ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ୪୮ ଘଣ୍ଟାର ସମୟ କାହିଁକି ଦରକାର ? ଆପ୍‌କୁ ବିଜେପିର ପ୍ରଶ୍ନ

Published By : Prameya-News7 Bureau | September 15, 2024 IST

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ଜାମିନ ପାଇ ଜେଲରୁ ମୁକୁଳିବା ପରେ ମୁଖ୍ୟମନ୍ତ୍ରୀ ଅରିବନ୍ଦ କେଜରିଓ୍ଵାଲ ବଡ଼ ଘୋଷଣା କରି ସଭିଙ୍କୁ ଚକିତ କରିଛନ୍ତି। ଦୁଇ ଦିନରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି। ତାଙ୍କର ଏହି ଘୋଷଣା ପରେ ଭାରତୀୟ ଜନତା ପାର୍ଟି ତୁରନ୍ତ ଇସ୍ତଫା କାହିଁକି ଦେଉନ ବୋଲି ପ୍ରଶ୍ନ କରିଛି। ବିଜେପିର କହିବା କଥା କେଜ୍ରିଓ୍ଵାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ୪୮ ଘଣ୍ଟାର ସମୟ କଣ ପାଇଁ ଦରକାର ?

ରବିବାର କେଜ୍ରିଓ୍ଵାଲଙ୍କ ଇସ୍ତଫା ଘୋଷଣା ପରଠୁ ବିଜେପି ଲଗାତାର ଆପ୍‌କୁ ଟାର୍ଗେଟ୍ କରି ଚାଲିଛି। ଏହି ସମୟରେ ବିଜେପି ଅରବିନ୍ଦ କେଜ୍ରିଓ୍ଵାଲ ଓ ଆମ୍ ଆଦମି ପାର୍ଟି(ଆପ୍) ଉପରେ ଅନେକ ପ୍ରଶ୍ନ ଉଠାଇଛି। ବିଜେପି ନେତା ସୁଧାଂଶୁ ତ୍ରିବେଦୀ କହିଛନ୍ତି,  କେଜ୍ରିଓ୍ଵାଲଙ୍କୁ ଇସ୍ତଫା ଦେବା ପାଇଁ କାହିଁକି ୪୮ ଘଣ୍ଟାର ସମୟ ଦରକାର ?  ଜେଲ୍‌ରୁ ସେ କାହିଁକି ଇସ୍ତଫା ଦେଲେ ନାହିଁ ? ଇସ୍ତଫାର ସମୟକୁ ନେଇ ପ୍ରଶ୍ନ ଉଠାଇ ସୁଧାଂଶୁ କହିଛନ୍ତି କେଜ୍ରିଓ୍ଵାଲ ଜେଲ୍‌ରୁ ବାହାରିବା ପରେ କିଛି ରଫାଦଫା କରିବାକୁ ଚାହୁଁଥିଲେ। ଏଥିପାଇଁ ଜେଲ୍‌ରୁ ସେ ଇସ୍ତଫା ଦେଉ ନ ଥିଲେ। ଏବେ ରଫାଦଫା କରିବା ପାଇଁ ବୋଧହୁଏ ୪୮ଘଣ୍ଟାର ସମୟ ନେଇଛନ୍ତି।

Also read: ମାଓ ଭୟରେ ଦୀର୍ଘବର୍ଷ ଧରି ବନ୍ଦ ଥିଲା ବିଦ୍ୟାଳୟ, ଖୋଲିବାରୁ ଶିକ୍ଷା ଅଧିକାରୀଙ୍କୁ ମାରିଦେଲେ ମାଓବାଦୀ

ସୁଧାଂଶୁ ତ୍ରିବେଦୀ କହିଛନ୍ତି, ଆପ୍‌ରେ ଦଳୀୟ କନ୍ଦଳ ଦେଖିବାକୁ ମିଳିଛି। ଏହାକୁ ସମ୍ଭାଳିବା ପାଇଁ କେଜ୍ରିଓ୍ଵାଲ ଇସ୍ତଫା ଘୋଷଣା କରିଛନ୍ତି। ଆମ୍ ଆଦମୀ ପାର୍ଟିରେ ନିଜ ନେତାଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡ଼ିଲାଣି। ଏହି ବିବଶତାରେ ଅରବିନ୍ଦ କେଜ୍ରିଓ୍ଵାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛି। 

ସୂଚନାଯୋଗ୍ୟ, ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦ୍ଵାରା ଗିରଫ ହୋଇ ଜେଲ୍‌ରେ ଥିଲେ। ମାମଲାକୁ ନେଇ ସେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଶୁକ୍ରବାର ସୁପ୍ରିମକୋର୍ଟ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜାମିନ ପ୍ରଦାନ କରିଥିଲେ। ଜେଲ୍‌ରୁ ମୁକୁଳିବା ପରେ ଅରବିନ୍ଦ କେଜ୍ରିଓ୍ଵାଲ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ନେଇ ବଡ଼ ଘୋଷଣା କରିଛନ୍ତି। ସେ ଦୁର୍ନୀତିରେ ଲିପ୍ତ ଥିବା ନେଇ ବିଜେପି ଅନେକ ଅଭିଯୋଗ ଆଣି କେଜ୍ରିଓ୍ଵାଲ ଓ ଆପ୍‌କୁ ଟାର୍ଗେଟ୍ କରି ଆସିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.