତେଣୁ ଏମିତିରେ ବିଜେପି ପାଇଁ ତାଙ୍କୁ ସିଏମ ରେସରୁ ବାହାର କରିବା ସହଜ ହେବନାହିଁ।

ଆହୁରି ପଢ଼ନ୍ତୁ: ତିନି ରାଜ୍ୟରେ ଫୁଟିବ ପଦ୍ମ ! ‘ହାତ’ ହାତରୁ ଖସିଯାଇପାରେ ଏହି ରାଜ୍ୟ

ତେବେ ଯଦିବି ବିଜେପି ଶିବରାଜ ସିଂହଙ୍କ ଚୌହାନଙ୍କ ସ୍ଥାନରେ କାହାକୁ ଦାୟିତ୍ବ ଦେବ, ତେବେ ସେମାନଙ୍କ ମଧ୍ୟରେ କୈଲାଶ ବିଜୟବର୍ଗୀୟ, ପ୍ରହ୍ଲାଦ ସିଂହ ପଟେଲ, ରାକେଶ ସିଂହଙ୍କ ସୁଯୋଗ ରହିଛି। ଏହା ବ୍ୟତୀତ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଦାବିଦାର ହୋଇପାରନ୍ତି।

ରାଜସ୍ଥାନ:

ବିପୁଳ ଜନମତ ସହ ରାଜସ୍ଥାନରେ ପୁଣି ସତ୍ତାକୁ ଫେରିଛି ବିଜେପି । ଏଠାରେ କଂଗ୍ରେସକୁ କଡ଼ା ହାର୍‌ ଦେଖିବାକୁ ମିଳିଛି। ତେବେ ଏଠାରେ ମଧ୍ୟ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପଦରେ ଘୋଷଣା କରିନାହିଁ। ଅବଶ୍ୟ ଏହା ପୂର୍ବରୁ ଚାରି-ଚାରି ଥର ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ହିଁ ଆଗରେ ରଖି ନିର୍ବାଚନ ଲଢ଼ିଥିଲା ଦଳ। ଆଉ ଏଥର ବିଜେପି ଯେଉଁଭଳି ଭାବରେ ୧୧୦ରୁ ଅଧିକ ସିଟ୍‌ରେ ଆଗରେ ରହି ବିଜୟ ଆଡ଼କୁ ଅଗ୍ରସର ହେଉଛି। ତେଣୁ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଯେ, ପାର୍ଟୀ କାହାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କରିବ ?

ଏମିତିରେ ବସୁନ୍ଧରା ରାଜେ ରାଜସ୍ଥାନରେ ବିଜେପିର ସବୁଠୁ ଟାଣୁଆ ନେତାମାନଙ୍କ ମଧ୍ୟରୁ ଜଣେ। ସମଗ୍ର ରାଜ୍ୟରେ ତାଙ୍କର ଲୋକପ୍ରିୟତା ମଧ୍ୟ ରହିଛି। ତେଣୁ ବସୁନ୍ଧରାଙ୍କ ନାମ ରେସରେ ସବୁଠୁ ଆଗରେ ରହିଥିବା ନଜର ଆସୁଛି। ହେଲେ ଟପ୍ ନେତୃତ୍ବ ସହ ସମ୍ପର୍କ ସେତେଟା ଭଲ ନଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବା ଉପରେ ସସପେନ୍ସ ରହିଛି । କିନ୍ତୁ ଯେଉଁଭଳି ଭାବରେ ବସୁନ୍ଧରା ଗ୍ରୁପ୍‌ ବିଜୟ ହାସଲ କରୁଛି। ତାଙ୍କୁ ବିଜେପି ଅଣଦେଖା କରିନପାରେ। ତଥାପି ଯଦି କହିବା ତେବେ​‌ ବାବା ବାଳକନାଥ, ଦୀୟା କୁମାରୀ ଏବଂ ଗଜେନ୍ଦ୍ର ସିଂହ ଶେଖାଓ୍ବତଙ୍କ ଭଳି ନେତା ରେସରେ ଆଗରେ ରହିଛି।

