ହସିନାଙ୍କ ବିଦାୟ ପରେ କେମିତି ରହିବ ଭାରତ-ବାଂଲାଦେଶର ସମ୍ପର୍କ ? ଅନିଶ୍ଚିତତାରେ ମୁକ୍ତ ବାଣିଜ୍ୟ ବୁଝାମଣା ଏବଂ ତିସ୍ତା ପ୍ରକଳ୍ପ

Published By : Prameya-News7 Bureau | August 06, 2024 IST

ନୂଆଦିଲ୍ଲୀ: ସଂରକ୍ଷଣ ନିଆଁରେ ଜଳୁଛି ବାଂଲାଦେଶ । ହସିନାଙ୍କ ପଳାୟନ ପରେ ବି ଥମୁନି ହିଂସା । ପଡ଼ୋଶୀ ଦେଶ ବାଂଲାଦେଶରେ ସୈନ୍ୟ ଶାସନ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପଦରୁ ଇସ୍ତଫା ଦେବା ପରେ ଦେଶ ଛାଡ଼ି ଭାରତରେ ଅଛନ୍ତି । ସେପଟେ ବାଂଲାଦେଶ ସେନା ଅନ୍ତରୀଣ ସରକାର ଗଠନ ପାଇଁ ପ୍ରୟାସ କରିଛି । ଭାରତ ସରକାର ବି ଆକ୍ସନ ମୋଡରେ ଅଛନ୍ତି । ସର୍ବଦଳୀୟ ବୈଠକ ଡାକି ଏହି ସଂକଟକୁ କିପରି ସାମନା କରାଯିବ ତାହାର ବାଟ ଖୋଜା ଚାଲିଛି । ଏହାରି ଭିତରେ ଏକ ବଡ଼ ପ୍ରଶ୍ନ, ବାଂଲାଦେଶର ଏହି ସଂକଟ ଭାରତୀୟ ଅର୍ଥନୀତି ଉପରେ କ’ଣ ପ୍ରଭାବ ପକାଇବ ।

ଭାରତ ଏବଂ ବାଂଲାଦେଶ ପୂରା ଦକ୍ଷିଣ ଏସିଆରେ ଘନିଷ୍ଠ ସହଯୋଗୀ । ଗତ ୧୦ ବର୍ଷରେ ଦୁଇ ଦେଶର ସମ୍ପର୍କ ନୂଆ ଶିଖର ମଧ୍ୟ ଛୁଇଁଛି । ଆର୍ଥିକ ବର୍ଷ ୨୦୨୩-୨୪ରେ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ କାରବାର ପ୍ରାୟ ୧୩ ବିଲିୟନ ଡଲାର ଥିଲା । ଏବେ ବାଂଲାଦେଶରେ ଅଚାନକ କ୍ଷମତା ପରିବର୍ତ୍ତନର ପ୍ରଭାବ ଉଭୟ ଦେଶର କାରବାର ଉପରେ ପଡ଼ିବା ନିଶ୍ଚିତ । ଭାରତ ୨୦୨୩ରେ ବାଂଲାଦେଶକୁ ଜି-୨୦ ଶିଖର ସମ୍ମିଳନୀରେ ପର୍ଯ୍ୟବେକ୍ଷକ ଦେଶ ଭାବେ ଆମନ୍ତ୍ରିତ କରିଥିଲା । ସେହି ବର୍ଷ ଅକ୍ଟୋବରରେ ଦୁହିଁଙ୍କ ମଧ୍ୟରେ ମୁକ୍ତ ବାଣିଜ୍ୟ ବୁଝାମଣା ଉପରେ ଆଲୋଚନା ହୋଇଥିଲା । ଏହି ବୁଝାମଣା ସ୍ୱାକ୍ଷର ହେବା ଦ୍ୱାରା ବାଂଲାଦେଶର ଭାରତକୁ ରପ୍ତାନୀ ୨୯୭ ପ୍ରତିଶତ ଏବଂ ଭାରତର ରପ୍ତାନୀ ୧୭୨ ପ୍ରତିଶତ ବୃଦ୍ଧି ପାଇଥାନ୍ତା । ଏବେ ନୂଆ ପରିସ୍ଥିତିରେ ଏହି ବୁଝାମଣାର ରୂପରେଖ ଏବଂ ଭବିଷ୍ୟତ କଣ ହେବେ ତାହା ସମୟ ହିଁ କହିବ । 

