ନୂଆଦିଲ୍ଲୀ: ପ୍ରତିଦିନ ଯଦି ଆପଣ ବାରମ୍ୱାର ନିଜର ୟୁପିଆଇ ଆପରେ ବାଲାନ୍ସ ଚେକ୍ କରନ୍ତି, ଅଟୋପେ ଲଗାନ୍ତି କିମ୍ୱା ଟ୍ରାଞ୍ଜେକ୍ସନର ଷ୍ଟାଟସ୍ ଚେକ୍ କରନ୍ତି, ତେବେ ସାବଧାନ ହୋଇଯାଅନ୍ତୁ । ନ୍ୟାସନାଲ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆର ନୂଆ ନିର୍ଦ୍ଦେଶ ଜାରି କରିଛି । ଏହା ଅନୁସାରେ ୨୦୨୫ ଜୁଲାଇ ୩୧ରୁ ୟୁପିଆଇରେ ଅଧିକ ବ୍ୟବହାର ହେଉଥିବା କିଛି ଫିଚର୍ସ ଉପରେ ସୀମା ଧାର୍ଯ୍ୟ କରାଯିବ ।
ନୂଆ ନିର୍ଦ୍ଦେଶରେ ୟୁଜର୍ସଙ୍କ ଦ୍ୱାରା ଅଧିକ ବ୍ୟବହାର ବାଲାନ୍ସ ଯାଞ୍ଚ କରିବା, ଅଟୋପେମେଣ୍ଟକୁ ଅନୁମତି ଦେବା, ଟ୍ରାଞ୍ଜାକ୍ସନ ଷ୍ଟାଟସ୍ ଦେଖିବା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସାମିଲ କରାଯାଇଛି । ଏବେ ଏହି ଫିଚର୍ସଗୁଡ଼ିକୁ ପୂରା ଦିନରେ କେବଳ ନିର୍ଦ୍ଦିଷ୍ଟ ସଂଖ୍ୟାର ବ୍ୟବହାର କରାଯାଇପାରିବ । ଅର୍ଥାତ୍ ଯଦି ଆପଣ ନିର୍ଦ୍ଧାରିତ ସୀମାଠାରୁ ଅଧିକ ଥର ବାଲାନ୍ସ ଚେକ୍ କରନ୍ତି, ତେବେ ଆପ୍ ଆପଣଙ୍କୁ ଅନୁମତି ଦେବ ନାହିଁ । UPI ନେଟୱାର୍କରେ ଯେପରି ଅନାବଶ୍ୟକ ଲୋଡ୍ ନହୁଏ, ସେଥିପାଇଁ NPCI ଏହି ପଦକ୍ଷେପ ନେଇଛି । ଯଦି ବ୍ୟାଙ୍କ କିମ୍ବା ଆପ୍ ଏହି ନିୟମ ପାଳନ କରନ୍ତି ନାହିଁ, ତେବେ NPCI ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ।
NPCI UPI ପାଇଁ 'ପିକ୍ ଆୱାର' ଭାବରେ କିଛି ସମୟକୁ ନିର୍ଦ୍ଦିଷ୍ଟ କରିଛି । ଯେପରିକି ସକାଳ ୧୦ରୁ ଅପରାହ୍ନ ୧ଟା ଏବଂ ସନ୍ଧ୍ୟା ୫ରୁ ରାତି ୯.୩୦ଟା । ଏହି ସମୟରେ ସିଷ୍ଟମ ଉପରେ ଅତ୍ୟଧିକ ଚାପ ଏଡାଇବା ପାଇଁ ଏହାସବୁ ସୀମିତ ରହିବ ।
ଯଦି ଆପଣ ନିଜର ଆକାଉଣ୍ଟ ବାଲାନ୍ସ ବାରମ୍ବାର ଯାଞ୍ଚ କରନ୍ତି, ତେବେ ନିଜର ଅଭ୍ୟାସ ବଦଳାଇ ଦିଅନ୍ତୁ । NPCI ନିର୍ଦ୍ଦେଶ ଅନୁସାରେ ୨୦୨୫ ଜୁଲାଇ ୩୧ରୁ ଗ୍ରାହକମାନେ ଗୋଟିଏ ଆପ୍ରେ ଦିନକୁ ସର୍ବାଧିକ ୫୦ଥର ବାଲାନ୍ସ ଚେକ୍ କରିପାରିବେ । ବିଶେଷଜ୍ଞଙ୍କ ମତରେ ଏହି ନିୟମ ବ୍ୟବସାୟୀ ଏବଂ ଅଧିକ କାରବାର କରୁଥିବା ୟୁଜର୍ସଙ୍କ ସାମାନ୍ୟ ଅସୁବିଧା କରିପାରେ। NPCI ଏହା ମଧ୍ୟ କହିଛି ଯେ ପିକ୍ ଆୱାରରେ (ସକାଳ ୧୦ରୁ ଅପରାହ୍ନ ୧ ଏବଂ ସନ୍ଧ୍ୟା ୫ରୁ ରାତି ୯:୩୦) ବାଲାନ୍ସ ଯାଞ୍ଚ ଭଳି ଅନୁରୋଧଗୁଡ଼ିକୁ ସୀମିତ କରାଯିବ । ଏହା ବ୍ୟତୀତ, ପ୍ରତ୍ୟେକ କାରବାର ପରେ ବ୍ୟାଙ୍କକୁ ଏବେ ଗ୍ରାହକଙ୍କୁ ବାଲାନ୍ସ ସୂଚନା ପଠାଇବାକୁ ପଡିବ, ଯାହା ଦ୍ଵାରା ଗ୍ରାହକମାନେ ବାରମ୍ବାର ବାଲାନ୍ସ ଚେକ୍ କରିବେ ନାହିଁ । ସେହିପରି Netflix, SIP କିମ୍ବା ଅନ୍ୟାନ୍ୟ ସେବା ପାଇଁ UPI ଅଟୋପେ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏବେ ନୂତନ ସର୍ତ୍ତାବଳୀ ରହିବ । ଏବେ ଅଟୋପେ ଅଥୋରାଇଜେସନ୍ ଏବଂ ଡେବିଟ୍ ପ୍ରୋସେସିଂ କେବଳ ପିକ୍ ଆୱାର ବାହାରେ ହେବ ।