ଆହୁରି ପଢ଼ନ୍ତୁ: ରାଜସ୍ଥାନରେ ବିଫଳତା ପରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ: କ’ଣ କହିଲେ ଜାଣନ୍ତୁ

ଛତିଶଗଡ଼:

ଚଳିତ ନିର୍ବାଚନରେ ଛତିଶଗଡ଼ରେ ସତ୍ତା ହାତଇବାରେ ସଫଳ ହୋଇଛି ବିଜେପି। ବିଜେପି ପାଇଁ ଏହି ବିଜୟ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ବିଜୟ ଠାରୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। କାରଣ ଏଠାରେ କଂଗ୍ରେସକୁ ବହୁମତ ମିଳିବା ନେଇ ଖୁବ୍ ସମ୍ଭାବନା ରହିଥିଲା।

ଆହୁରି ମଧ୍ୟ ଏଠାରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ରାଜନୀତିକ ପ୍ରଭାବ ଆଗରେ ବିଜେପି ଅନ୍ୟ ନେତାଙ୍କୁ ଛିଡ଼ା କରିପାରିନଥିଲା। ଏହା ସତ୍ତ୍ବେ ବିଜେପି ଯେଉଁଭଳି ଭାବରେ ଏଠାରେ ବିଜୟୀ ହୋଇଛି ଏଥିରୁ ଜଣାପଡ଼ୁଛି ଯେ, ଏହି ବିଜୟ ପଛରେ ପିଏମ ମୋଦୀଙ୍କ ଲୋକପ୍ରିୟତା ରହିଛି।

ଏଠାରେ ମଧ୍ୟ ବିଜେପି କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା କରିନାହିଁ। ଦଳ ଏଠାରେ ପିଏମ ମୋଦୀଙ୍କ ନାଁରେ ନିର୍ବାଚନ ଲଢ଼ିଥିଲା। କିନ୍ତୁ ଏଠାରେ ବିଜେପି ଡା. ରମନ ସିଂହଙ୍କୁ ତାଙ୍କର ପରମ୍ପରାଗତ ସିଟ୍‌ରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ରମନ ସିଂହ ବିଜୟୀ ହୋଇଛନ୍ତି। ଛତିଶଗଡ଼ରେ ବିଜେପିର ସବୁଠୁ ଟାଣୁଆ ନେତା ମଧ୍ୟ ରମନ ସିଂହ। କିନ୍ତୁ ତାଙ୍କ ବୟସ ମୁଖ୍ୟମନ୍ତ୍ରୀ ପଦ ପାଇଁ ବାଧକ ସାଜିପାରେ।

ଆହୁରି ପଢ଼ନ୍ତୁ: ରାଜସ୍ଥାନରେ ଜିତିଲେ ମହାରାଣୀ; ୫୧ ହଜାର ଭୋଟରେ ବସୁନ୍ଧରା ରାଜେ ବିଜୟୀ

ତେବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କ ପରେ ପାର୍ଟୀ ସଂଗଠନ ଦାୟିତ୍ବରେ ଥିବା ଅରୁଣ ସାବଙ୍କ ନାଁ ମଧ୍ୟ ରହିଛି। ସେହିଭଳି ମୁଖ୍ୟମନ୍ତ୍ରୀ ପଦରେ ତୃତୀୟ ଦାବିଦାର ହେଉଛନ୍ତି ବ୍ରିଜମୋହନ ଅଗ୍ରଓ୍ବାଲ। ରାୟପୁର ଦକ୍ଷିଣ ବିଧାନସଭା ସିଟ୍‌ରୁ ସେ ସାତ ଥର ବିଧାୟକ ହୋଇଛି। ଏଥର ଅଷ୍ଟମ ଥର ନିର୍ବାଚନ ଜିତିବାରେ ସେ ସଫଳ ହୋଇଛି। ଜଣେ ସ୍ବଚ୍ଛ ସରଳ ନେତା ଭାବରେ ତାଙ୍କ ଛବି ରହିଛି। ଏହା ବ୍ୟତୀତ ସରୋଜ ପାଣ୍ଡେଙ୍କ ନାଁ ମଧ୍ୟରେ ରହିଛି। ସେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ରାଜ୍ୟସଭା ସାଂସଦ ମଧ୍ୟ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.