ଯଦି ଭାରତର ରପ୍ତାନୀ ଏବଂ ଆମଦାନୀ କଥା କହିବା ତେବେ ସବୁଠୁ ବଡ଼ ଝଟକା କପା ବଜାରକୁ ଲାଗିବ । ଭାରତ ପ୍ରତିବର୍ଷ ପ୍ରାୟ ୨.୪ ବିଲିୟନ ଡଲାରର କଟନ୍ ବାଂଲାଦେଶକୁ ରପ୍ତାନୀ କରେ । ବାଣିଜ୍ୟ ମନ୍ତ୍ରଣାଳୟ ଅନୁସାରେ ଆର୍ଥକ ବର୍ଷ ୨୦୧୨-୧୩ରେ ଭାରତର ମୋଟ୍ କଟନ୍ ରପ୍ତାନୀର ୧୬ ପ୍ରତିଶତ ବାଂଲାଦେଶକୁ ହୋଇଥିଲା । ଯାହା ୧୦ ବର୍ଷ ପରେ ବଢି ୩୪.୯ ପ୍ରତିଶତ ହୋଇଛି । ଏହା ବ୍ୟତୀତ ଭାରତ ବାଂଲାଦେଶକୁ ଇନ୍ଧନ ମଧ୍ୟ ରପ୍ତାନୀ କରୁଛି । ଯାହା ଭାରତରୁ ବାଂଲାଦେଶକୁ ହେଉଥିବା ଦ୍ୱିତୀୟ ବଡ଼ ରପ୍ତାନୀ ସାମଗ୍ରୀ । ଆଦାନୀ ଗ୍ରୁପର କମ୍ପାନି ଆଦାନୀ ୱିଲମାର ବାଂଲାଦେଶରେ ସବୁଠୁ ବଡ଼ ଖାଇବା ତେଲ ବ୍ରାଣ୍ଡ୍ । ଭାରତର ଅଟୋ କମ୍ପାନି ମଧ୍ୟ ବଡ଼ ପରିମାଣରେ ବାଂଲାଦେଶକୁ ରପ୍ତାନୀ କରନ୍ତି ।


ଭାରତ-ବାଂଲାଦେଶ ଦକ୍ଷିଣ ଏସିଆର ସବୁଠୁ ଷ୍ଟ୍ରଙ୍ଗ୍ ବିଜେନସ୍ ଏବଂ ପଲିଟିକାଲ୍ ପାର୍ଟନର । ଏହାସତ୍ତ୍ୱେ ଗତ କିଛି ବର୍ଷରେ ଉଭୟଙ୍କ ମଧ୍ୟରେ ବ୍ୟାପାର କମିଛି । ଏହାର ଏକ ବଡ଼ କାରଣ ବାଂଲାଦେଶର ଆର୍ଥିକ ସଂକଟ । ଭାରତ ପାଇଁ ବାଂଲାଦେଶ ଅଷ୍ଟମ ବୃହତ ରପ୍ତାନୀ ସହଯୋଗୀ । କିନ୍ତୁ ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ବାଂଲାଦେଶକୁ ରପ୍ତାନୀ ପ୍ରାୟ ୯.୫ ପ୍ରତିଶତ କମ ହୋଇଥିଲା । ବାଂଲାଦେଶର ହସିନାଙ୍କ ଶାସନର ଅନ୍ତ ପରେ ବିଗ୍ ବଜେଟ୍ ତିସ୍ତା ପ୍ରୋଜେକ୍ଟକୁ ନେଇ ମଧ୍ୟ ଆଶଂକା ସୃଷ୍ଟି ହୋଇଛି । ଚୀନ ଲଗାତାର ଏହି ପ୍ରୋଜେକ୍ଟ ପାଇଁ ଇଚ୍ଛା ପ୍ରକାଶ କରିବା ସହ ଚକ୍ରାନ୍ତ ଚଲାଇଛି । ଭାରତ ପାଇଁ ଏହି ପ୍ରକଳ୍ପର ସାମରିକ ମହତ୍ୱ ରହିଥିବାରୁ ସେ ମଧ୍ୟ ଏହି ପ୍ରୋଜେକ୍ଟ ପାଇଁ ଇଚ୍ଛୁକ ଅଛି । ୧ ବିଲିୟନ ଡାଲରର ତିସ୍ତା ପ୍ରକଳ୍ପ ପାଇଁ ଭାରତ ଥିଲା ଶେଖ୍ ହସିନାଙ୍କ ପ୍ରଥମ ପସନ୍ଦ । କିନ୍ତୁ ଏବେ ସବୁ କିଛି ଅନିଶ୍ଚିତତା ଭିତରକୁ ଚାଲି ଯାଇଛି ।

 

  • Sheikh Hasina
  • Bangladesh Clashes
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.